ଏତଲା ରଦ୍ଦ ମାମଲା : ସନାତନ ମହାକୁଡ଼ଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ : ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଝଟ୍‌କା ଲାଗିଛି। କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନାରେ ରୁଜୁ ମାମଲାକୁ ରଦ୍ଦ କରିବା ପ୍ରସଂଗ ନେଇ ଶ୍ରୀ ମହାକୁଡ଼ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮, ଡିସେମ୍ବର ୧୬ରେ ବାମେବାରୀ ଥାନାରେ ବଳଭଦ୍ର ପାତ୍ରଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ତତ୍କାଳୀନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ଆଇପିସିର ଦଫା ୪୬୭, ୪୬୮, ୪୭୧, ୪୨୦, ୫୦୬, ୩୮୫, ୩୮୬, ୧୨୦-ବିରେ ପୁଲିସ ମାମଲା ରୁଜୁ କରିଥିଲା। ଏହି ମାମଲା ରୁଜୁ ହେବା ପରେ ତଦନ୍ତ ସମୟରେ ପୁଲିସ ଶ୍ରୀ ମହାକୁଡ଼ଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଥିଲା। ଏପରି ଅଭିଯୋଗରେ କୌଣସି ସତ୍ୟତା ନଥିବା ଦର୍ଶାଇ ଶ୍ରୀ ମହାକୁଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜନୈତିକ ଉଦ୍ଦେଶ୍ୟ ନେଇ ତାଙ୍କ ବିରୋଧରେ ଏପରି ମାମଲା ରୁଜୁ କରାଯାଇଥିଲା ବୋଲି ଆବେଦନରେ ଉ‌ଲ୍ଲେଖ କରାଯାଇଥିଲା। ମାମଲାରେ ରାଜ୍ୟ ସରକାର, ବାମେବାରୀ ଥାନା ଆଇଆଇସି, ବଳଭଦ୍ର ପାତ୍ର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର