କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରୁ କୋଟି କୋଟି ଟଙ୍କାର ବାଲି କିଭଳି ଲୁଟ୍ ହୋଇଛି, ତାହାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ବାଲିଘାଟ ଲିଜ୍ଧାରୀମାନେ ସବୁ ନିୟମକୁ ଜଳାଞ୍ଜଳି ଦେଇ କୋଟି କୋଟି ଟଙ୍କାର ନିଲାମ ରାଶି ସରକାରଙ୍କୁ ଦେବା ପରିବର୍ତ୍ତେ ନିଜେ ହଡ଼ପ କରି ନେଇଛନ୍ତି। ଗଲା ତିନି ବର୍ଷ ଭିତରେ ପାଖାପାଖି ୫ କୋଟି ଟଙ୍କା ୧୩ ଲିଜ୍ଧାରୀଙ୍କ ଉପରେ ବକେୟା ପଡ଼ିଛି। ଏପରିକି କେତେକ ଲିଜ୍ଧାରୀ ଖଣି ବିଭାଗର ନୋଟିସ୍ ପରେ ବି ଟଙ୍କାଟିଏ ସରକାରଙ୍କୁ ଦେଇ ନାହାନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ୍ ଜାରି ହୋଇଥିଲେ ବି ସେମାନେ ବକେୟା ରାଶି ଫାଙ୍କି ବେଆଇନ ଭାବେ ବାଲିଘାଟ ଚଳାଇ ଆସିବା ଘଟଣା ଜିଲ୍ଲାରେ ଚାଲିଥିବା ବଡ଼ ଧରଣର ବାଲି କେଳେଙ୍କାରୀର ପ୍ରମାଣ ଦେଉଛି।
ଖଣି ବିଭାଗର ତଥ୍ୟ ମୁତାବକ ଜିଲ୍ଲାରେ ସମୁଦାୟ ୨୦ଟି ବୈଧ ବାଲି ଖାଦାନ ରହିଛି। ୨୦୨୧-୨୨ରୁ ୨୦୨୬-୨୭ ଯାଏଁ ପାଞ୍ଚ ବର୍ଷ ପାଇଁ ଏସବୁ ଘାଟ ନିଲାମ ଦିଆଯାଇଛି। ଖଣି ବିଭାଗ ଏହାର ପରିଚାଳନା ଦାୟିତ୍ବରେ ରହିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବର୍ତ୍ତମାନ ମାତ୍ର ଦୁଇଟି ଖାଦାନରୁ ବାଲି ଉଠାଇବା ପାଇଁ ପ୍ରଶାସନର ଅନୁମତି ରହିଛି। ବାକି ୧୮ଟି ଘାଟରୁ ବାଲି ଉତ୍ତୋଳନ ଉପରେ ଅଙ୍କୁଶ ଲଗାଯାଇଛି। ନିଲାମ ରାଶି ଦେଇନଥିବା କାରଣରୁ ଏସବୁ ଘାଟରୁ ବାଲି ଉଠାଣ ସ୍ଥଗିତ ଥିବା ପ୍ରଶାସନ କାଗଜପତ୍ରରେ ଦେଖାଇଛି। ମାତ୍ର ବାସ୍ତବରେ ଏସବୁ ଘାଟରେ ପୂର୍ବଭଳି ବାଲି ଉଠାଣ ହେଉଛି। ଖିଲାପି ଲିଜ୍ଧାରୀ ବିଭାଗୀୟ ଖଣି ଅଧିକାରୀଙ୍କ ସହିତ ଭିତିରିଆ ସ˚ପର୍କ ରଖି କୋଟି କୋଟି ଟଙ୍କାର ବାଲି ଚୋରି କରୁଥିବା ଅଭିଯୋଗ ହେଉଛି।
ପାଞ୍ଚ କୋଟିରୁ ଅଧିକ ଟଙ୍କା ହଡ଼ପ
ନୋଟିସ୍ ଦେଇ ଚୁପ୍ ବସିଛି ଖଣି ବିଭାଗ
ଖଣି ବିଭାଗ ୨୦ ଘାଟ ଉପରେ ୬କୋଟି ୭୦ଲକ୍ଷ ୩୪ହଜାର ୫୨ଟଙ୍କା ବାକି ପଡ଼ିଥିବାର ନୋଟିସ୍ ଜାରି କରିଥିଲା। ତନ୍ମଧୢରୁ ମାତ୍ର ୧କୋଟି ୭୨ଲକ୍ଷ ୨୦ହଜାର ୯୬୧ଟଙ୍କା ଆଦାୟ ହୋଇଛି। ମାର୍ଶାଘାଇର ତୁଳସୀପୁର ଘାଟ, ଡେରାବିଶର ବସପୁର, ଭାଗବତପୁର ଓ ଅରତାମୂଳ, ଆଳିର ପଦନୀପାଳ ଘାଟ ଉପରେ ଟଙ୍କାଟିଏ ବକେୟା ନାହିଁ। ଅର୍ଥାତ୍ ଲିଜ୍ଧାରୀ ସମସ୍ତ ବକେୟା ରାଶି ପଇଠ କରିଛନ୍ତି। ଏହି ପାଞ୍ଚ ଜଣଙ୍କୁ ଛାଡ଼ି ଦେଲେ ବାକି ୧୫ ଜଣଙ୍କ ଉପରେ ୪ କୋଟି ୯୮ଲକ୍ଷ ୧୩ହଜାର ୯୧ଟଙ୍କା ବାକି ପଡ଼ିଥିବା ଖଣି ବିଭାଗ ଦର୍ଶାଇଛି। ସବୁଠୁ ଅଧିକ ବାକି ପଟ୍ଟାମୁଣ୍ତାଇର ପେଣ୍ଠପାଳ-ଅମୃତମଣୋହି ଓ ଅଳପୁଆ ଘାଟ ଉପରେ ରହିଛି। ବ୍ରାହ୍ମଣୀ ନଦୀର ପେଣ୍ଠପାଳ-ଅମୃତମଣୋହି ଘାଟ ନିଲାମ ନେଇଥିବା ବ˚ଶୀଧର ସ୍ବାଇଁଙ୍କ ଉପରେ ୧ କୋଟି ୪୫ଲକ୍ଷ ୨୪ହଜାର ୨୫୪ଟଙ୍କା ବାକି ପଡ଼ିଥିବା ବେଳେ ଅଳପୁଆର ଲିଜ୍ଧାରୀ ମହମ୍ମଦ ଜୁନେଦ୍ ୧କୋଟି ୨୨ଲକ୍ଷ ୮୪ହଜାର ୯୧୬ଟଙ୍କା ବକେୟା ଦେଇନାହାନ୍ତି। ସମୁଦାୟ ୧୩ଟି ଘାଟ ଏଭଳି ରହିଛି, ଯେଉଁମାନଙ୍କୁ ଖଣି ବିଭାଗ ବକେୟା ରାଶିକୁ ନେଇ ନୋଟିସ୍ କରିବା ପରେ ବି ଟଙ୍କାଟିଏ ଦେଇନାହାନ୍ତି। ଏହାବାଦ୍ ଆଉ କିଛି ଜଣ ଲିଜ୍ଧାରି ଅଛନ୍ତି, ଯେଉଁମାନେ ଅଳ୍ପ କିଛି ପରିମାଣର ଟଙ୍କା ଦାଖଲ କରିଥିଲେ ବି ସେମାନଙ୍କ ଉପରେ ସି˚ହଭାଗ ବକେୟା ରାଶି ଗଡ଼ୁଛି।
ଏଭଳି ସ୍ଥିତିରେ କେବଳ ତୁଳସୀପୁର, ଅରତାମୂଳକ ବାଲିଘାଟ ସ˚ପ୍ରତି କାର୍ଯ୍ୟକ୍ଷମ ଥିବା ବେଳେ ବସପୁର, ଭାଗବତପୁର ଓ ପଦନୀପାଳ ଘାଟ ପରିଚାଳନା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଚାଲିଥିବା ଖଣି ବିଭାଗ ଦର୍ଶାଇଛି। ବାକି ୧୬ଟି ଘାଟକୁ ବକେୟା ରାଶି ପଇଠ ପାଇଁ ନୋଟିସ୍ ଜାରି ହୋଇଛି। ସେମାନେ ଟଙ୍କା ଦେଉନଥିବାରୁ ସ˚ପୃକ୍ତ ଉତ୍ସଗୁଡ଼ିକରୁ ବାଲି ଉତ୍ତୋଳନ ସ୍ଥଗିତ ରଖାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ଏ ସବୁ ଘାଟ ସହିତ କୋଡ଼ିଏରୁ ଅଧିକ ବେଆଇନ ଘାଟରୁ ବି ବେଧଡ଼କ ବାଲି ଚୋରି ହେଉଥିଲା। ଗଣମାଧୢମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଓ ଏସ୍ପିଙ୍କ ତତ୍ତ୍ବାବଧାନରେ ଗଠିତ ସାତଟି ସ୍କ୍ବାଡ୍ର ଘନଘନ ଚଢ଼ଉ ପରେ ସ˚ପ୍ରତି ବାଲି ଚୋରି ବନ୍ଦ ରହିଥିଲେ ବି ଏହା ବାସ୍ତବରେ କେତେ ଦିନ ବନ୍ଦ ରହିବ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।