ଭୁବନେଶ୍ବର: ନେପାଳରେ ଫେରିବ ଶାନ୍ତି, ସୁଧପରିବ ସ୍ଥିତି । ଯେଉଁ ହିଂସାର ନିଆଁ ହୁତୁହୁତୁ ହୋଇଛି ଜଳୁଥିଲା ତାହା ଆଜି ଯଦିଓ ଲିଭି ଲିଭି ଆସୁଛି.. ଏହି ସମୟରେ ନେପାଳକୁ ନିଜ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଏବଂ ନେପାଳରେ ପୁନଃ ଶାନ୍ତି ପ୍ରତିଷ୍ଠା କରିବାକୁ ଅପିଲ୍ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନିଜ ବାଲୁକା କଳା ମାଧ୍ଯମରେ ସେ ନେପାଳରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ପୁରୀ ବେଳାଭୂମିରେ ଏହି ବାଲୁକା କଳା କରି ନେପାଳକୁ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ।

Advertisment

G0fvTr7bEAELDvH

ନିଜ ସୋସିଆଲ ମିଡିଆରେ ବାଲୁକା କଳାର ଫଟୋ ଏବଂ ଭିଡିଓ ପୋଷ୍ଟ କରି ସେ ଏହି ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆଉ କହିଛନ୍ତି- ହିଂସାରେ ଯେଉଁକ୍ଷତି ଘଟିଛି, ଯେଉଁ ଜୀବନ ଯାଇଛି ତାହା ଦୁଃଖ ଦାୟକ । ଏହି କଳା ମାଧ୍ଯମରେ ମୁଁ ସମସ୍ତଙ୍କୁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ନେପାଳ ଶାନ୍ତି ପ୍ରିୟ ଦେଶ, ପୁଣି ଥରେ ସେହି ସମୟ ଫେରିଆସୁ… 

ତେବେ ନେପାଳରେ ଧିରେଧିରେ ସ୍ବାଭାବିକ ହେଉଛି ସବୁକିଛି । ସୁଧୁରୁଛି ସ୍ଥିତି, ଫେରୁଛି ଶାନ୍ତି । ନେପାଳରେ ଆଜି ନୂଆ ସକାଳ ସହ ନୂଆ ଆଶା ନେଇ ଉଇଁଛି ସୂରୁଜ । ରାତିରେ ନାଇଟ କର୍ଫ୍ୟୁ ଥି୍ବା ବେଳେ ସକାଳେ ସକାଳେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଯଦିଓ ପୂର୍ବ ପରି ପୂରା ଦୋକାନ ବଜାର ଖୋଲିନି ମାତ୍ର କାଁ ଭାଁ ଖୋଲିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଗାଡ଼ି ଗଡିଛି । ସଫେଇ କର୍ମଚାରୀ ରାସ୍ତା ସଫେଇ କରିଛନ୍ତି । 

WhatsApp Image 2025-09-11 at 09.18.00

ଗତ ଦୁଇ ଦିନ ତଳେ ଜଳୁଥିବା ନେପାଳ ଛାତିରେ ଆଜି ପଡିଛି ବର୍ଷା ଟୋପା । ସକାଳେ ସକାଳେ ବର୍ଷା ହେବା ସହ କାଠମାଣ୍ଡୁରେ ଜନଜୀବନ ସ୍ବାଭାବିକ ଅବସ୍ଥାକୁ ଫେରୁଛି । ରାସ୍ତା ଦୂର ଦୂର ଯାଏଁ ଶୂନଶାନ ଦେଖିବାକୁ ମିଳୁଥିବା ବେଳେ ଲୋକେ କାଁ ଭାଁ ଲୋକେ ଯାତାୟତ କରୁଛନ୍ତି । ଜରୁରୀକାଳୀନ ସେବାରେ ଥିବା ଲୋକେ ନିଜ ନିଜ କର୍ମସ୍ଥଳୀକୁ ଯାଉଥିବା ଦେଖିବାକୁ ମିଳିଛି । ସେପଟେ ବସ ଚଳାଚଳ ବି କରିଛି ।

ସଂଧ୍ଯା ୫ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁଥିବା ବେଳେ ଆଜି ନାଇଟ କର୍ଫ୍ୟୁ ଉଠିବାର ନିଷ୍ପତ୍ତି ଥିଲା ମାତ୍ର ପରିସ୍ଥିତି ଦେଖି ପରବର୍ତ୍ତୀ ଆଦେଶ ଯାଏଁ ଏହା ବଳବତ୍ତର ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସେପଟେ ଦୁଇ ଦିନ ତଳେ ଯେଉଁଠି ଜେନ ଜେଡର ଯୁବପିଢିମାନେ ହୋହଲ୍ଲା, ହଙ୍ଗାମା, ଜଳାପୋଡା, ଭଙ୍ଗାରୁଜା କରିଥିଲେ ଗତକାଲି ସେଠି ସେମାନେ ପୁଣି ଥରେ ଏକଜୁଟ ହୋଇ ସଫେଇ କାମରେ ଲାଗି ପଡିଛନ୍ତି । ଶତାଧିକ ଯୁବପିଢି ଏକାଠି ହୋଇ ଭଙ୍ଗା କାଚ, ଇଟା ପଥର, ଜଳାପୋଡା ଗାଡି ସବୁ ସଫା କରୁଛନ୍ତି । ରାସ୍ତାକୁ ସ୍ବଚ୍ଛ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯାହା ସୂଚାଉଛି କି ନେପାଳରେ ଏବେ ସ୍ଥିତି ସୁଧୁରୁଛି ।