ବାଲିଘାଟ ବୋମାମାଡ଼ ହତ୍ୟା ମାମଲା: ପ୍ରମିଳାଙ୍କ ସମ୍ପର୍କୀୟ ଗିରଫ

ମୁଖ୍ୟ ଅଭିଯୁକ୍ତ ସମେତ ୩ କୋର୍ଟଚାଲାଣ, ବିଂଝାରପୁର ଆଇନ୍‌ଶୃଙ୍ଖଳା ନେଇ ବିଜେଡି-ବିଜେପି ମୁହାଁମୁହିଁ

ଯାଜପୁର/ବିଂଝାରପୁର : ଯାଜପୁର ଜିଲ୍ଲା ବିଂଝାରପୁର ବାଲିଘାଟ ହତ୍ୟା ମାମଲାରେ ଶାସକ ଦଳ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକଙ୍କର ସମ୍ପର୍କୀୟ ଦାଦା ସୁରେନ୍ଦ୍ର ମଲିକ ଓରଫ ଦୁଲାଙ୍କୁ ପୁଲିସ ଗିରଫ କରିଛି। ସୁରେନ୍ଦ୍ରଙ୍କ ସମେତ ଗିରଫ ଅନ୍ୟ ୩ଜଣଙ୍କୁ ଆଜି କୋର୍ଟଚାଲାଣ କରିଛି। ପୂର୍ବରୁ ଏହି ଘଟଣାରେ ବିଧାୟିକା ପ୍ରମିଳା ବିରୋଧୀ ବିଜେପିକୁ ଟାର୍ଗେଟ୍‌ କରିଥିବାବେଳେ ଏବେ ବିଜେପି ପକ୍ଷରୁ ପାଲଟା ଆକ୍ରମଣ କରାଯାଇଛି। ଏହାକୁ ନେଇ ବିଂଝାରପୁର ରାଜନୀତି ଏବେ ସରଗରମ ହୋଇଛି।

ଗତ ୨୪ତାରିଖ ସଂଧ୍ୟାରେ ବିଂଝାରପୁର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀର ମନେଇ ବାଲିଘାଟ ବୋମାମାଡ଼ରେ ଲିଜଧାରୀ ସୁରେନ୍ଦ୍ର ଦାଶଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଯାଜପୁର ଏସପି ରାହୁଲ ପିଆର ହସ୍ତକ୍ଷେପ କରିବା ସହ କାର୍ଯ୍ୟରେ ଅବହେଳା ପାଇଁ ଏସଆଇ କଣ୍ଡୁରି ଚରଣ ଦାସଙ୍କୁ ନିଲମ୍ବନ କରିଥିଲେ। ବୋମାମାଡ଼ର ମୁଖ୍ୟ ଅଭିଯୁକ୍ତ ଗିରିଧାରୀ ମଲିକ ଓରଫ ଟେରାଙ୍କୁ ଗିରଫ କରିଥିଲା। ସେହିପରି ଟେରା ମଲିକଙ୍କ ପୁଅ ବିଷ୍ଣୁ ମଲିକ ଓ ବିଧାୟିକା ପ୍ରମିଳା ମଲିକଙ୍କ ନିକଟ ସଂପର୍କୀୟ ଦାଦା ସୁରେନ୍ଦ୍ର ମଲିକ ଓରଫ ଦୁଲାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

ବିଧାୟିକାଙ୍କ ସମ୍ପର୍କୀୟ ଗିରଫ ଘଟଣା ବିଂଝାରପୁର ରାଜନୀତିକୁ ସରଗରମ କରିଛି। ବାଲିଘାଟ ବୋମାମାଡ଼ ହତ୍ୟାକାଣ୍ଡ ଘଟଣା ପରେ ବିଧାୟିକା ଶ୍ରୀମତୀ ମଲିକ ବିଂଝାରପୁରର ଆଇନ୍‌ଶୃଙ୍ଖଳା ପାଇଁ ବିଜେପିକୁ ଦାୟୀ କରି କହିଥିଲେ। ବୋମା ଫିଙ୍ଗିଥିବା ଲୋକ ବିଜେପିର କର୍ମୀ ବୋଲି କହିଥିଲେ। ଆଜି ବିଧାୟିକଙ୍କର ସଂପର୍କୀୟ ଦାଦା ଦୁଲାଙ୍କୁ ପୁଲିସ ଗିରଫ କରି ଜେଲ୍‌ ପଠାଇବା ପରେ ବିଜେପିର ଜିଲ୍ଲା ସଭାନେତ୍ରୀ ବବିତା ମଲିକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଂଝାରପୁର ଅଞ୍ଚଳରେ ଯେତେ ଅପରାଧ ଘଟେ ବିଧାୟିକା ଆଗୁଆ ହୋଇ ନିଜକୁ ବଞ୍ଚାଇବା ପାଇଁ ସଫେଇ ଦେଇଥା’ନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର