ହଜିଗଲା ୨୫୦ ବର୍ଷର ଅସ୍ତିତ୍ବ,: ‌ରାତି ଅଧରେ ମାଟିରେ ମିଶାଇଦେଲେ ସାନଛତା ମଠ

ପୁରୀ : ଶ୍ରୀମନ୍ଦିର ସେବା ସହ ଜଡ଼ିତ ‘ସାନଛତା ମଠ’କୁ ମାଟିରେ ମିଶାଇ ଦିଆଯାଇଛି। ରାତି ଅଧରେ ଜେସିବି ଲଗାଇ ଏହି ମଠକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ମଠ ମହନ୍ତଙ୍କ ସହ ଭକ୍ତ ମହଲରେ ବି ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ମଠ ସହ ମହାପ୍ରଭୁଙ୍କ ଦୋଳବେଦିକୁ ଲାଗି ରହିଥିବା ଡାକ୍ତରଖାନାକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

ଶ୍ରୀମନ୍ଦିର ପୂର୍ବ-ପଶ୍ଚିମ ଦ୍ବାର ଦୋଳବେଦି କୋଣକୁ ଲାଗି ରହିଥିଲା ଏହି ମଠ। ରାମାନନ୍ଦୀ ସମ୍ପ୍ରଦାୟର ଏହି ମଠ ଆରମ୍ଭରୁ ମହାପ୍ରଭୁଙ୍କ ଚାମର ଓ ଆଲଟ ସେବା କରି ଆସୁଥିଲା। ସାନଛତା ମଠ ହେଉଛି ଏକମାତ୍ର ମଠ, ଯିଏ ଦୈନିକ ଠାକୁରଙ୍କୁ ଖେଚୁଡ଼ି ଓ ଦହି ପଖାଳ ଭୋଗ କରି ପ୍ରସାଦ ଆକାରରେ ଭକ୍ତ, ଦୁଃଖୀ ରଙ୍କିଙ୍କୁ ବାଣ୍ଟିଥାନ୍ତି। ପ୍ରତିବର୍ଷ ରଥଯାତ୍ରା ସହ ଅନ୍ୟ ଦିନରେ ଅଯୋଧ୍ୟା, ବୃନ୍ଦାବନ, କାଶୀ, ପ୍ରୟାଗ, ଚିତ୍ରକୋଟ, ବଦ୍ରିନାଥ, କେଦାରନାଥ, ହରିଦ୍ବାର, ଋଷିକେଶ, ବିହାର, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶରୁ ଶତାଧିକ ସାଧୁସନ୍ଥ ଏହି ମଠରେ ଅବସ୍ଥାନ୍ତ କରିଥାନ୍ତି। ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେଯେଉଁ ମଠ ଭଙ୍ଗା ଯାଉଛି, ତାର ସମ୍ପୂର୍ଣ୍ଣ ଅସ୍ତିତ୍ବ ଲୋପ କରି ଦିଆଯିବନି। ମଠର ମୁଖ୍ୟ ମନ୍ଦିର, ମୂଳ ପୀଠ ସମ୍ପୂର୍ଣ୍ଣ ଅକ୍ଷତ ରହିବ। ଉଚ୍ଛେଦ ପରେ ମଠର ସୌନ୍ଦର୍ଯ୍ୟୀକରଣ କରାଯିବ। ମଠର ମନ୍ଦିର ଓ ମୂଳ ପୀଠ, ତଥା ଘରକୁ ନୂଆ ରୂପ ଦିଆଯିବ। ସମ୍ପୂର୍ଣ୍ଣ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଏହି ନିର୍ମାଣ କାର୍ଯ୍ୟ ହେବ। କିନ୍ତ ମଠ ଉଚ୍ଛେଦ ଶେଷ ହେବାର ଦୁଇବର୍ଷ ପରେ ସିଂହଦ୍ବାରରେ ଶ୍ରୀମନ୍ଦିର ଜୋତାଷ୍ଟାଣ୍ଡ୍‌କୁ ଲାଗି ରହିଥିବା ଏହି ମଠକୁ ବିଳମ୍ବିତ ରାତିରେ ଭାଙ୍ଗି ମାଟିରେ ମିଶାଇ ଦିଆଯିବା ପଛରେ କ’ଣ ରହସ୍ୟ ରହିଛି ବୋଲି ଗବେଷକମାନେ ପ୍ରଶ୍ନ କରିଛନ୍ତି।

