ଭୁବନେଶ୍ବର: ବିଧାନସଭାରେ ଆଜି ପ୍ରଶ୍ନକାଳରେ ବାଲି ତାତି। ଉଭୟ ବିଜେପି ଓ କଂଗ୍ରେସ ବାଲି ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ରାଜ୍ୟରେ ହେଉଛି ବ୍ୟାପକ ବାଲିଚୋରି  ଏବଂ ରାଜ୍ୟରେ ବାଲି ନୀତି ନାହିଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ସଦସ୍ୟ।

Advertisment

ସରକାର କାହିଁକି  ବାଲି ନୀତି ଆଣିନାହାନ୍ତି ଏବଂ ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ପ୍ରଶ୍ନ କଲା ବିଜେପି। ଏହି ନୀତି କାର୍ଯ୍ୟ କରିବା ପାଇଁ ବୈଠକ ବସିଥିଲା, ମାତ୍ର ୨୦୧୮ ମସିହାରୁ ଏଯାଏ କୌଣସି ତର୍ଜମା ହୋଇନାହିଁ ବୋଲି ଚୋରି ହେଉଥିବା ମୋହନ ମାଝି ଅଭିଯୋଗ କରିଛନ୍ତି । ବାଲି ବାବଦରେ ୧୫୦୦ କୋଟି ପାଉଛନ୍ତି । ଚୋରି ହେଉଥିବାରୁ ୪ରୁ ୫ ହଜାର କୋଟି ହରାଉଛି ରାଜ୍ୟ।
ବାଚସ୍ପତି ମଧ୍ୟ ଏନେଇ ଉଦବେଗ ପ୍ରକାଶ କଲେ। ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲିଚାଲାଣ ହେଉଛି। ତିନି ବର୍ଷ ହେଲା ବାଲିନୀତି କାହିଁକି କାର୍ଯ୍ୟକାରୀ କରୁନ ବୋଲି ବାଚସ୍ପତି ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ।
ଠିକ୍ ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବାଲି ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ରାଜସ୍ବ ପାଉଛନ୍ତି, କିନ୍ତୁ ୫ ହଜାର କୋଟି ରାଜସ୍ବ ହରାଉଛନ୍ତି।
ଗୃହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ଉତ୍ତରରେ କହିଛନ୍ତି, ବାଲି ନୀତିକୁ ତର୍ଜମା କରୁଛୁ। ଏଯାବତ ବିଦେଶକୁ ବାଲିଚାଲାଣ ହୋଇନାହିଁ। କେବଳ ଦୁଇ ତିନିଟି ରାଜ୍ୟକୁ ଦିଆଯାଉଛି। ବାଲିର ମୂଲ୍ୟ ନିର୍ଦ୍ଧାରଣ କରାଯାଇନି। ତେବେ ଘାଟ ନିଲାମ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି।

ସେ ଆହୁରି ମଧ୍ୟ କହିଛନ୍ତି,  ରାଜ୍ୟର୧୪୪ ତାହସିଲକୁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି, ଯେଉଁଠି ଅଧିକ ମାତ୍ରାରେ ବାଲି ଚୋରାଚାଲାଣ ଜରାଯାଉଛି। ସେଠି ଅଧିକ ଅଫିସର, ଆରଆଇ ଓ ଅମିନଙ୍କୁ ନିଯୁକ୍ତି ଦିଆଯାଇଛି। ଚୋରା ଚାଲାଣ ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଜଣେ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନେ ବାଲି ଚୋରାଚାଲାଣ ରୋକିବାକୁ ଉଦ୍ୟମ କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ଗୃହରେ କହିଛନ୍ତି।