ବେତନଟୀ/ବଡ଼ସାହି/ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବେତନଟୀରେ ବାଲିଗାଡ଼ି ଜବତ କରିବାରୁ ବେତନଟୀ ତହସିଲଦାର, ଗାଡ଼ି ଚାଳକ ଏବଂ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ପରେ ଆକ୍ସନ ମୋଡ୍‌କୁ ଆସିଛି ପ୍ରଶାସନ ଓ ପୁଲିସ। ବିଭିନ୍ନ ସ୍ଥାନରେ ଚଢ଼ଉ କରି  ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ ବାଲି ଉତ୍ତୋଳନ ମେସିନ୍‌କୁ ଜବତ ସହ ଚୋରାବାଲି ନିଲାମ କରାଯାଇଛି।

Advertisment

ଗତକାଲି ଅପରାହ୍ଣରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ଓଡି-୧୧ଏଇ-୩୨୩୪ ନମ୍ବର ବିଶିଷ୍ଟ ବେଆଇନ ବାଲି ବୋଝେଇ ଟ୍ରାକ୍ଟର୍‌କୁ ଜବତ କରିଥିଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ୧୫ରୁ ୨୦ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ତହସିଲଦାର ଶ୍ରୀ ବେହେରା, ଗାଡ଼ି ଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ରାଜସ୍ବ ସୁପର୍‌ଭାଇଜର ହେମକାନ୍ତ ମହାନ୍ତ, ଯୁଗପୁରା ରାଜସ୍ବ ନିରୀକ୍ଷକ ସଞ୍ଜୀବ ମହାନ୍ତ ଓ ସତ୍ୟବ୍ରତ ନାୟକ ଆହତ ହୋଇଥିଲେ।

ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ‘କିଙ୍ଗ୍‌ ଅଫ୍‌ ମୟୂରଭଞ୍ଜ’କୁ ନେଇ ତଦନ୍ତ

Congress Meeting: ବିଭିନ୍ନ ପ୍ରସଙ୍ଗରେ ପ୍ରଶାସନକୁ ଘେରିବାକୁ କଂଗ୍ରେସର ଯୋଜନା

Reignition: ବିଜେଡିକୁ ଝଟକା! ନଗରପାଳଙ୍କ ସହିତ ଇସ୍ତଫା ଦେଲେ ୧୩ କାଉନ୍‌ସିଲର

ଏନେଇ ତହସିଲଦାରଙ୍କ ଏତଲା ଅନୁଯାୟୀ କେସ୍‌ ନମ୍ବର ୪୧୭/୨୫ରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଆକ୍ସନ ମୋଡ୍‌କୁ ଆସିଥିଲା ପ୍ରଶାସନ। ରାତିରେ ବେତନଟୀ ଏସ୍‌ଡିପିଓ ମିନତି ବିଶ୍ୱାଳଙ୍କ ନେତୃତ୍ୱରେ ବେତନଟୀ, ବଡ଼ସାହି ଓ ବୈଶିଙ୍ଗା ପୁଲିସର ଏକାଧିକ ଟିମ୍‌ ଚଢ଼ଉ କରି ମୁଖ୍ୟଅଭିଯୁକ୍ତ ବଡ଼ସାହି ଥାନା ବର୍ତ୍ତନା ଗ୍ରାମର ପ୍ରଶାନ୍ତ ଗାଆଣ ଏବଂ ତାଙ୍କ ସହଯୋଗୀ ସୁଶାନ୍ତ ଗାଆଣଙ୍କୁ ବେତନଟୀ ପାଖ ଜଙ୍ଗଲରୁ ଗିରଫ କରିଥିଲା। ସେହିପରି, ବାରିପଦା ଅଞ୍ଚଳରେ ଚଢ଼ଉ କରି ଜିଲ୍ଲାର ବାଲିମାଫିଆଙ୍କ ମୁଖିଆ କୁହାଯାଉଥିବା ‘କିଙ୍ଗ୍‌ ଅଫ୍‌ ମୟୂରଭଞ୍ଜ’ ନାମକ ଏକ ହ୍ବାଟ୍‌ସ-ଆପ୍‌ ଗ୍ରୁପ୍‌ ଚଳାଉଥିବା ଶୂନଗଡ଼ିଆ ଅଞ୍ଚଳର ମାଝାଲ ହୁସେନକୁ ଗିରଫ କରାଯାଇଥିଲା। ଆଜି ବେତନଟୀ ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଆଜି ମୟୂରଭଞ୍ଜ ଅତିରିକ୍ତ ଏସ୍‌ପି ଗୌତମ କିଷାନ ବେତନଟୀ ଥାନାରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି। ସେହିପରି, ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ାଙ୍କ ନେତୃତ୍ୱରେ ବେତନଟୀ ବିଡିଓ, ବେତନଟୀ, ବଡ଼ସାହି ଓ ବାରିପଦା ତହସିଲଦାର ଓ ଅତିରିକ୍ତ ତହସିଲଦାର ଏବଂ ଜିଲ୍ଲା ଖଣି ଅଧିକାରୀମାନଙ୍କୁ ନେଇ ଗଠିତ ସବ୍‌ଡିଭିଜନାଲ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦିନତମାମ ବଡ଼ସାହି ଓ ବେତନଟୀ ବ୍ଲକ୍‌ ଅଧୀନ ବର୍ତ୍ତନା, ହରିପୁର, ମାଧପୁର ଓ କାଠପାଳ ଆଦି ବୁଢ଼ାବଳଙ୍ଗ ନଦୀଘାଟରେ ଚଢ଼ଉ କରିଛି। ମାଧପୁର ଓ କାଠପାଳ ଘାଟରେ ଜମା କରାଯାଇଥିବା ବେଆଇନ ବାଲିକୁ ଦେଢ଼ଲକ୍ଷ ଟଙ୍କାରେ ନିଲାମ ହୋଇଛି। ସେହିପରି କାଠପାଳ ଘାଟରେ ବାଲି ଉତ୍ତୋଳନ ପାଇଁ ରଖାଯାଇଥିବା ଏକ ମେସିନ୍‌କୁ ଜବତ କରାଯାଇଛି। ଜବତ ହୋଇଥିବା ଏକ ମୋବାଇଲ୍‌ ଫୋ‌ନ୍‌ ଆଧାରରେ ‘କିଙ୍ଗ୍‌ ଅଫ୍‌ ମୟୂରଭଞ୍ଜ’ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌କୁ ନେଇ ତଦନ୍ତ ଚାଲିଛି। ସେହିପରି ଆକ୍ରମଣରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।