ବିନାନୁମତିରେ ତୁମକେଲା-ପ୍ରଧାନପଲ୍ଲୀ ବାଲୁଘାଟରୁ ବାଲି ଉଠୁଛି

ବାଲି ମାଫିଆ-ତହସିଲ କର୍ତ୍ତୃପକ୍ଷଙ୍କ ଅସାଧୁ ମେଣ୍ଟ ସନ୍ଦେହ

ରାଉରକେଲା: ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିନଥିବା ବାଲୁଘାଟରୁ ଚୋରାରେ ବାଲି ଚାଲାଣ ହେଉଥିଲା। ଉକ୍ତ ଚୋରା ବାଲି ଭର୍ତ୍ତି ଟ୍ରକ୍‌ ଜଣେ ଅବସରପ୍ରାପ୍ତ ସୈନିକଙ୍କୁ ଧକ୍କା ଦେବାରୁ ସମଗ୍ର ଘଟଣା ନଜରକୁ ଆସିଥିଲା। ସେକ୍ଟର-୧୫ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଜବତ କରିଥିବାବେଳେ ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇନି। ବିଡ଼ମ୍ବନା, ଏନେଇ ରାଉରକେଲା ତହସିଲ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ। ଘଟଣା ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ତହସିଲ କର୍ତ୍ତୃପକ୍ଷଙ୍କ ନଜରକୁ ନ ଆସିବା ପଛରେ ଭିନ୍ନ କାରଣ ଲୁଚିରହିଥିବା ଆଲୋଚନା ହେଉଛି।

ଗତ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସେକ୍ଟର-୧୬, ଏ-୧୯୪ କ୍ବାର୍ଟର ପାର୍ଶ୍ୱ ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ୍‌(ଓଡି-୧୪-ଏ-୧୨୧୮) ଜଣେ ଅବସରପ୍ରାପ୍ତ ସୈନିକଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହେବାରୁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ୩ ଦିନ ବିତିଲାଣି; ତଥାପି କୌଣସି ମାମଲା ରୁଜୁ ହୋଇନି କିମ୍ବା ତହସିଲ କର୍ତ୍ତୃପକ୍ଷ ବି ଅବଗତ ନୁହନ୍ତି। ରୀତିମତ ବାଲି ଚୋରି ଘଟଣାରେ ବାଲିମାଫିଆ-‌ତହସିଲ କର୍ତ୍ତୃପକ୍ଷଙ୍କକ ଅସାଧୁ ମେଣ୍ଟ ଅଭିଯୋଗ ହୁଏ।

ଉଲ୍ଲେଖଯୋଗ୍ୟ, ପାନପୋଷ ତହସିଲ ଅଧିନରେ ୭ଟି ବାଲୁଘାଟ ରହିଛି। ସେଗୁଡ଼ିକ ହେଲା,- ବାଲୁଘାଟ, କୋଏଲନଗର, ସେକ୍ଟର-୧୬ ତୁମକେଲା, ପ୍ରଧାନପଲ୍ଲୀ ତରକେରାରେ ଅବସ୍ଥିତ। ଏଥିମଧ୍ୟରୁ ୫ଟି ବାଲୁଘାଟର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ବାଲି ଉଠାଣ ପାଇଁ ଅନୁମତି ମିଳିସାରିଛି। ଅନ୍ୟ ଦୁଇ ବାଲୁଘାଟ, ଯଥା-ସେକ୍ଟର-୧୬ ତୁମକେଲା ଓ ପ୍ରଧାନପାଲି ବାଲୁଘାଟର ମଧ୍ୟ ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି; କିନ୍ତୁ ଅତ୍ୟାବଶ୍ୟକ ପରିବେଶ ସମ୍ବନ୍ଧିତ ଅନୁମତି ମିଳିପାରିନି। ଏଣୁ ଏହି ଦୁଇଟି ବାଲୁଘାଟରୁ ବାଲିଉଠାଇବା ସଂପୂର୍ଣ୍ଣ ବେଆଇନ। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଗତିପଥରୁ ଏହା ସ୍ପଷ୍ଟ ହୁଏ ଯେ, ଏହା ତୁମକେଲା ବାଲୁଘାଟରୁ ହିଁ ଆସୁଥିଲା। ସେକ୍ଟର-୧୫ ପୁଲିସ ଟ୍ରକ୍‌କୁ ଜବତ କରିଥିବାବେଳେ ଲିଖିତ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ପୁଲିସ ସୂଚନା ଦେଇଛି।

ଅପରପକ୍ଷରେ ସମଗ୍ର ଘଟଣା ନେଇ ତହସିଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ। ଏନେଇ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ କହିଲେ, ଏ ଘଟଣା ଆମ ନଜରକକୁ ଆସିନି। ଏନେଇ ସେକ୍ଟର-୧୫ ପୁଲିସ ପକ୍ଷରୁ ମଧ୍ୟ ଆମକୁ ସୂଚନା ଦିଆଯାଇନି। କୁଆରମୁଣ୍ଡା ତହସିଲ ଅନ୍ତର୍ଗତ ବିଜୁ ଘାଟ ଓ ପସରା ଘାଟରୁ ମଧ୍ୟ ବାଲି ଉଠାଣ ‌ହୋଇ ଏହି ସମାନ ରାସ୍ତାରେ ଆସିଥାଏ। ଏଣୁ ଉକ୍ତ ବାଲି ବୋଝେଇ ଟ୍ରକ୍‌ ନିର୍ଦ୍ଦିଷ୍ଟ କେଉଁ ବାଲୁଘାଟରୁ ଆସୁଥିଲା, ତାହା ତଦନ୍ତ ହେଲେ ଜଣାପଡ଼ିବବୋଲି କହିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଚୋରାଚାଲାଣ ନିତିଦିନିଆ। ପ୍ରତିଦିନ ଟ୍ରକ୍‌, ଡମ୍ପରରେ ବାଲି ଚୋରାଚାଲଣ ହେଉଛି। ସମ୍ଭବତଃ ଅନୈତିକ ଭିତିରିଆ ସଲାସୁତୁରା ଯୋଗୁଁ ତହସିଲ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପୁଲିସ ସବୁଜାଣି ଚୁପ୍‌ ବସିଛି।

ସମ୍ବନ୍ଧିତ ଖବର