ବାଲି ମାଫିଆଙ୍କୁ ସୁହାଉଛି କରୋନା କର୍ଫ୍ୟୁ : ରାତିର ଅନ୍ଧାରରେ ହଜାର ହଜାର ହାଇୱା ବାଲି ଲୁଟ୍

ପ୍ରଶାସନ ଜାଣି ଅଜଣା, ତଥ୍ୟ ଦେବାକୁ କୁନ୍ଥୁୁକୁନ୍ଥୁ

ଜଗତସିଂହପୁର ଟାଉନ୍ : ବାଲି ମାଫିଆଙ୍କୁ ସୁହାଉଛି କରୋନା କର୍ଫ୍ୟୁ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଳାରେ କର୍ଫ୍ୟୁ ଲଗାଯାଇଛି। କିନ୍ତୁ ଏହି ସମୟରେ ବାଲି ମାଫିଆମାନେ ଜିଲ୍ଲା ସାରା ବିଭିନ୍ନ ବାଲି ସୌରାତରୁ ହଜାର ହଜାର ହାଇୱା ବାଲି ବେଆଇନ ଭାବେ ଉଠାଇ ନେଉଛନ୍ତି। ଗତ ମାର୍ଚ୍ଚ ମାସରୁ ୫ ବର୍ଷିଆ ଅବଧି ସରିଥିଲେ ହେଁ ସ୍ୱଳ୍ପ କିଛି ଟଙ୍କା ଦେଇ ସମୟ ବଢ଼ାଇଥିବା ସୂଚନା ମିଳିଛି । ହେଲେ ରାତିର ଅନ୍ଧାର ଭିତରେ କେମିତି ବାଲି ଉଠାଯାଉଛି ତାହା ତଦନ୍ତ ସାପେକ୍ଷ। କେମିତି ସରକାରୀ ବାବୁ ଜାଣି ପାରୁନାହାନ୍ତି ନା ନାଣି ଅଜଣା ହେଉଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ପଟେ ବାଲିଘାଟକୁ ନେଇ ସରକାରୀ ଅଧିକାରୀ ତଥ୍ୟ ଲୁଚାଇବାକୁ ନେଇ ପ୍ରଶାସନ ଉପରେ ସନ୍ଦେହ ହେଉଛି ।

ତଥ୍ୟ ଅନୁସାରେ ଜଗତସିଂହପୁରରେ ତିର୍ତୋଲ ତହସିଲ ଅଧିନରେ ୭ଟି, ବିରିଡ଼ି ତହସିଲ ଅଧିନରେ ୩ଟି, ରଘୁନାଥପୁର ତହସିଲ ଅଧୀନରେ ୩ଟି, ନାଉଗାଁ ତହସିଲ ଅଧିନରେ ୩ଟି ଏବଂ ଜଗତସିଂହପୁର ତହସିଲ ଅଧିନରେ ୨ଟି ମୋଟ ୧୮ଟି ବାଲି ଘାଟ ରହିଛି। ସମସ୍ତ ବାଲିଘାଟ ପାଇଁ ୫ ବର୍ଷିୟା ଟେଣ୍ଡର କରାଯାଇଛି। କିନ୍ତୁ ଟେଣ୍ଡର ନେଇଥିବା ବାଲିଠାରୁ ହଜାର ଗୁଣ ଅଧିକ ବାଲି ବେଆଇନ ଭାବେ ଚାଲଣ କରାଯାଉଛି। ହେଲେ ଅଧିକାରୀମାନେ ଏହା ଉପରେ ରୋକ୍ ଲଗାଉ ନାହାନ୍ତି। ବର୍ଷକୁ କୋଟି କୋଟି ଟଙ୍କା ଲାଭ ହେଉଥିବାରୁ ଏଥିପାଇଁ ଗ୍ୟାଙ୍ଗୱାର ହେଉଛି। ଜିଲ୍ଲାର କିଛି ସରକାରୀ ଅଧିକାରୀ, ପୁଲିସ ଅଧିକାରୀଙ୍କୁ ହାତରେ ରଖି ଏହି ବାଲି ମାଫିଆମାନେ ବର୍ଷ ବର୍ଷ ଧରି ସରକାରଙ୍କ ରାଜସ୍ୱ ଲୁଟ୍ କରୁଛନ୍ତି। ଆବଶ୍ୟକ ପରିମାଣଠାରୁ ଅଧିକ ବାଲି ଉଠାଯାଉଛି। ଏହାର ପ୍ରତିବାଦ କଲେ ଧମକ ଦେଉଛନ୍ତି ମାଫିଆ। ଫଳରେ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଥିଲେ ହେଁ ପ୍ରତିବାଦ କରିବାକୁ ବାହାରୁନାହାନ୍ତି।

