ବାରିପଦା/ବେତନଟୀ/ବଡ଼ସାହି : ଲିଜ୍ ଅବଧି ପରେ ବି ବୁଢ଼ାବଳଙ୍ଗ ନଦୀଶଯ୍ୟାରୁ ବର୍ଷାଧିକ କାଳ ବାଲି ଚାଲାଣ କରୁଥିଲେ ଏକ ସଂଗଠିତ ଗୋଷ୍ଠୀ। ବାଲି ମାଫିଆଙ୍କ ପ୍ରତି ଅନୁଚିତ ଅନୁଗ୍ରହ ଯୋଗୁଁ ସରକାରଙ୍କର ପ୍ରାୟ ୧୭.୩ କୋଟିର ରାଜସ୍ବ ହାନି ହୋଇଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) କୋଲକାତା ବେଞ୍ଚ୍ ଏହି ମାମଲାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ଆଇନ୍ ଫାଶରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲଦାର ମମତାଜ୍ ମହାରଣା ଓ ଲିଜ୍ଧାରୀ ପ୍ରଦୀପ ବିନ୍ଧାଣୀ। ପରିବେଶ ଓ ଖଣି ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ଲିଜ୍ଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ପୁଲିସ ଗିରଫ କରିଥିବାବେଳେ ବଡ଼ସାହି ତହସିଲଦାର ମମତାଜ୍ ମହାରଣା ଫେରାର ହୋଇଯାଇଛନ୍ତି। ଆଗୁଆ ଜାମିନ୍ ପାଇଁ ତହସିଲଦାରଙ୍କୁ ଜାଣିଶୁଣି ଖସାଇ ଦିଆଯାଇଥିବା ଚର୍ଚ୍ଚା ଦୃଢ଼ୀଭୂତ ହେବାରେ ଲାଗିଛି। ରବିବାର ସକାଳେ ତହସିଲଦାର ଶ୍ରୀମତୀ ମହାରଣା ଅଫିସକୁ ଆସି ସାଙ୍ଗରେ କିଛି ଫାଇଲ ଧରି ପଳାଇ ଯାଇଥିଲେ। ଏହାର କିଛି ସମୟ ପରେ ଲିଜ୍ଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ପୁଲିସ ବେତନଟୀ ବ୍ଲକ୍ ଡାହିସାହି ଗାଁରୁ ଉଠାଇ ନେଇ କୋର୍ଟଚାଲାଣ କରିଛି। ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏହା ମଧ୍ୟରେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ତହସିଲଦାର ମମତାଜ୍ ମହାରଣାଙ୍କର ପତ୍ତା ପାଉନି ପୁଲିସ। ଫୌଜଦାରୀ ମାମଲା ରୁଜୁ ପରେ ବ୍ଲକ୍ ମୁଖ୍ୟାଳୟ ନ ଛାଡ଼ିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାରଙ୍କୁ ନିର୍ଦ୍ଦେଶ ରହିଥିଲା। ହେଲେ ସେ ଏହାକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ନିର୍ଦ୍ଦେଶରେ ସହକାରୀ ଜିଲ୍ଲାପାଳ ଗୀତା ମୁର୍ମୁ ବାଲି ଚୋରା ଚାଲାଣ ନେଇ ବଡ଼ସାହି ଥାନାରେ ତହସିଲଦାର ଓ ଲିଜ୍ଧାରୀଙ୍କ ନାଁରେ ଏତଲା ଦେଇଥିଲେ। କେସ୍ ନମ୍ବର ୧୧୪/୨୨ ଓ ୧୧୫/୨୨ରେ ଦୁଇଟି ମାମଲା ରୁଜୁ ହୋଇଥିଲା।