କଟକ: ଫେବ୍ରୁଆରି ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବାଲିଘାଟରୁ ବାଲି ଉତ୍ତୋଳନ ଉପରେ ଅଙ୍କୁଶ ଜାରି ରହିଛି। ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ପୂର୍ବରୁ ଜାରି କରାଯାଇଥିବା ବିଜ୍ଞପ୍ତିର ଆଂଶିକ ପରିବର୍ତ୍ତନ ସଂପର୍କରେ ତଥ୍ୟ ରଖାଯାଇଥିଲା। ପୂର୍ବରୁ ଯେଉଁ ୧୫ଟି ବାଲିଘାଟକୁ ବନ୍ଦ କରାଯାଇଥିଲା, ପରେ ତାହାକୁ ଚାଲୁ କରିବାକୁ ଦିଆଯିବା ଘଟଣାରୁ ବିବାଦ ସୃଷ୍ଟି ହୋଇଥିଲା, ଏବେ ତାହାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ସେହିଭଳି କେନ୍ଦ୍ର ସରକାରଙ୍କ ବାଲି ନୀତି-୨୦୧୬ ଅନୁଯାୟୀ ବାଲିଘାଟରୁ ବାଲି ଉତ୍ତୋଳନ ସହିତ ପରିବେଶ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ୨୦୧୬ର ବାଲି ନୀତି ସଂପୂର୍ଣ୍ଣ ଭାବେ ଶ୍ରମିକଙ୍କ ଦ୍ବାରା ବାଲି ଉତ୍ତୋଳନକୁ ପ୍ରାଧାନ୍ୟ ଦେଉଥିବା ବେଳେ ସରକାର ଏହାକୁ କିଭଳି ଭାବେ କାର୍ଯ୍ୟକାରୀ କରିବେ ବୋଲି ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ଫଳରେ ଆସନ୍ତା ୫ ତାରିଖରେ ଆଡଭୋକେଟ୍ ଜେନେରାଲ୍ ଅଦାଲତଙ୍କୁ ଏ ସଂପର୍କରେ ସ୍ପଷ୍ଟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶାନ୍ତ କୁମାର ଦାସଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କଟକ କାଠଯୋଡି ନଦୀ ଶଯ୍ୟାରୁ ସରକାରଙ୍କ ନିୟମାବଳୀ ଉଲ୍ଲଘଂନ କରି ଯାନ୍ତ୍ରିକ ପଦ୍ଧତି ତଥା ଏସ୍କ୍ୟାଭେଟର ଜରିଆରେ ବାଲି ଉତ୍ତୋଳନ କରାଯାଉଥିବା ଓ ସକାଳ ୭ଟାରୁ ରାତି ୧୦ଟା ମଧ୍ୟରେ ବେଆଇନ ଭାବେ ବାଲି ଚାଲାଣ ପାଇଁ ବାୟୁ ପ୍ରଦୂଷଣ ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ପ୍ରଶାନ୍ତ କୁମାର ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ କଟକ ଜିଲ୍ଲାର ବାଲିଘାଟ ଗୁଡିକରେ ବାଲି ଉତ୍ତୋଳନ ଉପରେ ଅଙ୍କୁଶ ଜାରି କରାଯାଇଥିଲା। କିନ୍ତୁ ସେହି ସମୟରେ ସରକାରଙ୍କ ଖଣି ବିଭାଗ ପକ୍ଷରୁ ଏକ ସଂଶୋଧିତ ବିଜ୍ଞପ୍ତି ଜାରି କରି ବାଲିଘାଟରୁ ବାଲି ଉତ୍ତୋଳନକୁ ଅନୁମତି ଦିଆଯିବାରୁ ହାଇକୋର୍ଟ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ରାଜ୍ୟର ସବୁ ବାଲିଘାଟରୁ ବାଲି ଉତ୍ତୋଳନ ଉପରେ ଅଙ୍କୁଶ ଜାରି କରିଥିଲେ। ଆବେଦନକାରୀ ପ୍ରଶାନ୍ତ କୁମାର ଦାସଙ୍କ ତରଫରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଛନ୍ତି।