ସାନବୁର୍ଡ଼ା ଗାଁର ଦୁଃଖ: ବିଦ୍ୟୁତ ଖୁଣ୍ଟରେ ପାରି ହୁଅନ୍ତି ନାଳ

ଗୁରୁଣ୍ଡିଆ : କୌଣସି ଅଞ୍ଚଳ ପାଇଁ ଗମନାଗମନ ହିଁ ବିକାଶର ଚାବିକାଠି। ସରକାର ବି ପକ୍କା ଓ ସୁଦୃଢ଼ ଗମନାଗମନକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଏଥିପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଚାଲିଛି ହଜାର ହଜାର କୋଟି ଟଙ୍କା। କିନ୍ତୁ ଏବେ ବି ଅନେକ ଗାଁକୁ ସବୁଦିନିଆ ରାସ୍ତାଟେ ନାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ରିପୋର୍ଟ ଅନୁସାରେ ୧୨୬ଟି ଗାଁକୁ ଏବେ ବି ରାସ୍ତା ନାହିଁ। ବର୍ଷ ବର୍ଷ ଧରି ଲୋକେ ପାଦଚଲା ବାଟରେ ହିଁ ଯାତାୟତ କରିଆସୁଛନ୍ତି। ଏହି ସ୍ଥିତିରେ ଗୁରୁଣ୍ଡିଆ ବ୍ଲକର ଜର୍ଡା ପଞ୍ଚାୟତ ଅନ୍ତର୍ଗତ ସାନବୁର୍ଡା ଗାଁର ଦୁଃଖ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ଗାଁ ପାଖ ଦେଇ ବୋହି ଯାଉଥିବା ବେହେରାମାଲ ନାଳ ଗାଁ ର ୫୦ ପରିବାର ପାଇଁ ଦୁଃଖ ଆଣି ଦେଇଛି। ୨ ଶହ ମିଟର ଚଉଡ଼ାର ଏହି ନାଳରେ ସେତୁ ନଥିବାରୁ ଲୋକଙ୍କ ଯାତାୟତ ଶୋଚନୀୟ ହୋଇପଡ଼ିଛି। ବିଶେଷ କରି ବର୍ଷା ଋତୁରେ ଗାଁ ଜଳବନ୍ଦୀ ପାଲଟି ଯାଉଥିବା ବେଳେ ଦିନ ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ଲୋକଙ୍କ ଜୀବନଜୀବିକା ଦୁର୍ବିସହ ହୋଇପଡ଼େ। ଏ ସ୍ଥିତିରେ କେହି ରୋଗରେ ପଡ଼ିଲେ କଥା ସରିଲା। ଭରା ନାଳରେ ପାରି କରିବା ସମ୍ଭବ ହେଉ ନଥିବାରୁ ରୋଗୀର ଜୀବନ ଝଡ଼ାଫୁଙ୍କା, ଭଗବାନ ଭରସାରେ ଛାଡ଼ି ଦିଅନ୍ତି ଲୋକେ। ଦୁଇ ବର୍ଷ ହେଲା ବିକଳ୍ପ ଭାବେ ଗାଁ ଲୋକେ କିଛି ଅବ୍ୟବହୃତ ବିଦ୍ୟୁତ ଖୁଣ୍ଟକୁ ନାଳରେ ପକାଇ ଯିବାଆସିବା କରୁଛନ୍ତି। ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପିଲା ବୁଢ଼ା ସମସ୍ତେ ଫୁଟେ ଓସାରର ଖୁଣ୍ଟରେ ଚାଲିଚାଲି ନାଳ ପାରି ହେଲା ବେଳେ କୌଣସି ମୁହୂର୍ତ୍ତରେ ଖସି ପଡ଼ିବାର ଭୟ ରହିଛି। ହେଲେ ଲୋକଙ୍କ ପାଖରେ ଆଉ କୌଣସି ଉପାୟ ନଥିବାରୁ ଏଭଳି ବିପଦପୂର୍ଣ୍ଣ ଯାତ୍ରାକୁ ବରଣ କରି ନେଇଛନ୍ତି। ତେବେ ନାଳରେ ସେତୁ ନିର୍ମାଣ ପାଇଁ ଗାଁ ଲୋକେ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଗୁହାରି କରିଥିଲେ ବି କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ପ୍ରଶାସନ ତୁରନ୍ତ ବେହେରାମାଲ ନାଳରେ ସେତୁ ନିର୍ମାଣ କରି ଲୋକଙ୍କୁ ବର୍ଷାଦିନିଆ ଜଳବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର