କୋଣାର୍କରେ ବାଲିମାଫିଆ ସକ୍ରିୟ: ବୋହି ନେଲେ ଶହଶହ ଟ୍ରିପ୍‌ ବାଲି, ବେଳାମାର୍ଗ ପ୍ରତି ବଢ଼ୁଛି ବିପଦ

ହେଲିପ୍ୟାଡ୍‌ର ଉନ୍ନତୀକରଣ ପାଇଁ ବାଲି ସଂକଟ ହେବା ଆଶଙ୍କା

କୋଣାର୍କ : କୋଣାର୍କରେ ବାଲିମାଫିଆ ସକ୍ରିୟ। ପ୍ରଶାସନକୁ ଚ୍ୟାଲେଞ୍ଜ କରି ବାଲି ମାଫିଆମାନେ ଡ୍ରୋଜର ଲଗାଇ ରାତିଅଧିଆ ଶହଶହ ଟ୍ରିପ୍‌ ବାଲି ଚୋରା ଚାଲାଣ କରୁଛନ୍ତି। କୋଣାର୍କ ହେଲିପ୍ୟାଡ୍‌, ଭଗବତୀ ମନ୍ଦିର ପଛପାର୍ଶ୍ବ, କୋଣାର୍କ କଲେଜ ପଛପାର୍ଶ୍ବ, ନୋଳିଆସାହି ସଲଗ୍ନ ଅଞ୍ଚଳ, ନଳକଣ ଦାସସାହି ପଛ ବେନୁସାଗରବନ୍ତ ଭଳି ସ୍ଥାନରୁ ସବୁଦିନ ଅବାଧରେ ବାଲି ଚୋରାଚାଲାଣ ହେଉଛି। ଗୁରୁତ୍ବପୂର୍ଣ୍ଣ ହେଉଛି କୋଣାର୍କ-ପୁରୀ ବେଳାମାର୍ଗକୁ ଦଶନ୍ଧିଦଶନ୍ଧି ଧରି ସୁରକ୍ଷିତ ରଖି ଆସିଥିବା ପ୍ରାକୃତିକ ବାଲିବନ୍ତକୁ ମଧ୍ୟ ବାଲିମାଫିଆମାନେ ତାଡ଼ି ନେଇ ସମତୁଲ କରିଦେଇ ସାରିଲେଣି। ଏହା ବେଳାମାର୍ଗ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ଜାତ ହୋଇଛି।

ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ଚଢ଼ଉ କରାଯାଉଛି। ମାତ୍ର ପ୍ରଶାସନକୁ ଚକମା ଦେଇ ଜଙ୍ଗଲ ରାସ୍ତାରେ ଅବାଧରେ ବାଲି ଚୋରାଚାଲାଣ ହେଉଛି। ପୁଲିସ, ପ୍ରଶାସନ ଚଢ଼ଉ ପୂର୍ବରୁ ଦଲାଲ୍‌ଙ୍କ ମାଧ୍ୟମରେ ବାଲି ମାଫିଆଙ୍କ ପାଖରେ ଖବର ପହଞ୍ଚି ଯାଉଥିବା ଗୁରୁତର ଅଭିଯୋଗ ‌ଉଠିଛି। ଫଳରେ ଚଢ଼ଉ କରିବାକୁ ଯାଇ ପୁଲିସ ପ୍ରଶାସନ କେବଳ ଶିଶୁପାଳ ହୋଇ ଫେରୁଛି। ଏପରିକି କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାହୁଛାୟା ତଳେ ଏହି ବାଲି ଚୋରାଚାଲାଣ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ସରକାରୀ ଜମିକୁ ବାଡ଼ା ଦେଇ ରଖିବା ସହିତ ସେହି ସ୍ଥାନରେ ଫଳକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ଟଙ୍କା ଯୋଗାଇ ଦିଆଯିବା ବେଳେ ଏହା କାର୍ଯ୍ୟକାରୀ ହେଉନାହିଁ।

ପୂର୍ବରୁ ଟ୍ରାକ୍ଟରରେ ଶ୍ରମିକ ଲାଗି ବାଲି ଲୋଡ୍ କରି ଚୋରା ଚାଲାଣ କରୁଥିଲେ। ଏବେ ଡ୍ରୋଜର୍‌ ଲଗାଇ ବାଲି ମା‌ଫିଆମାନେ ହେଲିପ୍ୟାଡ୍‌ ଭଳି ଏକ ସରକାରୀ ସ୍ଥାନରୁ ଶହଶହ ଟ୍ରିପ ବାଲି ଚୋରାଇ ନେଇଥିବା ଦେଖିବାକୁ ମିଳିଛି। ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଜଙ୍ଗଲ, ମଶାଣି, ଘରପାଖ ବାଲିବନ୍ତ, ରାସ୍ତାକଡ଼ କିମ୍ବା ସମୁଦ୍ର କୂଳରେ ହୋଇଥିବା ସୁରକ୍ଷା ପାଚେରି କଡ଼ ବି ବାଦ୍‌ ପଡ଼ୁନାହିଁ। କେବଳ ସେତିକି ନୁହେଁ ଜଙ୍ଗଲ ଜମିରୁ ମଧ୍ୟ ବାଲି ମାଫିଆମାନେ ଶହଶହ ଟ୍ରକ୍‌ ବାଲି ତାଡ଼ି ନେଇଥିବା ଦେଖାଯାଇଛି। ବାଲି ତଡ଼ା ହେଉଥିବା ସ୍ଥାନରୁ ବିରଳ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବାହାରୁଥିବା ନେଇ ଅଭିଯୋଗ ଉଠିଥିବା ବେଳେ ବାଲି ମାଫିଆମାନେ କାରୁକାର୍ଯ୍ୟପୂର୍ଣ୍ଣ ପଥର ସବୁକୁ ମଧ୍ୟ ଚୋରାଚାଲଶଣ କରୁଥିବାର ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର