ମାତିଲେ ମାଫିଆ, ଅଫିସରେ ପଶି ପିଟିଲେ : ଅତିରିକ୍ତ ତହସିଲଦାରଙ୍କ ମୁଣ୍ତ ଫାଟିଲା, ଆର୍‌ଆଇଙ୍କ ସମେତ କର୍ମଚାରୀ ଲହୁଲୁହାଣ

ଗତ ମାସରେ ଜଣକୁ ଜେସିବି ଚଢ଼ାଇ ମାରିଥିଲେ

ଭଦ୍ରକ : ସୀମା ଟପିଗଲେଣି ବାଲି ମାଫିଆ। ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ସବୁଠି ଏମାନଙ୍କର ଦୌରାତ୍ମ୍ୟ, ଆଧିପତ୍ୟ। କେହି ବିରୋଧ କଲେ ମୁଣ୍ଡ ଗଡ଼ିବା ଥୟ। ଏମାନଙ୍କ ଦେଖାଦେଖି ପଡ଼ୋଶୀ ପଶ୍ଚିମବଙ୍ଗର ବାଲି ମାଫିଆ ବି ଓଡ଼ିଶା ଭିତରେ ପଶି ଟ୍ରିପ ଟ୍ରିପ୍‌ ବାଲି ବୋହି ନେଉଛନ୍ତି। ଗତ ମାସ ୮ ତାରିଖ ରାତିରେ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ୍‌ ରାମଚନ୍ଦ୍ରପୁର ଗ୍ରାମର ମଣ୍ଟୁ ତରାଇ (୩୨) ନାମକ ଜଣେ ଯୁବକଙ୍କୁ ବାଲି ମାଫିଆ ଜେସିବି ମଡ଼ାଇ ହତ୍ୟା କରିଥିବା ବେଳେ ଆଜି ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀର ଅତିରିକ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ଅଫିସ ଭିତରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି ବାଲି ମାଫିଆ। ଯେଉଁଥିରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ନିସ୍ତୁକ ମାଡ଼ ଖାଇଛନ୍ତି।

ସୋମବାର ସକାଳ ପ୍ରାୟ ୮ଟା। ବୈତରଣୀ ନଦୀରୁ ବାଲି ନେଇ ଆସୁଥିବା ୫ଟି ଗାଡ଼ିକୁ ମଞ୍ଜୁରୀରୋଡ ରାଜସ୍ବ ନିରୀକ୍ଷକ ରାମନାରାୟଣ ସାମଲ ଅଟକାଇଥିଲେ। ସେଥିମଧ୍ୟରୁ ୩ଟି ଗାଡ଼ି ଆବଶ୍ୟକ କାଗଜପତ୍ର ଦେଖାଇ ପଳାଇ ଯାଇଥିବା ବେଳେ ୨ଟି ଗାଡ଼ିକୁ ରାଜସ୍ବ ନିରୀକ୍ଷକ ଛାଡ଼ିନଥିଲେ। ତେବେ ଜଣେ ଗାଡ଼ି ଚାଳକ କୌଶଳ କରି ବାଲିକୁ ରାସ୍ତାରେ ଢାଳି ଖସି ପଳାଇ ଯାଇଥିବା ବେଳେ ଅନ୍ୟ ଗୋଟିଏ ଗାଡ଼ି ଠିଆ ହୋଇ ରହିଥିଲା। ରାଜସ୍ବ ନିରୀକ୍ଷକ ଦୁଇଟି ଯାକ ଗାଡ଼ିର ଫଟୋ ଉଠାଇବା ସହିତ ନମ୍ବର ଲେଖି କାର୍ଯ୍ୟାଳୟକୁ ପଳାଇ ଆସିଥିଲେ। ପରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ବାଇଁ ମଞ୍ଜୁରୀରୋଡ୍‌ସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ କିଛି ବାଲି ମାଫିଆ ଓ ସେମାନଙ୍କ ସମର୍ଥକ କାର୍ଯ୍ୟାଳୟରେ ପହଞ୍ଚି କାହିିଁକି ବାଲି ଗାଡ଼ି ଅଟକାଯାଇଛି ବୋଲି ପଚାରି ପାଟିତୁଣ୍ତ କରିବା ସହ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ଖବର ପାଇ ନିକଟସ୍ଥ ଫାଣ୍ତି ପୁଲିସ ଘଟଣାସ୍ଥଳକୁ ଆସିଥିଲେ ସୁଦ୍ଧା ସେମାନଙ୍କୁ ରୋକି ପାରିନଥିଲା। ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରିଦିଆଯିବା ପରେ ବାଲି ମାଫିଆ ପାଚେରି ଡେଇଁ ଅତିରିକ୍ତ ତହସିଲଦାର ଶ୍ରୀ ସ୍ବାଇଁ, ରାଜସ୍ବ ନିରୀକ୍ଷକ ଶ୍ରୀ ସାମଲଙ୍କ ସମେତ କର୍ମଚାରୀ ପ୍ରଦୀପ କୁମାର ଜେନାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଲୁହାରଡ୍‌ରେ ଅତରିକ୍ତ ତହସିଲଦାରଙ୍କ ମୁଣ୍ଡକୁ ଆକ୍ରମଣ କରିବା ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ସେପଟେ ରାଜସ୍ବ ନିରୀକ୍ଷକ ଓ କର୍ମଚାରୀଙ୍କୁ ବାଲି ମାଫିଆ ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ। ଖାଲି ସେତିକି ନୁହେଁ, ଅଭିଯୁକ୍ତମାନେ ଅଫିସ ଭିତରେ ଭଙ୍ଗାରୁଜା ମଧ୍ୟ କରିଥିଲେ।

