ଭୁବନେଶ୍ବର: ଜିଲ୍ଲା ସର୍ଭେ ରିପୋର୍ଟ (ଡିଏସ୍ଆର୍)ରେ ଯଦି ପୁନଃ ଭରଣା ରିପୋର୍ଟ ସଂଲଗ୍ନ ନାହିଁ, ତା’ହେଲେ ବାଲି ଖନନ ପାଇଁ ପରିବେଶ ମଞ୍ଜୁରି ଦିଆଯାଇ ପାରିବ ନାହିଁ। ଜମ୍ମୁକାଶ୍ମୀରର ଏକ ମାମଲାରେ ସୁପ୍ରିମକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିଂହା ଏବଂ ବିଚାରପତି ଏଏସ୍ ଚନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ ଭାବେ ଏହା ଶୁଣାଇବା ସହିତ ପୂର୍ବରୁ ଏ ନେଇ ଏନ୍ଜିଟି (ଜାତୀୟ ସବୁଜ ଟ୍ରିବ୍ୟୁନାଲ) ଦେଇଥିବା ରାୟକୁ କାଏମ ରଖିଛନ୍ତି।
ଅତୀତରେ ସୁପ୍ରିମକୋର୍ଟ ନଦୀରୁ ବାଲି ଖନନ ମାମଲାରେ ଯଦିଓ ଏଭଳି ଏକାଧିକ ରାୟ ଦେଇଛନ୍ତି କିନ୍ତୁ ଏନ୍ଏଚ୍ଏଆଇ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁକାଶ୍ମୀର ପକ୍ଷରୁ ଦାଏର ମାମଲା ଏବେ ପୁଣି ଧ୍ୟାନ ଆକର୍ଷଣ କରିଛି। ବିଶେଷ କରି ଓଡ଼ିଶାରେ ବାଲିମାଫିଆମାନଙ୍କ ଉତ୍ପାତ ଓ ବେଆଇନ ଖଣି ଖନନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ସତର୍କ ଘଣ୍ଟି ସଦୃଶ ହୋଇଛି। ସରକାର ପୁନଃ ଭରଣା ରିପୋର୍ଟକୁ ନେଇ ରହିଥିବା ନିୟମକୁ କଡ଼ାକଡ଼ି ପାଳନ ନ କରିଲେ ଓଡ଼ିଶାକୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିବ। ବିଶେଷଜ୍ଞଙ୍କ କହିବାନୁଯାୟୀ, ସରକାର ଧର୍ମକୁ ଆଖିଠାର ମାରିବା ଭଳି ଜିଲ୍ଲା ସର୍ଭେ ରିପୋର୍ଟ ଏବଂ ନଦୀରେ ବାଲି ପୁନଃ ଭରଣା ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହା ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇବ। କେବଳ ସେତିକି ନୁହେଁ, ନଦୀ ଭଳି ଚଳତ୍ଶୀଳ ପ୍ରକୃତି ଉପରେ ଗଭୀର ପ୍ରଭାବ ପକାଇବ। ମନଇଚ୍ଛା ବାଲି ଖନନ ଏବଂ ପୁନଃ ଭରଣା ରିପୋର୍ଟ ଠିକ୍ ଭାବେ ପ୍ରସ୍ତୁତ କରାନଗଲେ ନଦୀ ଗତିପଥ ପରିବର୍ତ୍ତନ ହୋଇ ନଦୀକୂଳିଆ ଗାଁଗୁଡ଼ିକୁ ତାହାର ଗର୍ଭରେ ହଜାଇ ଦେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ।
ଯେକୌଣସି ସମୟରେ ବାଜିପାରେ ଅଦାଲତୀ ଛାଟ
ଜିଲ୍ଲା ସର୍ଭେ ରିପୋର୍ଟ ନିଷ୍ଠାର ସହ କରାଯାଉ
ନାଁକୁ ମାତ୍ର ପୁନଃ ଭରଣା ରିପୋର୍ଟ ଦାଖଲ ନ ହେଉ
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ୨୦୦୬ ମସିହାରୁ ରହିଛି। କିନ୍ତୁ ଏହା କେବଳ ଖଣି ଖନନ ପାଇଁ ରହିଥିଲା। କେନ୍ଦ୍ର ସରକାର ୨୦୧୬ ଜାନୁଆରିରେ ଏହି ନିୟମରେ ଏକ ସଂଶୋଧନ କରି ଲଘୁ ଖଣିଜକୁ ପରିବେଶ ପ୍ରଭାବ ଆକଳନ ପରିସରକୁ ଆଣିଥିଲେ। ଏଥିରେ ବାଲି, ମାଟି, ମୋରମ ଆଦି ସାମିଲ ରହିଛି। ୨୦୧୬ରେ ଯଦିଓ ଏ ନେଇ ଆଇନ ଆସିଲା, କିନ୍ତୁ ୨୦୧୮ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ୨୦୧୮ରେ ଡିଏସ୍ଆର୍ (ଜିଲ୍ଲା ସର୍ଭେ ରିପୋର୍ଟ) ପ୍ରସ୍ତୁତି