ପୁରୀ: ପୁରୀ-ବାଲୁଖଣ୍ଡ ଅଭୟାରଣ୍ୟ ପ୍ରକୃତିର ଅନନ୍ୟ ସୃଷ୍ଟି। ବଙ୍ଗୋପସାଗର କୂଳରେ ଏହି ଅଭୟାରଣ୍ୟ ସୃଷ୍ଟି ପଛରେ ଅନେକ ଲୋକଙ୍କ ଅବଦାନ ରହିଛି। ସାରା ଭାରତବର୍ଷରେ ସମୁଦ୍ରକୂଳରେ ଏଭଳି ଅଭୟାରଣ୍ୟ ନାହିଁ। ଏହା ଅନେକ ଜୀବଜନ୍ତୁଙ୍କୁ ନିଜ କୋଳରେ ବାସଦେଇଛି। ପୁରୀ-ବାଲୁଖଣ୍ଡ ଜଙ୍ଗଲକୁ ଅଭୟାରଣ୍ୟ ମାନ୍ୟତା ମିଳିବାର ୪୦ ବର୍ଷ ବିତିଲାଣି, ତଥାପି ଆଜି ପର୍ଯ୍ୟନ୍ତ ଏହାର ଜୈବ ବିବିଧତା ଅନୁଧ୍ୟାନ ହୋଇପାରିନି। ଗୁରୁତ୍ବପୂର୍ଣ୍ଣ ହେଉଛି, ବାଲି ଉପରେ ଗଢ଼ି ଉଠିଥିବା ଏହି ଅଭ୍ୟୟାରଣ୍ୟରେ ଏଭଳି ଅନେକ ଉଦ୍ଭିଦ ଆଦି ରହିଥିଲା, ଯାହା ଅଭୟାରଣ୍ୟର ଗଛପତ୍ର ସହ ବାଲିବନ୍ତର ସୁରକ୍ଷା ଦେଇଆସୁଥିଲା। କିନ୍ତୁ ଜୈବିକ ଶୃଙ୍ଖଳ ବିଗିଡ଼ିବା କାରଣରୁ ଏହି ବିରଳ ଉଦ୍ଭିଦ ସହ ଏହା ଉପରେ ନିର୍ଭରଶୀଳ ବନ୍ୟଜନ୍ତୁ ନିଶ୍ଚିହ୍ନ ହୋଇଗଲେଣି। ବାକି ଯେଉଁ ଉଦ୍ଭିଦ ଓ ବନ୍ୟଜନ୍ତୁ ବଞ୍ଚିଛନ୍ତି, ତାହା ଏବେ ବିଲୁପ୍ତ ପଥରେ।

Advertisment

ଭୌଗୋଳିକ ଦୃଷ୍ଟିକୋଣରୁ ତଥା ବନ୍ୟଜନ୍ତୁଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ୧୯୮୪ ମସିହାରେ ପୁରୀ ସମୁଦ୍ରକୂଳରେ ୮୭ ବର୍ଗ କିଲୋମିଟର ବ୍ୟାପ୍ତ ଏହି ଜଙ୍ଗଲକୁ ସରକାର ଅଭୟାରଣ୍ୟ ଘୋଷଣା କରିଥିଲେ। ଅନେକ ପ୍ରାଣୀ ବିଶେଷଜ୍ଞ ଏହି ଅଭୟାରଣ୍ୟ ଉପରେ ଗବେଷଣା ବି କରିଛନ୍ତି। ପ୍ରାଣୀ ବିଶେଷଜ୍ଞଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରାୟ ୩ଶହ ପ୍ରଜାତିର ବିରଳ ଉଦ୍ଭିଦ, ୩୦ରୁ ଅଧିକ ପ୍ରଜାତିର ବନ୍ୟଜନ୍ତୁ, ୨୦ ପ୍ରକାରର ସାପ, ୨ଶହରୁ ଅଧିକ ପ୍ରଜାତିର ପକ୍ଷୀ(ବିଦେଶାଗତ ପକ୍ଷୀ ସମେତ) ରହୁଥିଲେ। ବନ୍ୟଜନ୍ତୁଙ୍କ ଉପରେ ନଜର ପକାଇଲେ, ଏଠାରେ ଅତୀତରେ କୃଷ୍ଣସାର ମୃଗ, ଚିତା ହରିଣ, ଫିସିଂ କ୍ୟାଟ୍‌, ଗାଡ଼ଭାଲୁ, ଓଧ, କୋକିଶିଆଳି, ଗଧିଆ, ଝିଙ୍କ ଆଦି ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ଥିଲେ। ଏବେ କୃଷ୍ଣସାର ମୃଗ, ଫିସିଂ କ୍ୟାଟ୍‌, ଝିଙ୍କ, ଗାଡ଼ଭାଲୁ ଭଳି ଅନେକ ବନ୍ୟଜନ୍ତୁ ନିଶ୍ଚିହ୍ନ ହୋଇଗଲେଣି। ବଞ୍ଚି ରହିଥିବା ଓଧ, କୋକିଶିଆଳିଙ୍କ ସଂଖ୍ୟା ବି ଉଦ୍‌ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛନ୍ତି। ଉଦ୍ଭିଦ ଉପରେ ନଜର ପକାଇଲେ ଆଙ୍କୁଲ, ଅରା, ଗୁଆକୋଳି, ‌ହିଙ୍ଗାଳ, ତାଳଗଛ, କଂସାରି ସହ କଣ୍ଟେଇ କୋଳି, ବେତକୋଳି, ଚାଉଳଧୁଆ କୋଳି ଭଳି ଅନେକ ଔଷଧୀୟ ବୃକ୍ଷ ବି ରହିଥିଲା। ଏବେ କେବଳ ଝାମୁ, କାଜୁ, ଆକାଶିଆ ଗଛକୁ ଛାଡ଼ିଦେଲେ ବାକି ଗଛ ପ୍ରାୟ ଲୋକ ପାଇଗଲାଣି। ସେପଟେ ସମୁଦ୍ର ଓ ଜଙ୍ଗଲ ଭିତରେ ଗଢ଼ି ଉଠିଥିବା ବାଲିବନ୍ତକୁ ସୁରକ୍ଷା ଦେଉଥିବା ବିଭିନ୍ନ ଲତାବୁଦା ଆଦି ଲୋପ ପାଇଯିବା ପରେ ବାଲିବନ୍ତ ବି କ୍ରମେ ନିଶ୍ଚିହ୍ନ ହେବାରେ ଲାଗିଛି।

ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆକାଶ ରଥ କହନ୍ତି ପ୍ରତି ୮/୯ ବର୍ଷରେ ଥରେ ବନ୍ୟଜନ୍ତୁଙ୍କ ଭିତରେ ଖାଦ୍ୟ ଶୃଙ୍ଖଳ ପାଇଁ ଅଭୟାରଣ୍ୟର ଜୈବ ବିବିଧତା ଅନୁଧ୍ୟାନ ହେବାର ନିୟମ ରହିଛି। ଜୈବ ବିବିଧତା ଅନୁଧ୍ୟାନ ହେଲେ କେଉଁ ପ୍ରାଣୀ ପାଇଁ କେଉଁ ପରିବେଶ ଅନୁକୂଳ, ତାହା ଜଣାପଡ଼ିଥାଏ। ଫଳରେ ବନ୍ୟଜନ୍ତୁ ସୁରକ୍ଷିତ ରହିବା ସହ ଜଙ୍ଗଲ ବି ସୁରକ୍ଷିତ ରହିଥାଏ। ବନ୍ୟଜନ୍ତୁଙ୍କ ମଧ୍ୟରେ ଶୃଙ୍ଖଳ ବି ଠିକ୍‌ ରହିଥାଏ। କିନ୍ତୁ ବାଲୁଖଣ୍ଡ ଅଭୟାରଣ୍ୟରେ ଥରୁଟିଏ ବି ଜୈବ ବିବିଧତା ଅନୁଧ୍ୟାନ ହୋଇନି। ଏନେଇ ବାରମ୍ବାର ବନବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସଂପର୍କରେ ପୁରୀ ଡିଏଫଓ ବିବେକ କୁମାର କହନ୍ତି ଜୈବ ବିବିଧତା ଅନୁଧ୍ୟାନ ଏକ କଠିନ କାର୍ଯ୍ୟ। ଏଥିପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବ। ଇତିମଧ୍ୟରେ ଆମେ ଉଦ୍ଭିଦ, ଜୀବଜନ୍ତୁଙ୍କ ବର୍ଗୀକରଣ ସହ ପକ୍ଷୀ ଗଣନା କରାଯାଇଛି ବୋଲି ସେ କହିଛନ୍ତି।