ବୈତରଣୀକୁ ବିଦାରୁଛନ୍ତି ବାଲି ମାଫିଆ

ଯାଜପୁରସଦର: ଯାଜପୁରର ପବିତ୍ର ବୈତରଣୀ ବରାହ ଦ୍ବୀପାଞ୍ଚଳରେ ମାତିଛନ୍ତି ବାଲି ମାଫିଆ। ରାତି ସମୟରେ ନଦୀଗର୍ଭକୁ ତାଡ଼ି ବାଲି ଉତ୍ତୋଳନ କରୁଥିବା ବେଳେ ଦିନବେଳା ଚୁପ ରହୁଛନ୍ତି। ଯାଜପୁର ତହସିଲର ଆଖି ଆଗରେ ଏଭଳି ବାଲି ଚୋରି ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବାଲି ମାଫିଆଙ୍କ କାରନାମାକୁ ନେଇ ସଂପ୍ରତି ଯାଜପୁର ଜିଲ୍ଲା ଚର୍ଚ୍ଚାରେ। ବିଂଝାରପୁରରେ ବୋମାମାଡ଼ କରି ଲିଜ୍‌ଧାରୀଙ୍କୁ ହତ୍ୟା ଘଟଣା ପରେ ଦଶରଥପୁରରେ ତହସିଲଦାରଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ସମୟରେ ଯାଜପୁର ତହସିଲ ଅଧୀନରେ ଦିନକୁ ଦିନ ନିଲାମ ଘାଟ ତୁଳନାରେ ଚୋରା ବାଲି ଉତ୍ତୋଳନ ବଢ଼ିବାରେ ଲାଗିଛି। ବାଲିରୁ ପ୍ରଚୁର ଅର୍ଥାଗମ ହେଉଥିବାରୁ ଏଭଳି ବେଆଇନ କାରବାର ବଢ଼ିଚାଲିଛି ଏବଂ ତା’ ସହିତ ଅପରାଧ ମଧ୍ୟ। ତେଣୁ ବୁଢ଼ା, ଖରସ୍ରୋତା ଓ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବାଲି ମାଫିଆ ବାଲି ଉଠାଇବାକୁ କେନ୍ଦ୍ରକରି ଭବିଷ୍ୟତରେ ଯେ କୌଣସି ଅଘଟଣ ନଘଟିବ କହିହେବ ନାହିଁ। ତେଣୁ ‘ବେଳହୁଁ ସାବଧାନ’ ନୀତିରେ ତହସିଲ କର୍ତ୍ତୃପକ୍ଷ ସଜାଗ ନହେଲେ ଭୟାବହ ପରିସ୍ଥିତି ହେବାର ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ। ଅନ୍ୟପଟେ ବାଲି ମାଫିଆଙ୍କ ବିରୋଧରେ ଯିବା‌ରେ ବିପଦ ଥିବାବେଳେ ବରଂ ନିରବ ରହି ପରୋକ୍ଷରେ ସହଯୋଗ ଦେଲେ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ଫାଇଦା। ଉପଯୁକ୍ତ ସୁରକ୍ଷା ବିନା ଅଧସ୍ତନ କର୍ମଚାରୀମାନେ ଦ୍ବିତୀୟ ପନ୍ଥାକୁ ଆପଣାଇବାକୁ ଶ୍ରେୟସ୍କର ମଣୁଛନ୍ତି। ଏହାର ପ୍ରଭାବ ବାଲିଘାଟରେ ଦେଖିବାକୁ ମିଳୁଛି।

ଯାଜପୁର ତହସିଲର ବରାହଘାଟରୁ ଜଣେ ସ୍ଥାନୀୟ ବ୍ୟକ୍ତି ନିଜସ୍ବ ୨ଟି ଜେସିବି ଓ ୫ଟି ଟ୍ରାକ୍ଟର ଜରିଆରେ ବାଲି ଉତ୍ତୋଳନ କରି ବରାହ ମନ୍ଦିର ପଛ ପାଖରେ ଗଦା କରୁଛନ୍ତି। ସଂପୃକ୍ତ ବ୍ୟକ୍ତି ରାତି ସମୟରେ ବାଲି ଉଠାଉଥିବାବେଳେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ରଖିଛନ୍ତି। ଚୋରା ବାଲିକୁ ସରକାରୀ ଜାଗାରେ ଗଚ୍ଛିତ ରଖୁଥିଲେ ମଧ୍ୟ ତହସିଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ କରିପାରୁ ନାହିଁ। ଏହାଦ୍ବାରା ବରାହ ମନ୍ଦିର ଓ ଚତୁଃପାର୍ଶ୍ବକୁ ବିପଦମୁହଁକୁ ଠେଲି ଦିଆଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସେହିପରି ଯାଜପୁର ସହର ନିକଟ ବୁଢ଼ାନଦୀର ମଲ୍ଲିକାପୁର ଘାଟ ନିକଟରୁ ସ୍ଥାନୀୟ ନେତା ରାତି ସମୟରେ ଶହଶହ ଟ୍ରାକ୍ଟର ବାଲି ଉଠାଇ ବିକ୍ରି କରୁଛନ୍ତି। ତହସିଲଦାର ଏ ବିଷ‌ୟରେ ଜାଣିଛନ୍ତି ବୋଲି ମାଫିଆ‌ ଖୋଲାଖୋଲି କହୁଛନ୍ତି। ରାତି ତମାମ ଯାଜପୁର ସହରରେ ଚୋରା ବାଲି ପରିବହନ ହେଉଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ। ସକାଳ ହେଲେ ସବୁ ବନ୍ଦ ହୋଇଯାଉଛି। ଅନ୍ୟପଟେ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଚୋରା ଚାଲାଣ ହେଉଥିବା ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର