ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ଇଚ୍ଛାପଡ଼ା ଆର୍‌ଆଇ ସର୍କଲର ଏଆର୍‌ଆଇ କୁମୁଦ ମେହେରଙ୍କୁ ବାଲି ମାଫିଆମାନେ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୋବାଇଲ୍ ଫୋନ୍‌ ଲୁଟି ନେଇଛନ୍ତି। ଏନେଇ ତହସିଲଦାର ସୋନାଲି ପାତ୍ର ଥାନାରେ ଏତଲା ଦେଇଛନ୍ତି।

Advertisment

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଏଆର୍‌ଆଇ ଶ୍ରୀ ମେହେର ଓ ଭାରପ୍ରାପ୍ତ ଆର୍‌ଆଇ ସଲମନ ସୋରେଙ୍ଗ ଗୁରୁବାର ବଗୁଆବାହାଲ ଗାଁକୁ ଏକ ଜମି ମାପ କରିବାକୁ ଯାଉଥିଲେ। ସେହି ରାସ୍ତାରେ ଏକ ନମ୍ବରବିହୀନ ଟ୍ରାକ୍ଟରରେ ବେଆଇନ ବାଲି ଚାଲାଣ ହେଉଥିବା ସନ୍ଦେହ କରି ଅଟକାଇଥିଲେ। ଚାଳକ ପୀତାମ୍ବର ଛତ୍ରିଆଙ୍କୁ ଆବଶ୍ୟକ କାଗଜପତ୍ର ଦେଖାଇବାକୁ କହିବାରୁ ସେ ଦେଖାଇପାରି ନଥିଲେ। ଟ୍ରାକ୍ଟର ସହ ଚାଳକଙ୍କୁ ଇଚ୍ଛାପଡ଼ା ଆର୍‌ଆଇ ଅଫିସକୁ ନିଆଯାଉଥିଲା। ବଗୁଆବାହାଲ-ରେଙ୍ଗାଲି ରାସ୍ତାରେ ଟ୍ରାକ୍ଟର ମାଲିକ ଧୁମାମାଲ ଗାଁର କପିଳେଶ୍ୱର ବାଗଙ୍କ ଜଣେ ସମ୍ପର୍କୀୟ ଓ ଅନ୍ୟ ୫ଜଣ ଦୁର୍ବୃତ୍ତ ଏଆର୍‌ଆଇ ଶ୍ରୀ ମେହେରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତହସିଲଦାର ସୋନାଲି ପାତ୍ର, ଏଆର୍‌ଆଇ ଶ୍ରୀ ମେହେର, ସମସ୍ତ ଆର୍‌ଆଇ, ଏଆର୍‌ଆଇ ଓ ତହସିଲ ଅଫିସ କର୍ମଚାରୀଙ୍କ ସହିତ ସନ୍ଧ୍ୟାରେ ମୁରିବାହାଲ ଥାନାକୁ ଆସି ଏତଲା ଦେଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଜାରି ରଖିଛି ବୋଲି ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି।