ଆର୍‌ଆଇଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ବାଲିମାଫିଆ

ଗୋଡ଼ରେ ମାଡ଼ିଗଲା ଗାଡ଼ି ଚକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଜଳେଶ୍ବର : ବାଲି ଚାଲାଣରୁ ମିଳୁଛି ପ୍ରବଳ ମୁନାଫା। ଏହାକୁ ରୋକିବା ଲାଗି ସରକାରୀ କଳ ଯେତେ କଟକଣା କଲେ ବି ଥମୁନାହାନ୍ତି ବାଲି ମାଫିଆ। ଓଲଟା ବାଧା ଦେଲେ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଏମିତିକି ଜୀବନରେ ମାରିଦେବାକୁ ଉଦ୍ୟମ କରାଯାଉଛି। ବାଲି ମାଫିଆଙ୍କ ସଦ୍ୟତମ ଶିକାର ହୋଇଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକର ଓଲମରା ରାଜସ୍ବ ନିରୀକ୍ଷକ ଦିଲ୍ଲୀପ କୁମାର ଚନ୍ଦ। ଡମ୍ପର ଚଢ଼ାଇ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିବାବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କ ପାଦରେ ଡମ୍ପର ଚକ ଚଢ଼ିଯିବାରୁ ସେ ଗୁରୁତର ଅବସ୍ଥାରେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ସ୍ଥାନ୍ତାନ୍ତର ହୋଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ଜଳେଶ୍ବର ଥାନା ଆମ୍ବିଳିଅଠା ଛକଠାରେ ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ୍‌, ଓଲମରା ରାଜସ୍ବ ନିରୀକ୍ଷକ ଦିଲ୍ଲୀପ କୁମାର ଚନ୍ଦଙ୍କ ସହିତ ରାଜସ୍ବ ବିଭାଗର କିଛି କର୍ମଚାରୀ ବେଆଇନ୍‌ ବାଲି ବୋଝେଇ ଗାଡ଼ି ଧରପଗଡ଼ କରୁଥିଲେ। ଏହି ସମୟରେ ଏକ ବାଲି ବୋଝେଇ ଡମ୍ପର(ଓଡି୦୧ଏଜେ-୫୧୧୩)କୁ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆରଆଇ ଶ୍ରୀ ଚନ୍ଦ। ହେଲେ, ଡମ୍ପର ଚାଳକ ଏହାକୁ ଭ୍ରୂକ୍ଷେପ ନ କରି ଶ୍ରୀ ଚନ୍ଦଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲା। ଭାରସାମ୍ୟ ହରାଇ ଶ୍ରୀ ଚନ୍ଦ ତଳେ ପଡ଼ିଯିବାବେଳେ ତାଙ୍କ ଡାହାଣ ଗୋଡ଼ ପାଦ ଉପରେ ଡମ୍ପର ଚକ ଚଢ଼ି ଯାଇଥିଲା। ବାଲି ବୋଝେଇ ଡମ୍ପରଟି ପଶ୍ଚିମବଙ୍ଗ ଆଡ଼କୁ ଖସି ପଳାଇଥିବା ଅତିରିକ୍ତ ତହସିଲଦାର ଶ୍ରୀ ହେମ୍ବ୍ରମ୍‌ ସୂଚନା ଦେଇଛନ୍ତି। ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଶ୍ରୀ ଚନ୍ଦଙ୍କୁ ଜଳେଶ୍ବର ଜିକେ ଭଟ୍ଟର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନା ପଠାଯାଇଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିଛି।

ସମ୍ବନ୍ଧିତ ଖବର