କେନ୍ଦ୍ରାପଡ଼ା: ଖଣି ବିଭାଗ ଅଧିକାରୀ ଓ ମାଫିଆଙ୍କ ସଲାସୁତରାରେ ଚାଲି ଆସୁଥିବା ବାଲି ଲୁଟ୍‌ର ଏକ ଅଡିଓ ସାମ୍ନାକୁ ଆସିଛି। ବେଆଇନ ଘାଟରୁ ବାଲି କାରବାରକୁ ନେଇ ଉକ୍ତ ଅଡିଓରେ ମାଫିଆଙ୍କ ସହ କଥାବାର୍ତ୍ତା କରୁଥିବା ଅଧିକାରୀଜଣକ ଜଣେ ପୂର୍ବତନ ଜିଲ୍ଲା ଖଣି ଅଧିକାରୀ ବୋଲି ଚର୍ଚ୍ଚା ହେଉଛି। 
ଅଡିଓରେ ଖଣି ଅଧିକାରୀଙ୍କ ସହ ବାର୍ତ୍ତାଳାପ କରୁଥିବା ମାଫିଆ ଜଣକ ଜଣେ ପେସାଦାର ଅପରାଧୀ ବୋଲି କୁହାଯାଉଛି। ଖଣି ଅଧିକାରୀ ମାଫିଆଙ୍କୁ କହୁଛନ୍ତି, ‘ମାର୍ଶାଘାଇର ନରହରିପୁର ଖାଦାନ ଏବେ ବନ୍ଦ କରିଦିଅ। ଉପରୁ ବହୁତ ଷ୍ଟ୍ରିକ୍ଟ ହୋଇଛି। ମେସିନ୍‌, ଗାଡ଼ି ଜବତ କରିଦିଆଯିବ।’ ସେପଟୁୁ ମାଫିଆ କହୁଛନ୍ତି ‘ସାର‌୍‌ ଦିନବେଳା ଚଳାଉଥିଲି। ଏବେ ରାତିରେ ଚଳାଇବି।’ ଖଣି ଅଧିକାରୀ ନରମ ସ୍ବରରେ କହୁଛନ୍ତି ‘ଦିନରେ ଚଳାଉଥିବାରୁ ଅଡ଼ୁଆ ହେଉଛି।

Advertisment

ଅଡ଼ୁଆ ହେଉଛି, ଏବେ ଘାଟ ବନ୍ଦ କରିଦିଅ: ଅଧିକାରୀ
ସାର‌୍‌ ମୁଁ ତା’ଠୁ ନେଇ ଆପଣଙ୍କ ପାଖେ ପହଞ୍ଚୁଛି: ମାଫିଆ

ଏବେ ତାହାକୁ ବନ୍ଦ କରିଦିଅ। ଅରତାମୂଳ ବୈଧ ଘାଟ ଚଳାଅ। ଭାଗବତପୁର ଘାଟ ପାଇଁ ଚୁକ୍ତି କର।’ ମାଫିଆ ଉତ୍ତର ଦେଉଛି ‘ସାର‌୍‌ ମୁଁ ତା’ ପାଖରୁ ନେଇ ଆପଣଙ୍କ ପାଖେ ପହଞ୍ଚୁଛି।’ ମୋଟ ୩ ମିନିଟ୍‌ ୪୨ ସେକେଣ୍ଡର ଏହି ବାର୍ତ୍ତାଳାପ ପ୍ରମାଣ କରୁଛି ଯେ ମାଫିଆମାନଙ୍କ ସହିତ ଜଣେ ଖଣି ଅଧିକାରୀଙ୍କ କିଭଳି ସମ୍ପର୍କ ରହିଥିଲା। ଜିଲ୍ଲାରେ ଏଭଳି ବାଲି ଚୋରିକୁ ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ୭ଟି ସ୍କ୍ବାଡ୍‌ ଗଠନ କରି ଘନଘନ ଚଢ଼ଉ କରି ଗାଡ଼ି, ମେସିନ୍‌ ଜବତ କରିବା ସହିତ ବିପୁଳ ପରିମାଣର ଜରିମାନା କାଟିଥିଲେ। ଏହି ଚଢ଼ଉ ଯୋଗୁଁ ଜିଲ୍ଲାର ପ୍ରାୟ ସବୁତକ ବେଆଇନ ଘାଟ ବନ୍ଦ ହେଇଯାଇଥିଲା। ମାତ୍ର ଚଢ଼ଉ ବନ୍ଦ ହେବା ପରେ କିଛିଦିନ ହେବ ପୁଣି ବାଲି ଚୋରି ଆରମ୍ଭ ହୋଇଯାଇଛି। 

ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର, ମହାନଙ୍ଗଳା ଓ ସୋବଳା, ଗରଦପୁର ତହସିଲ୍‌ର ଷଠିଲୋ, ପଟ୍ଟାମୁଣ୍ଡାଇ ତହସିଲ୍‌ର ନୀଳକଣ୍ଠପୁର, କେନ୍ଦ୍ରାପଡ଼ା ତହସିଲ୍‌ର ତମାଳଶାସନରୁ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି। ରୋଚକ କଥା ହେଉଛି ମହାକାଳପଡ଼ା ପଞ୍ଚାୟତର ଗୋପାଳପୁରରେ ମାଫିଆମାନେ ଲୁଣାନଈରୁ ବାଲି ଉଠାଇ ଡଙ୍ଗାରେ କୂଳକୁ ଆଣିବା ପରେ ଚାଲାଣ କରୁଛନ୍ତି। ମହାନଙ୍ଗଳା, ସୋବଳାରୁ ଉଠୁଥିବା ଚୋରାବାଲିର ସି˚ହଭାଗ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅଭିଯୋଗ ହେଉଛି। ମହାକାଳପଡ଼ାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ମାଫିଆମାନେ ବାଲି ଲୁଟୁଥିବାରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା କୁହାଯାଉଛି।