ମାଫିଆଙ୍କ ଉପରେ ଚଢ଼ଉ, ବଢ଼ୁଛି ବାଲି ଦର, ଗୃହ ନିର୍ମାଣ ପାଇଁ ପୁରୀ ସହରାଞ୍ଚଳରେ ମିଳୁନି ବାଲି

ପୁଲିସ ଜବତ କଲାଣି ୩୦ ଗାଡ଼ି

ପୁରୀ : ଗତ ସପ୍ତାହେ ହେବ ପୁରୀ ପୁଲିସ ସ୍କାନରରେ ରହିଛନ୍ତି ବାଲି ମାଫିଆମାନେ । ପୁରୀ ଜିଲ୍ଲାର ପ୍ରାୟ ଅଧିକାଂଶ ଥାନା ପୁଲିସ ଏହି ବାଲି ବୋଝେଜବତ କରୁଛି। ଇତି ମଧ୍ୟରେ ପ୍ରାୟ ୩୦ରୁ ଅଧିକ ଟିପର, ଟ୍ରକ ଓ ଟ୍ରାକ୍ଟରକୁ ପୁଲିସ ଜବତ କରିଥିବାବେଳେ ବେଆଇନ୍‌ ବାଲି କାରବାରରେ ସମ୍ପୃକ୍ତ ଡ୍ରାଇଭର ଓ ମାଲିକମାନଙ୍କୁ ଗିରଫ କରାଯାଇଛି। ଏବେ ବି କେତେକ ଗାଡ଼ି ମାଲିକ ଓ ବାଲି ମାଫିଆ ପେରାର ଥିବାରୁ ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଫଳରେ ଉପକୂଳୀୟ ଅଞ୍ଚଳ ପୁରୀ ସହରାଞ୍ଚଳରେ ଏବେ ଗୃହ ନିର୍ମାଣ ପାଇଁ ବାଲି ସ୍ବପ୍ନ ହେବାରେ ଲାଗିଲାଣି। ଯଦିଓ କିଛି ବାଲି ମିଳୁଛି ତାହା ଚଢ଼ା ଦରରେ ମିଳୁଛି। ପୁଲିସର ଏଭଳି ରୂପ ଦେଖି ବାଲି ମାଫିଆମାନେ ଏବେ ସେମାନଙ୍କ ଗାଡ଼ିକୁ ଗ୍ୟାରେଜ୍‌ରୁ ବାହାର କରୁନାହାଁନ୍ତି।

ପୂର୍ବରୁ କେତେକ ପୁଲିସଙ୍କୁ ହାତଗୁଞ୍ଜା ଦେଇହି ବାଲି ମାଫିଆମାନେ ବେଶ ଦୁଇ ପଇସା ରୋଜଗାର କରୁଥିଲେ। ପୁରୀରେ ଏହି ବାଲି ମାଫିଆମାନେ ସେମାନଙ୍କ ବେପାର ଜୋରସୋର୍‌ରେ ବଢ଼ାଇ ଦେଇଥିଲେ। ଏପରିକି ଏହି ବାଲିମାଫିଆମାନଙ୍କର ପୂର୍ବରୁ ଗୋଟିଏ ଲେଖାଏଁ ଗାଡ଼ି ରହିଥିବା ବେଳେ ଏବେ ସେମାନଙ୍କ ଗାଡ଼ିର ସଂଖ୍ୟା ବଢ଼ିଗଲାଣି। ମାତ୍ର ଏବେ ଏସ୍‌ପି ଅଖିଳେଶ୍ବର ସିଂହଙ୍କ ତାଗିଦ୍‌ ପରେ ପୁଲିସ ଆଉ ବାଲି ମାଫିଆଙ୍କ ମୁହଁକୁ ଅନାଉ ନାହିଁ। ଏହାର ସିଧା ସଳକ ପ୍ରଭାବ ପଡ଼ିଛି ନିର୍ମାଣ କାର୍ଯ୍ୟ ଉପରେ। ଗୃହ ନିର୍ମାଣ କରୁଥିବା ଲୋକମାନେ ଏଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାଦାରମାନେ କାମ ବନ୍ଦ କରିଦେଲେଣି। ବାଲି ନହେଲେ କାମ କିପରି ହେବ ବୋଲି ପ୍ରଶ୍ନ କଲେଣି।

ସମ୍ବନ୍ଧିତ ଖବର