ଡୁଡ଼ୁକା : ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ ବାବୁଫାସଡ଼ ଆର୍‌ଆଇ ସୁଶାନ୍ତ ପଟେଲଙ୍କୁ ଗୁରୁବାର ବାଲି ମାଫିଆ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା‌ରେ ପୁଲିସ ଅଭିଯୁକ୍ତ ସନ୍ତୋଷ ପଧାନ ଓ ଟ୍ରାକ୍ଟର ଚାଳକ ଶେଷଦେବ ରାଉତଙ୍କୁ ଗିରଫ କରିଛି।

Advertisment

ପୁଲିସ ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୫ଟାରେ ଆର୍‌ଆଇ ଶ୍ରୀ ପଟେଲଙ୍କ ସହ ସାଲେଭଟା ଆର୍‌ଆଇ ମନୋଜ ଗହୀର, ଏଆର୍‌ଆଇ ପ୍ରମୋଦ ମେହେର ଓ ଦୁଇଜଣ ପୁଲିସ କର୍ମଚାରୀ ମୁର୍ଷୁଣ୍ଡ ଗାଁରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ଉ କରିଥିଲେ। ସେଠାରେ ଟ୍ରାକ୍ଟର (ଓଡି-୦୩ଏନ୍‌-୪୪୨୩) ଏବଂ ଅନ୍ୟ ଦୁଇଟି ପଥରବୋଝେଇ ଟ୍ରାକ୍ଟରକୁ ଅଟକାଇ ପଚରାଉଚରା କରିଥିଲେ। ୱାଇ ଫର୍ମ ଦେଖାଇବାକୁ ଟ୍ରାକ୍ଟର ଚାଳକଙ୍କୁ କହିଥିଲେ। ଚାଳକ କିନ୍ତୁ ଦେଖାଇ ନପାରିବାରୁ ତିନିଟି ଟ୍ରାକ୍ଟରକୁ ସାଲେଭଟା ଫାଣ୍ଡିକୁ ଆଣୁଥିଲେ।

ଏହି ସମୟରେ ବାଲି ବୋଝେଇ ଟ୍ରାକ୍ଟରକୁ ଚାଳକ ଦ୍ରୁତ ଗତିରେ ନେଇ ଫେରାର ମାରୁଥିଲେ। ପଛ ପଟରୁ ଆସୁଥିବା ଆର୍‌ଆଇ ଶ୍ରୀ ପଟେଲ, ଏଆର୍‌ଆଇ ପ୍ରମୋଦ ମେହେର ଉକ୍ତ ଟ୍ରାକ୍ଟରର ଭିଡିଓ ରେକର୍ଡିଂ କରୁଥିଲେ। ଟ୍ରାକ୍ଟର ମାଲିକ ସନ୍ତୋଷ ପଧାନ ସେଠାରେ ପହଞ୍ଚି ଆର୍‌ଆଇ ଶ୍ରୀ ପଟେଲଙ୍କୁ ପଛପଟୁ ତଣ୍ଟିକୁ ଚିପି ବାଇକ୍‌ ତଳକୁ ପକାଇ ମାଡ଼ ମାରିଥିଲେ। ଏହା ସହ ରେକର୍ଡିଂ ହେଉଥିବା ମୋବାଇଲକୁ ଛଡ଼ାଇ ଆଣି ଆବର୍ଜନା ଜଳୁଥିବା ନିଆଁରେ ପୋଡ଼ି ଦେଇଥିଲେ। ଆହତ ସୁଶାନ୍ତ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ଘଟଣା ସମ୍ପର୍କରେ ଆଗଲପୁର ତହସିଲଦାରଙ୍କୁ ଜଣାଇଥିଲେ।

ଖବର ପାଇ ତହସିଲଦାର ସୁଜାତା ବେହେରା ତୁରନ୍ତ ସାଲେଭଟା ଫାଣ୍ଡିରେ ପହଞ୍ଚିଥିଲେ। ସୁଶାନ୍ତ ତହସିଲଦାରଙ୍କ ଜରିଆରେ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ସାଲେଭଟା ପୁଲିସ ଏନେଇ ମାମଲା ରୁଜୁ କରି ଘଟଣାର ଛାନଭିନ୍‌ କରିଥିଲା। ଅଭିଯୁକ୍ତ ସନ୍ତୋଷ ଫେରାର୍‌ ମାରୁଥିବା ବେଳେ ପୁଲିସ ପେଟ୍ରୋଲ ପମ୍ପ ନିକଟରୁ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ ଯେ, କିଛିମାସ ଆଗରୁ ଆଗଲପୁର ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିଲେ।