ଅଭିମନ୍ୟୁ ବାଲିଆ : ଯାଜପୁର ଜିଲ୍ଲା ବରୀ ତହସିଲ୍ କର୍ମଚାରୀଙ୍କୁ ବାଲିମାଡ଼। ବାଲିଗାଡ଼ି ଅଟକାଇବାରୁ ଅପ୍ରତ୍ୟାଶିତ ଭାବେ ଏହିଭଳି ଆକ୍ରମଣର ଶିକାର ହୋଇଛନ୍ତି କର୍ମଚାରୀ। ବାଲି ପଡ଼ିଥିବା ଯୋଗୁ କର୍ମଚାରୀ ଚାହିଁ ନପାରିବାରୁ ଏହାର ସୁଯୋଗରେ ଗାଡ଼ିର ମାଲିକ ଓ ଡ୍ରାଇଭର ଚମ୍ପଟ ମାରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ଘଟଣା ସୂତ୍ରରୁ ପ୍ରକାଶ ଯେ ବରୀ ତହସିଲର ରାଜାତୋଟା ବ୍ରାହ୍ମଣୀ ନଦୀରେ ସୈରାତ ନିଲାମ ହୋଇଛି। ତେବେ, ବେଆଇନ ଭାବେ ନଦୀରୁ ବାଲି ଉଠାଯାଉଛି ଏବଂ ଏଥିପାଇଁ ସରକାରଙ୍କ ରାଜସ୍ବ ହାନି ହେଉଥିଲା। ଏ ସଂକ୍ରାନ୍ତରେ ଅଭିଯୋଗ ପରେ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ତିଳୋତ୍ତମା ପୃଷ୍ଟି ରାଜସ୍ବ ନିରୀକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ବ କର୍ମଚାରୀମାନେ ସେଠାରେ ପହଞ୍ଚି ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇଥିଲେ।
ଏହିସମୟରେ ବାଲିବିଲ ପଞ୍ଚାୟତ କେଁକରଡ଼ା ଗ୍ରାମର ଟ୍ରାକ୍ଟର ମାଲିକ ନରେନ୍ଦ୍ର ସାମଲ ସେଠାରେ ତହସିଲ କର୍ମଚାରୀମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନଙ୍କ ଉପରକୁ ବାଲି ଫୋପାଡ଼ିବାରୁ କର୍ମଚାରୀଙ୍କ ଆଖିରେ ପଡ଼ିଥିଲା। ଏ ସଂପର୍କରେ କର୍ମଚାରୀମାନେ ବରୀ ତହସିଲଦାରଙ୍କୁ ଅବଗତ କରିଥିଲେ। ବରୀ-ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପ​ରେ ଥାନା ପକ୍ଷରୁ ୯୮/୨୩ ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି।