ସନତଙ୍କ ଉପରେ ବିଜେପୁର ଭରସା ରଖିଲା ବିଜେପି

ଭୁବନେଶ୍ୱର: ସନତ ଗଡ଼ତିଆ ହେବେ ବିଜେପିର ବିଜେପୁର ପ୍ରାର୍ଥୀ । ଆଜି ସନତଙ୍କ ନାମ ଉପରେ ମୋହର ମାରିଛି ଭାରତୀୟ ଜନତା ପାର୍ଟି । ବିଜେପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ, ବରଗଡ ଜିଲ୍ଲା ଉପସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିସାରିଛି । ଅଶୋକ ପାଣିଗ୍ରାହୀ ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ସନତ ଗଡତିଆ, ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିଲେ ।

ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ତେଣୁ ଆସନ୍ତାକାଲି ତିନି ଦଳର ପ୍ରାର୍ଥୀ ନାମାଙ୍କନ କରିବେ । ପଦ୍ମପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ଏଠାରେ ସୂଚନା ଥାଉ କି ଦେଢ଼ ବର୍ଷ ଭିତରେ ତୃତୀୟଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ହେବ ଉପନିର୍ବାଚନ ।

କାରଣ ୨୦୧୯ ସାଧାରଣ ନିର୍ବାଚନରେ ଦୁଇଟି ଆସନରୁ ବାଜିମାତ୍ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପାରମ୍ପାରିକ ଆସନ ହିଞ୍ଜିଳିକୁ ରଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ତେବେ ସାମ୍ବିଧାନିକ ନୀତି ଅନୁସାରେ ଏହି ଆସନରେ ପୁଣି ଥରେ ଏବେ ଉପନିର୍ବାଚନ ହେବ ।

ସମ୍ବନ୍ଧିତ ଖବର