bsh

ସାନଛତା ମଠ ଇତିହାସ
ଶ୍ରୀମନ୍ଦିର ସ୍ବତ୍ବ ଲିପିରେ ୧୧୯ ନମ୍ବରରେ ବ୍ୟକ୍ତିଗତ ସେବା ଓ ଆନୁଷ୍ଠାନିକ ସେବା ବିବରଣୀ କ୍ରମିକ ସଂଖ୍ୟା-୭୧ରେ ସାନଛତା ମଠର ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି। ବରିଷ୍ଠ ଗବେଷକମାନଙ୍କ ମତରେ ରାମାନନ୍ଦୀ ସମ୍ପ୍ରଦାୟର ଅନ୍ୟତମ ପ୍ରସିଦ୍ଧ ମଠ ହେଉଛି ‘ସାନଛତା ମଠ’। ଦୋଳବେଦି କୁଞ୍ଜ ସମ୍ମୁଖରେ ଥିବା ଏହି ମଠ ୮୭ ଡିସିମିଲ୍‌ ଜାଗାରେ ଗଢ଼ି ଉଠିଥିଲା। ଅଢ଼େଇ ଶହ(୨୫୦)ରୁ ଅଧିକ ବର୍ଷ ପୁରୁଣା ଏହି ମଠର ପ୍ରତିଷ୍ଠାତା ହେଉଛନ୍ତି ସନ୍ଥ ରାମଦାସଜୀ। ପରମ୍ପରା ଅନୁଯାୟୀ ଏହି ମଠର ବୈଷ୍ଣବ ତଥା ମହନ୍ତ ଗୃହୀ ହୋଇପାରିବେନି। ଏହି ମଠର ମହନ୍ତମାନେ ତିଳକ ତଳେ ବିନ୍ଦି ଲଗାଇଥାନ୍ତି। ପୁରୀର ବଡ଼ଆଖଡ଼ା ମଠ ମହନ୍ତ ଏହି ମଠର ନୂଆ ମହନ୍ତଙ୍କୁ ଶାଢ଼ି ବନ୍ଧାଇବାର ପରମ୍ପରା ରହିଛି। ଏ ଭିତରେ ୯ଜଣ ମହନ୍ତ ମଠ ପରିଚାଳନା ଦାୟିତ୍ବରେ ରହି ସାରିଥିବା ବେଳେ ଏବେ ମହନ୍ତ ରାମଭୂଷଣ ଦାସଜୀ ମହନ୍ତ ଦାୟିତ୍ବ ତୁଲାଉଛନ୍ତି। ମଠାଧୀଶଙ୍କ ଭିତରେ ସପ୍ତମ ମହନ୍ତ ସନ୍ଥ ଗଙ୍ଗା ଦାସଜୀଙ୍କ ପାଣ୍ଡିତ୍ୟ ଓ ଖ୍ୟାତି ତତ୍କାଳୀନ ସମୟରେ ପରିବ୍ୟାପ୍ତ ଥିଲା। ଦାସଜୀଙ୍କ ସେବା ନିଷ୍ଠା ଓ ପ୍ରତିଭାରେ ମୁଗ୍ଧ ହୋଇ ସେ ସମୟରେ ଗଜପତି ମହାରାଜା ରାମଚନ୍ଦ୍ର ଦେବ ଓ ରାଜ ପରିବାର ତାଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ। ସେହି ପରମ୍ପରା ଅଦ୍ୟାବଧି ପ୍ରଚଳିତ ହୋଇଅଛି।