ବହୁ କଷ୍ଟରେ ବାଲି ମାଫିଆଙ୍କ କବଳରୁ ମୁକୁଳି ଅତରିକ୍ତ ତହସିଲଦାର ଶ୍ରୀ ସ୍ବାଇଁ ମଞ୍ଜୁରୀରୋଡ ଫାଣ୍ଡି ଓ ଭଣ୍ଡାରିପୋଖରୀ ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରୁ ତିନିଜଣଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ମୋଟ୍‌ ୨୦ ଜଣଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ଭଣ୍ଡାରିପୋଖରୀ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିପାରିନାହିଁ।

ପ୍ରକାଶଥାଉକି, ବାଲି ଚୋରା ଚାଲାଣ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ପୁଲିସ ଓ ତହସିଲ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ହେଲାନି। ପ୍ରଶାସନର ନିରବତା ଓ ମାଫିଆଙ୍କ ଧମକକୁ ଖାତିର ନକରି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ରାମଚନ୍ଦ୍ରପୁର ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ମଣ୍ଟୁ ତରାଇ (୩୨) ବାଲି ମାଫିଆଙ୍କୁ ବିରୋଧ କରିଥିଲେ। ହେଲେ ଜାନୁଆରି ୮ ତାରିଖ ରାତିରେ ତାଙ୍କୁ ନିର୍ମମ ଭାବେ ଜେସିବି ମେସିନ୍‌ ଚଢ଼ାଇ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ବାରିପଦା-ଅମର୍ଦାରୋଡ୍‌ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ।

ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ଦାଦାଗିରି
ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକର ଗୁଆଗଡ଼ିଆ, ପ୍ରହରାଜପୁର ଓ ଦକ୍ଷିଣ ପ୍ରହରାଜପୁର ଗାଁ ନିକଟ ସୁବର୍ଣ୍ଣରେଖା ନଦୀକୂଳ ଇଲାକାରୁ ପଶ୍ଚିମବଙ୍ଗର ବାଲି ମାଫିଆମାନେ ଜେସିବି ଦ୍ବାରା ଟ୍ରିପ୍‌ ଟ୍ରିପ୍‌ ବାଲି ଉତ୍ତୋଳନ କରି କୋଲକାତାକୁ ଚାଲାଣ କରୁଛନ୍ତି। ଏମିତିକି ବାଲି ଚାଲାଣ ପାଇଁ ପଶ୍ଚିମବଙ୍ଗର ମୀର୍ଜାପୁର ଓ ବାଇପାଟଣାକୁ ସଂଯୋଗ କରୁଥିବା ଦୁଇଟି ଅସ୍ଥାୟୀ ପୋଲ ମଧ୍ୟ ନିର୍ମାଣ ହୋଇଛି। ଅନ୍ୟପକ୍ଷ‌େର ଜଳେଶ୍ବର ତହସିଲ ଅନ୍ତର୍ଗତ ପଞ୍ଚୁଘଣ୍ଟା ରିଜର୍ଭ ବାଲି ଖାଦାନ ଓ କୁଆଁରପୁର ସୁବର୍ଣ୍ଣରେଖା ନଦୀଗର୍ଭରୁ ବାଲି ଉତ୍ତୋଳନ କରାଯିବା ପରେ ଡଙ୍ଗା ଦ୍ବାରା ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଗରଦପୁର, ବାରାସତ ଆଦି ଅଞ୍ଚଳକୁ ଚାଲାଣ କରାଯାଉଛି। ଦୈନିକ ୫୦ରୁ ଅଧିକ ଡଙ୍ଗା ଓ ଶତାଧିକ ଟ୍ରାକ୍ଟର ବାଲି ଚାଲାଣ କାମରେ ନିୟୋଜିତ ହୋଇଥିଲେ ବି ବାଲେଶ୍ବର ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ତହସିଲ କର୍ତ୍ତୃପକ୍ଷ ମାଫିଆମାନଙ୍କୁ ରୋକିବା ସ୍ଥିତିରେ ନାହାନ୍ତି। ଯାହାର ଭରପୂର ଫାଇଦା ଉଠାଉଛନ୍ତି ବାଲି ମାଫିଆ। ଏଠାରୁ ସେମାନେ ବାଲି ନେଇ କୋଲକାତାରେ ଚଢ଼ାଦରରେ ବିକ୍ରି କରି କୋଟି କୋଟି ଟଙ୍କାର ମୁନାଫା ହାତେଉଥିବା ବେଳେ ଓଡ଼ିଶା ସରକାରଙ୍କୁ ଏ ବାବଦରେ ଟଙ୍କାଟିଏ ବି ମିଳୁନାହିଁ।

ସମ୍ବନ୍ଧିତ ଖବର