୨୦୧୫ ମସିହାରେ ଆଳିପିଙ୍ଗଳ ବାଲି ଘାଟକୁ ରବୀନ୍ଦ୍ର ନାଥ ଜେନା ଲିଜ୍‌ରେ ନେଇଥିଲେ। ବର୍ଷକୁ ୮ ହଜାର କ୍ୟୁବିକ୍ ମିଟର ବାଲି ଉଠାଇବା ପାଇଁ ୧୭ ଲକ୍ଷ ୭୬ ହଜାର ରୟାଲିଟି ଧାର୍ଯ୍ୟ ହୋଇଥିଲା। ହେଲେ ଧାର୍ଯ୍ୟ ଲକ୍ଷ ଠାରୁ ହଜାର ଗୁଣ ବାଲି ଉଠାଯାଉଛି। ଦିନ ରାତି ଏଠାରୁ ବାଲି ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ଏବେ କରୋନା ପାଇଁ କର୍ଫ୍ୟୁ ହୋଇଥିବାରୁ ରାତିର ଅନ୍ଧାରରେ ପ୍ରୋକ୍ଲିନ୍ ଓ ଜେସିବି ଲଗାଇ ନଦୀ ଗର୍ଭରୁ ହାଇୱାରେ ବାଲି ଉଠାଯାଉଛି । ରାତି ତମାମ୍ ପୁରୀ ଜିଲ୍ଲା ସମେତ ଜଗତସିଂହପୁର ମୁଖ୍ୟ ସହର ଦେଇ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାଲି ଯାଉଛି। ହେଲେ ପ୍ରଶାସନ କିମ୍ବା ପୁଲିସର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ନିୟମ ଅନୁସାରେ ରାତିରେ ବାଲି ଉଠାଣ ବେଆଇନ ହୋଇଥିଲେ ହେଁ କାହା ବଳରେ ଏଭଳି ବେଆଇନ କାମ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି। ନାଉଗାଁ ଶିଖର, ଏରଡ଼ା ବାଲି ଘାଟରେ ମଧ୍ୟ ସମାନ ଅବସ୍ଥା। ଏହା ବ୍ୟତୀତ ଅଙ୍ଗେଶ୍ୱରପଡା, ଭଟଣା, ଓଷକଣା ପଚଂୟତର ନଦୀ ଘାଟ, ଡାହାଣୀଖିଆ ଦେବୀ ନଦୀ ପଠାରୁ ବେଆଇନ ଭାବେ ବାଲି ଉଠୁଛି। ରଘୁନାଥପୁର ତହସିଲର ତାରପୁର, ଜୟପୁର, ନୂଆପଡ଼ା ବାଲିଘାଟରୁ ବି ବେଆଇନ ଭାବେ ବାଲି ଉଠା ଯାଉଛି। ତିର୍ତ୍ତୋଲରେ ବାଲି ଉଠାଣ ହେଉଥିବା ଅଭିଯୋଗ ପରେ ବାଲିପାଟଣା ଘାଟ ଉପରେ ଚଢ଼ାଉ କରି ତହସିଲଦାର ସୁଜାତା ପାତ୍ର ବନ୍ଦ କରିଛନ୍ତି। କିନ୍ତୁ ଆହୁରି ଏକାଧିକ ସ୍ଥାନରୁ ବେଆଇନ ଭାବେ ବାଲି ଉଠାଯାଉଛି। ହେଲେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ। ବାଲିମାଫିଆଙ୍କ ସଲାସୁତୁରାରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ୍‌ ହେଉଛି।

ଏନେଇ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଏବେ କୌଣସି ତଥ୍ୟ ଦେଇ ପାରିବି ନାହିଁ । କିନ୍ତୁ ରାତିରେ ଆମେ ପରମିସନ ଦେଇନାହିୁଁ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ନୂତନ ଭାବେ ଜିଲ୍ଲାରେ ଯୋଗ ଦେଇଥିବାରୁ ସେ ଏସମ୍ପର୍କରେ ଜାଣି ନଥିବା କହିଛନ୍ତି । ତେବେ କେମିତି ଜିଲ୍ଲା ଚାଲୁଛି ଏଥିରୁ ଅନୁମେୟ।

ସମ୍ବନ୍ଧିତ ଖବର