ନେଇ ଏକ ବିସ୍ତୃତ ପ୍ରକ୍ରିୟା ଜାରି କରିଛନ୍ତି। ଏହା ଆସିବା ପରେ ପ୍ରତ୍ୟେକ ରାଜ୍ୟରେ ଥିବା ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ (ଇଆଇଏଏ) ବିଭିନ୍ନ ବିଭାଗକୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଚିଠି ଲେଖିଥିଲେ। ଏଭଳି ସ୍ଥିତିରେ ଓଡ଼ିଶା ସରକାର ୨୦୨୦ ମସିହାରୁ ଡିଏସ୍ଆର୍ ଆଣିଛନ୍ତି। ସବୁ ଜିଲ୍ଲା ଏବଂ ଖଣିଜ ସାମଗ୍ରୀ ପାଇଁ ଏଥିରେ ସର୍ଭେ ବ୍ୟବସ୍ଥା ରହିଛି।
କିନ୍ତୁ ଜିଲ୍ଲାସ୍ତରରେ ଡ୍ରୋନ୍ କିମ୍ବା ଅତ୍ୟାଧୁନିକ ପ୍ରଯୁକ୍ତି ଜରିଆରେ ପ୍ରକୃତ ସର୍ଭେ କରା ନଯାଇ ବହୁ ବର୍ଷ ପୂର୍ବେ ତହସିଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟକୁ ଟିକେ ଏପଟସେପଟ କରି ଦାଖଲ କରି ଦିଆଯାଉଛି। ଏହାଦ୍ବାରା ମାମଲା କୋର୍ଟ କଚେରିରେ ବା ଏନ୍ଜିଟିରେ ପହଞ୍ଚୁଛି। ଏକ ସୂଚନା ଅନୁଯାୟୀ, ରାଜ୍ୟରେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ଦାଖଲ ହୋଇଥିବା ଡିଏସ୍ଆର୍କୁ ଏନ୍ଜିଟି ଦୁଇଥର ଖାରଜ କରିଛନ୍ତି। ଗୋଟିଏ ବର୍ଷ ନଦୀରୁ ବାଲି ଉଠାଯିବା ପରେ ପରବର୍ଷ ସେହି ସ୍ଥାନରେ କେତେ ବାଲି ରହିଛି, ସେ ସଂକ୍ରାନ୍ତରେ ବାସ୍ତବ ଆକଳନ କରାଯାଉ ନାହିଁ। ମନଇଚ୍ଛା ସଂଖ୍ୟା ପକାଯାଉଛି। ଏବେ ବାଲି ଖନନ କାର୍ଯ୍ୟରେ ମେସିନ୍ର ବହୁଳ ବ୍ୟବହାର ହେଉଛି। ତେଣୁ ଆବଶ୍ୟକତାଠାରୁ ଅଧିକ ବାଲି ଖନନ ହେଉଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରଶାସନିକ କଳ ଆଖିବୁଜି ଦେଉଛି। ନଦୀରେ ପ୍ରତିବର୍ଷ ଗୋଟିଏ ସ୍ଥାନରେ ବାଲି ଜମା ହୁଏ ନାହିଁ। ଗୋଟିଏ ବର୍ଷ ବାଲି ଖନନ ପରେ ପରବର୍ଷ ନଦୀର ଯେଉଁ ସ୍ଥାନରେ ବାଲି ଜମା ହୋଇ ରହିଛି, ସେଠାରୁ ବାଲି ଖନନ କରାଯିବା କଥା। କେବଳ ସେତିକି ନୁହେଁ, ଯେତିକି ଭରଣା ହୋଇଛି ସେତିକି ବାଲି ଉଠାଇବାର ବ୍ୟବସ୍ଥା ନିୟମରେ ରହିଛି। ସେହିଭଳି ଆଇନ କହୁଛି ଯେ ନଦୀଶଯ୍ୟାରୁ ବାଲି ଉଠାଯିବା ସମୟରେ ଯେଉଁଠାରୁ ପାଣି ବାହାରିବ ସେଠାରେ ଆଉ ଖନନ ହେବ ନାହିଁ। ଅର୍ଥାତ୍ ନଦୀରେ ପାଣି ସ୍ତର ଆସିଲେ ବାଲି ଖନନ ବନ୍ଦ କରାଯିବ। କିନ୍ତୁ ଏହାକୁ କେହି ଧ୍ୟାନ ଦେଉନାହାନ୍ତି। ଏପରିକି ରାଜ୍ୟର ଅଧିକାଂଶ ନଦୀ ପାଣି ଭିତରେ ମେସିନ ପକାଯାଇ ବାଲି ଛଣାଯାଉଛି।
ସୁପ୍ରିମକୋର୍ଟ କିମ୍ବା ଏନ୍ଜିଟିଙ୍କ ଛାଟ ଆମ ରାଜ୍ୟରେ ବାଜିବା ପୂର୍ବରୁ ସରକାର ଏ ନେଇ ବିଶେଷ ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ ଶଙ୍କରପ୍ରସାଦ ପାଣି କହିଛନ୍ତି। ବିଶେଷଜ୍ଞଙ୍କ ମତରେ ଆଇନକୁ ଅଣଦେଖା କରାଗଲେ ଆଗାମୀ ଦିନରେ ପରିବେଶ ବିଗିଡ଼ିଯିବ। ଅତି ଲୋଭ କରି ନଦୀ ଗର୍ଭକୁ କୋରି ଦେଲେ ଭବିଷ୍ୟତରେ ଆଗାମୀ ପିଢ଼ିର ଆବଶ୍ୟକତା ପୂରଣ ପାଇଁ ବାଲି ମିଳିବା ସମ୍ଭବ ହେବ ନାହିଁ।