ସାନଖେମୁଣ୍ଡି ନିର୍ବାଚନୀ ମାମଲା: ବିଧାୟକଙ୍କୁ ନୋଟିସ୍

କଟକ : ସାନଖେମୁଣ୍ଡି ବିଧାନସଭା ଆସନରୁ ବିଜୟୀ ହୋଇଥିବା କଂଗ୍ରେସର ରମେଶ ଚନ୍ଦ୍ର ଜେନାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେଡିର ପରାଜିତ ପ୍ରାର୍ଥୀ ନନ୍ଦିନୀ ଦେବୀ ଦାୟର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ବିଧାୟକଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ନିର୍ବାଚନୀ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୯ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିପକ୍ଷଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ୨୦୧୮, ସେପ୍ଟେମ୍ବର ୨୫ର ରାୟ ତଥା ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରାର୍ଥୀ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ବାବଦରେ ଅତି କମରେ ତିନି ଥର ଗଣମାଧ୍ୟମରେ ପ୍ରସାରଣ କରାଇବା କଥା। ମାତ୍ର ଶ୍ରୀ ଜେନା ଏହି ନିୟମ ଉଲ୍ଲଂଘନ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏଥି ସହିତ ବିଧାୟକଙ୍କ ବିରୋଧରେ ଜନପ୍ରତିନିଧି ଆଇନର ଧାରା ୧୦୦ର ଉଲ୍ଲଂଘନ ଅଭିଯୋଗ ହୋଇଛି। ଏପରି ପରିସ୍ଥିତିରେ ଶ୍ରୀ ଜେନାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ମାମଲାରେ ଦର୍ଶାଯାଇଛି। ମାମଲାରେ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ବିଜେପି ପ୍ରାର୍ଥୀ ବିଜୟ କୁମାର ସ୍ବାଇଁ, ସ୍ବାଧୀନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ବିଏସପି ପ୍ରାର୍ଥୀ ଗରିବ ନାୟକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ମହାନ୍ତ, ନିରଞ୍ଜନ ହୋତା, ସୁକାନ୍ତ କୁମାର ଦଳାଇ, ସତ୍ୟବ୍ରତ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର