ସୁନ୍ଦରଗଡ଼: ବାଲି ଚାଲାଣକୁ ନେଇ ରାଉରକେଲାରେ ଗୁଳି ଫୁଟିବା ପରେ ଚେତିଛନ୍ତି ସରକାର। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ବାଲି ଓ ପଥର ଚୋରି ରୋକିବାକୁ ତତ୍ପରତା ଦେଖାଇ ଗଠନ କରିଛି ପାନପୋଷ ଉପଖଣ୍ଡସ୍ତରୀୟ ଏନ୍ଫୋର୍ସମେଣ୍ଟ ଟିମ୍। କେବଳ ୪ଟି ବ୍ଲକ୍ରେ ଏହି ଟିମ୍ ବେଆଇନ ଖାଦାନ ଓ ବାଲିଘାଟ ଉପରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଭଳି ସ୍ଥିତିରେ ସୁନ୍ଦରଗଡ଼ରେ ବେଫିକର ବାଲି ମାଫିଆଙ୍କୁ ସାବାଡ଼ କରିବାକୁ କେବେ ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ ହେବ, ତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ରାଉରକେଲା ପରେ ସୁନ୍ଦରଗଡ଼ରେ ବାଲି ଚୋରି ସର୍ବାଧିକ। ପ୍ରତିଦିନ ସୁନ୍ଦରଗଡ଼ର ଇବ୍ ଓ ସଫେଇ ନଦୀରୁ ଅନଧିକୃତ ବାଲି ପରିବହନ ପାଇଁ ଜେସିବି, ପୋକ୍ଲେନ୍, ହାଇୱା, ଟ୍ରକ୍, ଟ୍ରାକ୍ଟରର ମେଳା ଲାଗୁଛି। ଦିନ ଦ୍ବିପ୍ରହରରେ ନଦୀଶଯ୍ୟାରୁ ଟନ୍ ଟନ୍ ବାଲି ବୋହି ନିଆଯାଉଛି।
ଚୋରିରେ ପ୍ରଭାବଶାଳୀ ନେତାଙ୍କ ସମର୍ଥକ 
ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କେବେ?
ଇବ୍ ନଦୀର ଉପରମୁଣ୍ଡରୁ ତଳମୁଣ୍ଡ ଯାଏଁ ୨୫ରୁ ଅଧିକ ବେଆଇନ ବାଲିଘାଟରୁ ବାଲି ଚାଲାଣ ହେଉଛି। ଖଣି ବିଭାଗକୁ ବାଲି ପରିଚାଳନା ଦାୟିତ୍ବ ଆସିବା ପରେ ଗୋଟିଏ ବର୍ଷ ହେବ ଇବ୍ନଦୀ ବାଲିଘାଟକୁ ଲିଜ୍ ଦିଆଯାଇନାହିଁ। ଏହାର ଫାଇଦା ଉଠାଇ ବାଲି ମାଫିଆମାନେ ନଦୀପଠାରୁ ହଜାର ହଜାର ଘନଫୁଟ୍ ବାଲି ଉଠାଇ ନେଉଛନ୍ତି। ଛତିଶଗଡ଼ର କୁନକୁରିରୁ ବାହାରିଥିବା ଇବ୍ନଦୀ ସୁନ୍ଦରଗଡ଼ ଦେଇ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ନିକଟ ମହାନଦୀ ହୀରାକୁଦ ଜଳଭଣ୍ଡାରରେ ମିଶିଛି। ସୁନ୍ଦରଗଡ଼ ଉପରମୁଣ୍ଡ ତେଲିଯୋରଠାରୁ ଶେଷ ମୁଣ୍ଡ ଭଷ୍ମା ଯାଏଁ ୭୦ କିଲୋମିଟର ଦୈର୍ଘ୍ୟ ଇବ୍ନଦୀର ବାଲି ବହୁତ ସରୁ ଓ ଘର ତିଆରି ପାଇଁ ଏହାର ଚାହିଦା ଥିବାରୁ ମାଫିଆ ମାତିଛନ୍ତି। ନଦୀକୂଳ ନିକଟ ଘୋଘରର, ଗଇଲୋ, ଜାଏସର, ଡାଇଜମହୁଲ, ଭୋଜପୁର, ଚିତାଭଙ୍ଗା, ଦରବାରଘାଟ, ଜପଙ୍ଗା, ଭଷ୍ମା, ବିଲେଇଗଡ଼, ମଙ୍ଗସପୁର ଆଦି ଅଞ୍ଚଳରେ ଥିବା ୨୫ରୁ ଅଧିକ ବେଆଇନ ବାଲିଘାଟରୁ ଦୈନିକ ଶହେରୁ ଅଧିକ ହାଇୱା ଓ ଟ୍ରକରେ ବାଲି ଚାଲାଣ ହେଉଛି।
ବାଲିଘାଟ ନିଲାମ ନ ହେବା ଓ ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାରେ ଖଣି ବିଭାଗ କାର୍ଯ୍ୟାଳୟ ନଥିବାରୁ ବାଲିମାଫିଆ ବେଫିକର ହୋଇ ବାଲି ଉଠାଇ ଚାଲିଛନ୍ତି। ଏଥିରୁ ଟଙ୍କାଟିଏ ବି ରାଜସ୍ବ ଜମା କରିବାକୁ ନଥିବାବେଳେ ମାଫିଆମାନେ ଏହି ବାଟରେ ବର୍ଷକୁ ଶହେ କୋଟିରୁ ଅଧିକ ଟଙ୍କା ଆୟ କରୁଥିବା କୁହାଯାଉଛି। କିଛି ମାସ ତଳେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଇବ୍ନଦୀରୁ ବାଲି ଚୋରିକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏହା ସତ୍ତ୍ବେ ବାଲି ଚୋରିରେ ଲଗାମ ଲାଗି ପାରିନାହିଁ। ଏହା ପଛର ସବୁଠାରୁ ବଡ଼ କାରଣ ହେଲା, ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତାଙ୍କ ଖାସ୍ ସମର୍ଥକ ବାଲି ଚୋରିର ମୁଖ୍ୟ କାର୍ପଟଦାର ସାଜିଛନ୍ତି। ଯେଉଁଥି ପାଇଁ ଖଣି ବିଭାଗର ହାତ ପାଉ ନଥିବା ଅଭିଯୋଗ ହୋଇଛି। ସେପଟେ ଅନିୟନ୍ତ୍ରିତ ଭାବେ ବଢ଼ିଥିବା ବାଲି ଚୋରିକୁ ନେଇ ପୂର୍ବ ସରକାରଙ୍କ ମୁଣ୍ଡରେ ଦୋଷ ଲଦିଛନ୍ତି ନୂଆ ସରକାର। ବାଲି, ପଥର ଆଦି ଲଘୁ ଖଣିଜ ଦ୍ରବ୍ୟ ନିୟନ୍ତ୍ରଣ ବା ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ହସ୍ତାନ୍ତର ପୂର୍ବ ସରକାରଙ୍କ ଭୁଲ୍ ନିଷ୍ପତ୍ତି ଥିଲା ବୋଲି କହୁଛନ୍ତି। ତେବେ ଏ ବାବଦରେ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ପୂର୍ବାପେକ୍ଷା ବାଲି ଚୋରି ବହୁଗୁଣ ବଢ଼ି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/tEcWwNn7WB8OwPZxn9fj.jpg)