ରାଉରକେଲା: ଆଗାମୀ ୫ ବର୍ଷ ଭିତରେ ରାଉରକେଲା ଗ୍ରାମ୍ୟ ନିର୍ବାଣ ବିଭାଜନ(ଆର୍‌ଡବ୍ଲ୍ୟୁ ଡିଭିଜନ) ପକ୍ଷରୁ ଏକାଧିକ ରାସ୍ତା ନିର୍ମାଣ କରାଯିବ। ଏହି ଡିଭିଜନ ଅନ୍ତର୍ଗତ କୁଆରମୁଣ୍ଡା, ବିଶ୍ରା, ନୂଆଗାଁ, ଲାଠିକଟା, ଗୁରୁଣ୍ଡିଆ, କୋଇଡ଼ା, ବଣାଇ, ଲଡୁଣୀପଡ଼ା ଆଦି ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆଦି ଭିନ୍ନ ଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ ହେବ। ଏହି ପ୍ରସ୍ତାବିତ ରାସ୍ତା ନିର୍ମାଣ ପାଇଁ ୭ ଲକ୍ଷ ୫୭ ହଜାର ୭୨ କ୍ୟୁବିକ ମିଟର ବାଲିର ଆବଶ୍ୟକତା ରହିଛି। ତେବେ ସଂପ୍ରତି ଯେଭଳି ଭାବେ ବାଲି ଚୋରାଚାଲାଣ ହେଉଛି, ସେଥିରେ ଅଙ୍କୁଶ ନ ଲାଗିଲେ ଆଗାମୀ ଦିନରେ ବାଲି ସଙ୍କଟ ଦେଖାଦେବାର ଆଶଙ୍କା ରହିଛି।
Advertisment
ଆଗାମୀ ପାଞ୍ଚ ବର୍ଷ, ଅର୍ଥାତ୍‌ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ କେବଳ ରାସ୍ତା ପ୍ରକଳ୍ପ ପାଇଁ ୭,୫୭,୦୭୨ କ୍ୟୁବିକ ମିଟର ବାଲି ଆବଶ୍ୟକ ହେବ। ଚଳିତ ଆର୍ଥିକ ବର୍ଷ, ଅର୍ଥାତ ୨୦୨୪-୨୫ରେ ୧,୦୨,୦୨୮ କ୍ୟୁବିକ ମିଟର ବାଲି ବ୍ୟବହୃତ ହେବାକୁ ଥିବାବେଳେ ୨୦୨୫-୨୬ରେ ୯୧,୮୨୫ କ୍ୟୁବିକ ମିଟର, ୨୦୨୬-୨୭ରେ ୯୩,୬୬୨ କ୍ୟୁବିକ ମିଟର, ୨୦୨୭-୨୮ରେ ୯୫,୫୩୫ କ୍ୟୁବିକ ମିଟର ଓ ୨୦୨୮-୨୯ରେ ୯୭,୪୪୬ କ୍ୟୁବିକ ମିଟର ବାଲି ବ୍ୟବହାର କରାଯିବ। ଏତଦ୍‌ବ୍ୟତୀତ ଅଞ୍ଚଳରେ ସେତୁ, ବିଲ୍‌ଡିଂ ଆଦି ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କରାଯିବାର ଯୋଜନା ରହିଛି। ଏସବୁ ପ୍ରକଳ୍ପରେ ବହୁ ପରିମାଣର ବାଲି ବ୍ୟବହାର ହେବ। ଏବେ କିନ୍ତୁ ନିୟମିତ ବାଲି ଚୋରାଚାଲାଣ ବିଭାଗର ଚିନ୍ତା ବଢ଼ାଇଦେଇଛି। ବାଲୁଘାଟ ପୂବର୍ରୁ ତହସିଲ ବିଭାଗ ଅଧୀନରେ ଥିବାବେଳେ ବାଲି ମାଫିଆ ତହସିଲ କାର୍ଯ୍ୟାଳୟର ଅଧିକାରୀଙ୍କ ସହିତ ଭିତିରିଆ ଲେଣଦେଣକରି ମନଇଚ୍ଛା ବାଲି ଚୋରି କରୁଥିଲେ।
ତହସିଲ ବିଭାଗର ଶୂନ କାର୍ଯ୍ୟାନୁଷ୍ଠାନ, ଅନୈତିକ ସନ୍ଧି ଉପରେ ଆନୁଷ୍ଠାନିକ ମୋହର ମାରିଥିଲା। ବାଲି ମାଫିଆମାନେ ରାଉରକେଲା ଆଖପାଖରେ ଥିବା ବାଲୁଘାଟକୁ ଏକପ୍ରକାର ଖାଲି କରିସାରିଲେଣି। ଉଠାଣ ପାଇଁ ଅନୁମତି ମିଳିନଥିବା ବାଲୁଘାଟରୁ ନିୟମିତ ବାଲି ଉଠାଯାଉଛି। ଏମିତିକି ଅନୈତିକଭାବେ ପୂର୍ବରୁ ବାଲି ଉଠାଇ ବିଭିନ୍ନ ଅଞ୍ଚଳରେ ଗଚ୍ଛିତ କରି ରଖାଯାଉଛି। ଉଦାହରଣସ୍ବରୂପ, ଲୁଆକେରା ବାଲୁଘାଟରୁ ଡଙ୍ଗାଘାଟ(ସେକ୍ଟର-୧୬) ପର୍ଯ୍ୟନ୍ତ ଏକ ଭିତିରିଆ ରାସ୍ତା ରହିଛି। ଉକ୍ତ ରାସ୍ତାରେ ବାଲି ପରିବହନ କରାଯାଇଥାଏ। ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବିପୁଳ ପରିମାଣର ବାଲି ଗଦା କରାଯାଇଛି। ତେବେ ଉକ୍ତ ବାଲିର ଖଜଣା କଟାଯାଇଛି ନା ନାହିଁ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।