ସ୍ମୃତି ସ୍ବରୂପ ଏବେ ବି ଶ୍ରୀନଅରରୁ ଗୁରୁପୂର୍ଣ୍ଣିମା ଦିନ ଏହି ମଠକୁ ଗୁରୁପୂଜା ଥାଳି ଆସେ। ଏହି ମଠକୁ ପୁରୀ ଗଜପତି ମହାରାଜ ଆସିଥାନ୍ତି। ସାନଛତା ମଠର ମୁଖ୍ୟ ଉପାସ୍ୟ ବିଗ୍ରହ ହେଉଛନ୍ତି ଶ୍ରୀପତିତପାବନ ଦେବ(ଶ୍ରୀଜଗନ୍ନାଥଙ୍କ ବିଗ୍ରହ)। ଏହି ଦାରୁ ବିଗ୍ରହଙ୍କ ଉଚ୍ଚତା ପ୍ରାୟ ୪ ଫୁଟ। ୨ଶହ ଦୁର୍ଲ୍ଲଭ ଶାଳଗ୍ରାମ ଉପରେ ଥିବା ସିଂହାସନରେ ବିରାଜିତ ହୋଇ ଶ୍ରୀପତିତପାବନ ପୂଜା ପାଉଥିଲେ। ମଠରେ ପ୍ରତିଷ୍ଠିତ ସିଂହାସନର ମଧ୍ୟସ୍ଥଳରେ ଶ୍ରୀପତିତପାବନ ବିଗ୍ରହ ପ୍ରତିଷ୍ଠା ହୋଇଥିଲା। ଠାକୁରଙ୍କର କେତୋଟି ମନୋରମ ବେଶ ମଠ ତରଫରୁ କରାଯାଇଥାଏ, ଯାହା ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଅନ୍ୟ ମଠମାନଙ୍କରେ ପରିଦୃଷ୍ଟ ହୁଏ ନାହିଁ। ଅନ୍ୟ ବିଗ୍ରହଙ୍କ ମଧ୍ୟରେ ରଘୁନାଥ ଦେବ, ରାମ, ଲକ୍ଷ୍ମଣ, ସୀତା, ଲାଲଜୀ, ରାଧା, କୃଷ୍ଣ, ଲକ୍ଷ୍ମୀ ଆଦି ମଠରେ ପୂଜା ପାଉଥିଲେ। ମନ୍ଦିରର ମୁଖ୍ୟ ଦ୍ବାରରେ ଗରୁଡ଼ ଓ ହନୁମାନ ମୂର୍ତ୍ତି ରହିଥିଲା। ପ୍ରତିବର୍ଷ ଏଠାରେ ଅଖଣ୍ଡ କୀର୍ତ୍ତନ କରାଯାଉଥିଲା। ଶ୍ରୀରାମ ନବମୀ, ୪୨ ଦିନ ଧରି ଚନ୍ଦନଯାତ୍ରା, ସ୍ନାନ ପୂର୍ଣ୍ଣିମା, ଅଣସର ବିଧି, ଗୁରୁ ପୂର୍ଣ୍ଣିମା, ଝୁଲଣ ଯାତ୍ରା ଆଦି ଏଠାରେ ଧୂମଧାମରେ ପାଳନ କରାଯାଉଥିଲା। ସାନଛତା ମଠର ଭୂସମ୍ପତ୍ତି ଉପରେ ନଜର ପକାଇଲେ, ଖୋର୍ଦ୍ଧା ଜିଲ୍ଲାର ତରାବୋଇଠାରେ ଗୋଟିଏ ଖମାର ଓ ରାଧାକାନ୍ତଙ୍କ ନାମରେ ଗୋଟିଏ ଶାଖା ମଠ ରହିଛି। ଏଠାରେ ରାଧାକାନ୍ତ ଓ ବାଲୁଙ୍କେଶ୍ବର ବିଦ୍ୟମାନ ହେବା ସହ ପୂଜା ପାଉଛନ୍ତି।

ସମ୍ବନ୍ଧିତ ଖବର