ପ୍ରଶାସନ-ବାଲି ମାଫିଆ ମଧୁଚନ୍ଦ୍ରିକା : ମୁଖ୍ୟମନ୍ତ୍ରୀଙ୍କ ସଟ୍‌ଡାଉନ୍ କଟକଣାକୁ ଫୁ, ପ୍ରଶାସନ ସହଯୋଗରେ ଆଳିପିଙ୍ଗଳ ବାଲିଘାଟରୁ ଶହ ଶହ ହାଇୱା ବାଲି ଲୁଟ୍!

ସମ୍ବାଦ ଫୋକସ୍

ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଉପ-ଜିଲ୍ଲାପାଳ

ଜଗତସିଂହପୁର ଟାଉନ୍ : ଜିଲ୍ଲାରେ ବାଲି ମାଫିଆଙ୍କ ରାଜ୍ ଚାଲିଛି। ପ୍ରଶାସନ-ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ସଟ୍‌ଡାଉନ୍‌ରେ ବି ବାଲି ଚୋରା ଚାଲାଣ କରାଯାଉଛି । ମାଫିଆଙ୍କ ପ୍ରାର୍ଦୁଭାବ ଏତେ ଯେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୪୮ ଘଣ୍ଟିଆ ସଟ୍‌ଡାଉନ୍ ନିୟମକୁ ମଧ୍ୟ ଫୁ କରି ଦେଇଛନ୍ତି । ଦିନ ରାତି ଶହ ଶହ ହାଇୱାରେ ବାଲି ଲୁଟ୍ କରାଯାଉଥିବା ଦେଖିବାକୁ ମିଳୁଛି । ହେଲେ ପ୍ରଶାସନର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁଁ ହୋଇ ବଢ଼ିବାରେ ଲାଗିଛି । ତେଣୁ ଜଗତସିଂହପୁର ସହ ୧୧ଟା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ କେବଳ ଅତିଆବଶ୍ୟକ ସେବାକୁ ଛାଡ଼ି ଦେଲେ ଅନ୍ୟ ସବୁ କିଛି ବନ୍ଦ । ଏମିତିକି ଖାଦ୍ୟ ସାମଗ୍ରୀ ପରିବହନକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯାଇ ସଚେତନ କରାଯାଉଛି । ଗତ କାଲି ଶନିବାର ଓ ରବିବାର ଜିଲ୍ଲାବାସୀ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିୟମ ମାନି ଘରେ ରହିଛନ୍ତି। ଔଷଧ ଦୋକାନ ଗୁଡ଼ିକୁ ଛାଡ଼ି ଦେଲେ ଅନ୍ୟ ଦୋକାନ ଗୁଡ଼ିକ ବନ୍ଦ ରହିଛି । ଯଦି କେହି ଅମାନିଆ ହୋଇ ବାହାରକୁ ଆସୁଛନ୍ତି ତେବେ ପୁଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି । ହେଲେ ଏଠାରେ ବାଲି ମାଫିଆଙ୍କୁ କିନ୍ତୁ ସାତ୍‌ଖୁନ୍‌ ମାଫ୍ କରାଯାଇଛି । ପ୍ରଶାସନ ସହଯୋଗରେ ଜିଲ୍ଲା ସାରା ବାଲିମାଫିଆ ମାନେ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି ।

ମୁଖ୍ୟତଃ ଆଳିପିଙ୍ଗଳ ବାଲିଘାଟରୁ ସଟ୍ ଡାଉନରେ ଶହ ଶହ ହାଇୱା ବାଲି ଲୁଟ୍ କରାଯାଉଥିବା ପ୍ରମାଣ ରହିଛି । ଦିନ ରାତି ବିନା ଭୟରେ ଓ ପ୍ରଶାସନିକ ଅଧିକାରୀଙ୍କ ଅକୁଣ୍ଠ ସହଯୋଗରେ ବାଲି ଉଠାଣ କରାଯାଉଛି। କିଛି ଦିନ ତଳେ କରୋନା କର୍ଫ୍ୟୁ ସମୟରେ ରାତିରେ ଆଳିପିଙ୍ଗଳ ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ନେଇ ସମ୍ବାଦରେ ଖବର ପ୍ରସାରଣ କରାଯାଇଥିଲା । ଏଥିରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆଳିପିଙ୍ଗଳ ବାଲି ଘାଟର ଲିଜ୍ ଅବଧି ସରବିା ପରେ ବି ସେଠାରୁ ବାଲି ଉଠାଯାଉଥିଲା । ଖବର ପ୍ରସାରଣ ପରେ ଜିଲ୍ଲାପାଳ ଆଳିପିଙ୍ଗଳ ବାଲି ଘାଟକୁ ବ୍ୟାରିକେଡ୍ କରିବାକୁ ଜଗତସିଂହପୁର ତହସିଲଦାର ମାନସ ରଂଜନ ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତହସିଲଦାର ବ୍ୟାରିକେଡ୍ କଲେ ନାହିଁ । ଓଲଟା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବାଲି ମାଫିଆଙ୍କୁ ସହଯୋଗ ପୂର୍ବକ କଳାକୁ ଧଳା କରି ପୁଣି ଥରେ ବାଲି ଘାଟକୁ ଚାଲୁ କରିଥିବା ନେଇ ଅଭିଯୋଗ ଉଠୁଛି। ସଟ୍‌ଡାଉନ୍‌ରେ ଅଖଚକ ବନ୍ଦ ଥିବା ବେଳେ କାହା ଅନୁମତିରେ ବାଲି ଘାଟ ଚାଲୁଥିଲା ତାକୁ ନେଇ ପ୍ରଶ୍ନ ଉଠୁଛି । ଏନେଇ ଜଗତସିଂହପୁର ତହସିଲଦାରଙ୍କୁ ଯୋଗଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନଥିଲେ। ତେବେ ଜଗତସିଂହପୁର ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସଟ୍‌ଡାଉନ୍‌ରେ ଆମେ ଖାଦ୍ୟସାମଗ୍ରୀ ଆଳୁ ଗାଡ଼ିକୁ ଆସିବାକୁ ଅନୁମତି ଦେଉ ନାହୁଁ । ବାଲି ହାଇୱାକୁ କେମିତି ଦେବୁ? ଯଦି ପ୍ରକୃତରେ ବାଲି ଘାଟରୁ ବାଲି ଚୋରା ଚାଲଣ ହେଉଛି ତେବେ ଏନେଇ ମୁଁ ତହସିଲଦାରଙ୍କୁ କହିଛି ତାଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯିବ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମଲ୍ଲିକ ସମ୍ବାଦକୁ ସୂଚନା ଦେଇଛନ୍ତି ।

ଅଧୀକାରୀଙ୍କ ଘରେ ପହଞ୍ଚୁଛି ଦଶ କେଜିଆ ମାଛ
ଜଗତସିଂହପୁର ତହସିଲ ଅଧିନରେ ୨୦୧୫ ମସିହାରେ ଆଳିପିଙ୍ଗଳ ବାଲି ଘାଟକୁ ରବୀନ୍ଦ୍ର ନାଥ ଜେନା ଲିଜ୍‌ରେ ନେଇଛନ୍ତି ସତ ହେଲେ ଜଣେ ସ୍ଥାନୀୟ ସରପଞ୍ଚ ଏହି ବାଲିଘାଟକୁ ଚଲାଉଥିବା ନେଇ ଅଭିଯୋଗ ଆସିଛି । କେବଳ ଏହି ବାଲିଘାଟ ପାଇଁ ୪ ବର୍ଷ ତଳେ ତାଙ୍କ ଦେହରେ ଗୁଳି ବାଜିଥିଲା । କେବଳ ଆଳିପିଙ୍ଗଳ କାହିଁକି ଏରଡ଼ା ବାଲି ଘାଟ ସେ ଚଳାଉଛନ୍ତି । ତେବେ ଏ ବ୍ୟକ୍ତି ଜଣଙ୍କ ଏତେ ଧୃତ ଯେ ସରକାରୀ ବାବୁଙ୍କୁ କିଭଳି କାବୁରେ ରଖିବାକୁ ହୁଏ ତାଙ୍କୁ ମାଲୁମ । ଇନୋଭା କାର୍‌ରେ ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ୧୦ କେଜିଆ ମଧୁର ମାଛ ସରକାରୀ ଅଧିକାରୀଙ୍କ ଘରେ ପହଞ୍ଚୁଛି । ମନ ତୋଷିବା ପାଇଁ କେତେ ବେଳେ ମିଠା ତ କେତେବେଳେ ପନି ପରିବା ଆଉ କେତେ ବେଳେ ଡ୍ରେସ୍ ଓ ସୁନା ଅଳଙ୍କାର ପହଞ୍ଚା ଯାଉଛି । ମଝିରେ ମଝିରେ ନାଲି ନୋଟ୍ ସାଙ୍ଗକୁ ନାଲି ପାଣି ବି ସରକାରୀ ଅଧିକାରୀଙ୍କ କ୍ୱାଟରରେ ପହଞ୍ଚୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର