କେନ୍ଦୁଝର: ୨୦୧୯ ନିର୍ବାଚନରେ ବିଜେଡି ବିଜୟର ମଙ୍ଗୁଆଳ ସାଜିଥିଲେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼। ସାଂସଦଠାରୁ ଆରମ୍ଭ କରି ଚମ୍ପୁଆ ବିଧାୟକ ଓ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ବି‌ଜୟରେ ବେଶ୍‌ ସହାୟକ ହୋଇଥି‌ଲେ। ଏହି କାରଣରୁ ସନାତନ ବିଜେଡିରେ ସାମିଲ ହେବେ ବୋଲି ଧାରଣା ସୃଷ୍ଟି ହୋଇଥିଲା। ୪ ବର୍ଷ ପରେ ମଧ୍ୟ ବିଜେଡି ତାଙ୍କୁ ଗ୍ରହଣ କଲାନାହିଁ। ୨୦୨୪ ନିର୍ବାଚନରେ ଟିକଟ ନମିଳିଲେ ବି ସନାତନ ନିଶ୍ଚିତ ପ୍ରାର୍ଥୀ ହେବେ ତାଙ୍କ ନିକଟତମ ଲୋକେ କହୁଥିବାରୁ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ହେଲେ ଜିଲ୍ଲାରେ ବିଜେଡିର ଅଙ୍କ ବିଗିଡ଼ିଯିବ ବୋଲି ଚର୍ଚ୍ଚା ହେଉଛି।

Advertisment

କେନ୍ଦୁଝର ଜିଲ୍ଲାରେ ଚମ୍ପୁଆର ପୂର୍ବତନ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ଙ୍କର ଜିଲ୍ଲାର ସମସ୍ତ ଛଅଟି ନିର୍ବାଚନମଣ୍ଡଳୀ ସମେତ ପଡ଼ୋଶୀ କରଞ୍ଜିଆ ନିର୍ବାଚନମଣ୍ଡଳୀରେ ସନାତନଙ୍କ ନିଜର ସଂଗଠନ ରହିଛି ଏବଂ ଭୋଟ ବ୍ୟାଙ୍କ ରହିଛି। ୨୦୧୪ ନିର୍ବାଚନରେ ଚମ୍ପୁଆରୁ ସ୍ବାଧୀନ ଭାବେ ବିଜୟୀ ହେବା ପରେ ଜିଲ୍ଲାରେ ନିଜର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିଥିଲେ। ନିଜେ ଏକ ଦଳ ଗଢ଼ି କାୟା ବିସ୍ତାର ଯୋଜନାରେ ଥିଲେ। ସନାତନଙ୍କ ଶକ୍ତି ବୃଦ୍ଧି ହେଲେ ଖଣିଖାଦାନ ଭରା ଜିଲ୍ଲା କେନ୍ଦୁଝରରେ ବିଜେଡି ଅସୁବିଧାରେ ପଡ଼ିବ ବୋଲି ଆକଳନ କରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ଏବଂ ‌ସେଥିରେ ସଫଳ ମଧ୍ୟ ହୋଇଥିଲା। ୨୦୧୯ ନିର୍ବାଚନରେ ସନାତନ ନିଜେ ଆଉ ପ୍ରାର୍ଥୀ ହୋଇ ନ ଥିଲେ କିମ୍ବା ଅନ୍ୟ କେଉଁଠାରେ ନିଜ ଦଳ ପକ୍ଷରୁ ପ୍ରାର୍ଥୀ ଦେଇ ନ ଥିଲେ। ଏହା ବଦଳରେ ତାଙ୍କ ପସନ୍ଦର ଦୁଇଜଣଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସନାତନଙ୍କ ସୁପାରିସରେ ଚମ୍ପୁଆର ବିଧାୟିକା ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ ଏବଂ ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବିଜେଡି ଟିକେଟ ଦେଇଥିଲା। ଚମ୍ପୁଆରୁ ମୀନାକ୍ଷୀ ବିଜୟୀ ହେବା ପରେ ଯୋଜନାବଦ୍ଧ ଭାବେ ସନାତନଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ସନାତନ ବିଜେଡି ନେତୃତ୍ବ ଉପରେ ଅସନ୍ତୁଷ୍ଟ ଅଛନ୍ତି।

ଅଗଷ୍ଟ ମାସରେ କିଛିଲୋକ ସନାତନଙ୍କ ଯୋଡ଼ା ବ୍ଲକ୍‌ର ନମ୍ବିରାସ୍ଥିତ ବାସଭବନ ଏବଂ ଉଚ୍ଚବାଲି ସ୍ଥିତ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଧାୟିକାଙ୍କ ସ୍ବାମୀ ଭକ୍ତ ମହାନ୍ତଙ୍କ ପ୍ରରୋଚନାରେ ଏଭଳି ଘେରାଉ ହୋଇଥିବା ଚର୍ଚ୍ଚା ହୋଇଥିଲା। ସନାତନ ମଧ୍ୟ ଏହା ରାଜନୈତିକ ଉଦ୍ଦ୍ୟେଶ ପ୍ରଣୋଦିତ ବୋଲି ଖୋଲାଖୋଲି କହିଥିଲେ। ବିଧାୟିକାଙ୍କ ତିକ୍ତତା ବୃଦ୍ଧି ବେଳେ ବିଜେଡି ନେତୃବର୍ଗ ନିରବ ରହିବା ନେଇ ସନାତନ ଅସନ୍ତୁଷ୍ଟ ଅଛନ୍ତି। ତେଣୁ କାହାକୁ ସମର୍ଥନ ନକରି ଏଥର ନିଜେ ପ୍ରାର୍ଥୀ ହେବା ନିଷ୍ପତ୍ତି ନେଇଥିବା ତାଙ୍କ ଶିବିର କହୁଛନ୍ତି। ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୯ ତାରିଖରେ ସନାତନ ନିଜ ପୁଅ ବାହାଘରରେ ପାଖାପାଖି ୨୦ ହଜାର ଲୋକଙ୍କ ପାଇଁ ଭୋଜି ‌ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିଥିଲେ। ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ଏହା ଏକରକମର ପ୍ରସ୍ତୁତି ଥିଲା। ସନାତନ ନିଜେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି କରୁଥିବାରୁ ବିଜେଡି ଚିନ୍ତାରେ ପଡିଛି। ଯଦି ସେ ବିନା ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୁଅନ୍ତି ଏହାର ପ୍ରଭାବ ସାରା କେନ୍ଦୁଝର ଜିଲ୍ଲାରେ ପଡ଼ିବ ବୋଲି କୁହାଯାଉଛି।