ବାଲିଘାଟ ନିଲାମ ସଂପର୍କିତ ମାମଲାରେ ପୂର୍ଣ୍ଣଚ୍ଛେଦ : ଲିଜ୍ ପଞ୍ଜୀକରଣ ତାରିଖଠାରୁ ଲିଜ୍ ଅବଧି ଗଣନା କରାଯିବ

କଟକ : ବାଲିଘାଟ ନିଲାମ ଅବଧି ଲିଜ୍ ପଞ୍ଜୀକରଣ ତାରିଖ ଠାରୁ ଗଣନା କରାଯିବ। ୫ ବର୍ଷ ପାଇଁ ବାଲିଘାଟ ନିଲାମ ନେଇଥିବା ବ୍ୟକ୍ତି ଲିଜ୍ ଡିଡ୍‌ର ପଞ୍ଜୀକରଣ ତାରିଖଠାରୁ ପାଞ୍ଚ ବର୍ଷ ଅବଧି ପୂରିବା ପର୍ଯ୍ୟନ୍ତ ସଂପୃକ୍ତ ଘାଟରୁ ବାଲି ଉତ୍ତୋଳନ କରିପାରିବେ। ବାଲିଘାଟ ଲିଜ୍ ଅବଧି ବିବାଦ ସଂପର୍କିତ ଏକାଧିକ ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରକାଶ କରିଥିବା ରାୟରେ ଏହା ଉଲ୍ଲେଖ କରାଯାଇଛି।

ମାମଲାର ବିବରଣରୁ ପ୍ରକାଶ ଯେ, ୨୦୧୫ରେ କୁଶଭଦ୍ରା ନଦୀର ବାଲିଘାଟ ୫ ବର୍ଷ (୨୦୧୫-୧୬ରୁ ୨୦୨୦) ପାଇଁ ନିଲାମ ଲାଗି ଭୁବନେଶ୍ବର ତହସିଲଦାର ବିଜ୍ଞପ୍ତି ପ୍ରକାଶ କରିଥିଲେ। କୁଶଭଦ୍ରା ନଦୀର କେଶୁରା ବାଲିଘାଟ ନିଲାମ ପ୍ରକ୍ରିୟାରେ ହାଇଏଷ୍ଟ ବିଡର ଥିବା ବ୍ୟକ୍ତି ରୟାଲଟି, ଇଏମଡି ବାବଦ ଅର୍ଥ ପଇଠ କରିଥିଲେ। ଏ ସଂପର୍କିତ ମାଇନିଂ ପ୍ଲାନ୍ ଅନୁମୋଦନ ହେବା ସହିତ ପରିବେଶ ମଞ୍ଜୁରୀ ସାର୍ଟିଫିକେଟ ସଂପୃକ୍ତ ବ୍ୟକ୍ତି ହାସଲ କରିଥିଲେ। ଏ ନେଇ ପ୍ରଥମେ ୨୦୧୬, ଜାନୁଆରି ୧୮ରେ ଭୁବନେଶ୍ବର ତହସିଲଦାର ଓ ଲିଜଧାରୀଙ୍କ ମଧ୍ୟରେ ଲିଜ୍‌ ଡିଡ୍ ସ୍ବାକ୍ଷରିତ (କାର୍ଯ୍ୟକାରୀ) ହୋଇଥିଲା। କିନ୍ତୁ ପ୍ରଥମ ଲିଜ୍ ଡିଡ୍ ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଘାଟରୁ ବାଲି ଉତ୍ତୋଳନ କରି ପାରି ନଥିଲେ। ଏହାପରେ ଏହି ଘାଟ ନେଇ ୨୦୧୬, ଜୁନ୍ ୧୦ରେ ଏକ ଅତିରିକ୍ତ ଲିଜ୍ ଡିଡ୍ କାର୍ଯ୍ୟକାରୀ କରାଯାଇଥିଲା ଓ ଏହି ଡିଡ୍ ମଧ୍ୟ ସେହି ଦିନ ପଞ୍ଜୀକୃତ ହୋଇଥିଲା। ପୂର୍ବରୁ ସଂପୃକ୍ତ ବ୍ୟକ୍ତି ରାୟଲ୍ଟି ଓ ଅନ୍ୟାନ୍ୟ ଅର୍ଥ ଜମା କରିଥି‌ବା ବେଳେ ଘାଟରୁ କିନ୍ତୁ ବାଲି ଉତ୍ତୋଳନ କରି ପାରି ନଥିଲେ। ଓଡ଼ିଶା ମାଇନର ମିନେରାଲ କନସେସନ୍ (ଆମେଣ୍ଡମେଣ୍ଟ) ରୁଲ୍ସ, ୨୦୧୬ ଅନୁସାରେ ବାଲି ଘାଟର ନିଲାମ ପାଇଁ ୫ ବର୍ଷିଆ ଲିଜ୍ ଡିଡ୍ ୨୦୧୬, ଜୁନ୍ ୧୦ରେ ପଞ୍ଜୀକୃତ ହୋଇଥିବା ବେଳେ ଏହାର ଅବଧି ୨୦୨୧, ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ଦର୍ଶାଇ ଲିଜଧାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୨୦୨୦, ମେ’ ୨ର ସ୍ପଷ୍ଟୀକରଣ ଉପସ୍ଥାପନ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଲିଜ୍ ଡିଡ୍ ପଞ୍ଜୀକରଣ ତାରିଖରୁ ଲିଜ୍ ଅବଧି ଗଣନା କରାଯିବ। ଏଭଳି ସ୍ପଷ୍ଟୀକରଣ ପରେ ପଞ୍ଜୀକରଣ ତାରିଖରୁ ଲିଜଧାରୀ ୫ ବର୍ଷ ପର୍ଯ୍ୟନ୍ତ ବାଲି ଉତ୍ତୋଳନ କରିବାରେ କିଛି ଅସୁବିଧା ନାହିଁ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

କଟକ ଜିଲ୍ଲା କଣ୍ଟାପଡା ତହସିଲ ଅନ୍ତର୍ଗତ କନ୍ଦଳ ନଦୀର ଅରିଶୋଳ-ଅଡଶପୁର ବାଲିଘାଟ, ଦେବୀ ନଦୀର ଝାରପଡା ବାଲିଘାଟ ଓ ଭୁବନେଶ୍ବର ତହସିଲ ଅନ୍ତର୍ଗତ କୁଆଖାଇ ନଦୀର ପାଣ୍ଡରା ଗ୍ରାମ ବାଲିଘାଟ ଲିଜ୍ ଅବଧି ଗଣନା ବିବାଦକୁ ନେଇ ରୁଜୁ ମାମଲାରେ ମଧ୍ୟ ହାଇକୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର