ସମ୍ବଲପୁର : ସବୁବେଳେ ବିବାଦରେ ରହୁଥିବା ଓମ୍ଫେଡ୍ର ସହଯୋଗୀ ସଂସ୍ଥା ସମଲେଶ୍ବରୀ ମିଲ୍କ ୟୁନିୟନ୍ ଲିମିଟେଡ୍ (ସାମୁଲ), ସମ୍ବଲପୁରର ଡେପୁଟି ମ୍ୟାନେଜର୍ କିଶୋର କୁମାର ନାୟକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ତାଙ୍କଠାରୁ ୧.୪୧ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।
ଶ୍ରୀ ନାୟକ ଆୟଠୁ ଅଧିକ ସମ୍ପତ୍ତି ରଖିଥିବାନେଇ ଅଭିଯୋଗ ମିଳିବା ପରେ ଭିଜିଲାନ୍ସର ପୃଥକ୍ ଟିମ୍ ସମ୍ବଲପୁର, ଖୋର୍ଧା ଓ ପୁରୀ ଜିଲ୍ଲାର ୪ଟି ସ୍ଥାନରେ ଥିବା ତାଙ୍କ ସମ୍ପତ୍ତି ଓ କାର୍ଯ୍ୟାଳୟରେ ସମାନ୍ତରାଳ ଚଢ଼ାଉ କରିଥିଲେ। ସମ୍ବଲପୁର ସାକ୍ଷୀପଡ଼ାରେ ଥିବା ତାଙ୍କ ଦୁଇ ତାଲା କୋଠା ଘର, ଭୁବନେଶ୍ବର କଳାରାହାଙ୍ଗ ଲିଳାବତୀ କମ୍ପ୍ଲେକ୍ସରେ ଥିବା ତାଙ୍କ ୪/ଡି ନମ୍ବର ଫ୍ଲାଟ୍, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଲୌରାସ୍ଥିତ ତାଙ୍କ ପୈତୃକ ଘର ଓ ସମ୍ବଲପୁରରେ ଥିବା ସାମୁଲ କାର୍ଯ୍ୟାଳୟର ତାଙ୍କ ଅଫିସ୍ ଚାମ୍ବର୍ରେ ଭିଜିଲାନ୍ସ ପକ୍ଷରୁ ଛାନ୍ଭିନ୍ ହୋଇଥିଲା। ଯାଞ୍ଚ ସମୟରେ ତାଙ୍କଠାରୁ ସମ୍ବଲପୁର ସାକ୍ଷୀପଡ଼ା ବ୍ୟାଙ୍କ କଲୋନିରେ ଥିବା ୨ ତାଲା କୋଠା, ଭୁବନେଶ୍ବର କଳାରାହାଙ୍ଗସ୍ଥିତ ଫ୍ଲାଟ୍, ସମ୍ବଲପୁର ସହରରେ ୨ଟି ଓ ପୁରୀ ସହରରେ ଗୋଟିଏ ପ୍ଲଟ୍ ଆଦି ସ୍ଥାବର ସମ୍ପତ୍ତି ତାଙ୍କ ନାମରେ ଥିବା ଜଣାପଡ଼ିଥିଲା। ସେହିପରି ୨ଟି ୨ ଚକିଆ ଯାନ, ୪୪.୫୧ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା, ୧୦.୪୯ ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ, ୭.୩୨ ଲକ୍ଷ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର, ୫.୬ ଲକ୍ଷ ଟଙ୍କାର ଗୃହ ଆସବାବପତ୍ର, ନଗଦ ଟଙ୍କା ଓ ଅନ୍ୟ ସ୍ଥାବର, ଅସ୍ଥାବର ସମ୍ପତ୍ତି ମଧ୍ୟ ଠାବ ହୋଇଥିଲା ଯାହାର ମୋଟ ମୂଲ୍ୟ ୧ କୋଟି ୪୧ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଯାଞ୍ଚ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସମ୍ବଲପୁରଙ୍କ ଦ୍ବାରା ଜାରି ୱାରେଣ୍ଟ ବଳରେ ୨ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ମାନେ ଗୁରୁବାର ହୋଇଥିବା ଏହି ଚଢ଼ଉରେ ସାମିଲ ଥିଲେ।
ସୂଚନାଯୋଗ୍ୟ, ଶ୍ରୀ ନାୟକ ପୂର୍ବରୁ ବିଭିନ୍ନ ବିବାଦରେ ଛନ୍ଦି ହୋଇ ରହିଛନ୍ତି ଓ ଆଗରୁ ମଧ୍ୟ ନିଲମ୍ବିତ ହୋଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଜଣା ପଡ଼ିଛି। ଗତ କିଛିବର୍ଷ ମଧ୍ୟରେ ସାମୁଲ୍ର ଅଧିକାରୀ ମାନଙ୍କ ମଧ୍ୟରେ ବିବାଦ କାରଣରୁ ଓମ୍ଫେଡ୍ର ଏଠାରେ ଦୁସ୍ଥିତି ମଧ୍ୟରେ ଗତି କରୁଛି। ଏହାଦ୍ବାରା ବରଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି।