ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବିଶେଷ କରି ଝାରସୁଗୁଡ଼ା ତହସିଲରେ ବାଲି କାରବାର ଏକ ବଡ଼ ଲାଭଦାୟକ ବ୍ୟବସାୟ । ଏହି ତହସିଲରେ ବାଲି ମାଫିଆ ଓ ଅଧିକାରୀ ମାନଙ୍କ ଦୀର୍ଘ ଦିନର ମଧୁ ଚନ୍ଦ୍ରିକା କାହାକୁ ଅଛପା ନୁହେଁ। ଏହି କାରବାରର ଚେର ବହୁ ଗଭୀରକୁ ଯାଇଥିବାରୁ  ପ୍ରଶାସନ ଏହାର ଚେର ଉପାଡ଼ିବାକୁ ସାହାସ ଜୁଟାଇ ନଥାଏ।  ଏହି ତହସିଲରେ ଅନେକ ତହସିଲଦାର ଆସି ପୁଣି ବଦଳି ଗଲେଣି କିନ୍ତୁ ବାଲି ଚୋରା କାରବାର ଉପରେ କେହି ମଧ୍ୟ ଅଙ୍କୁଶ ଲଗାଇବାକୁ ସାହାସ ଜୁଟାଇ ପାରି ନାହାନ୍ତି। ବହୁ କର୍ମଚାରୀ ଏହି ତହସିଲରେ ଦୀର୍ଘ ବର୍ଷରୁ ରହି ଆସିଥିବା ବେଳେ କିଛି ଅସାଧୁ କର୍ମଚାରୀ ବାଲି ମାଫିଆ ମାନଙ୍କୁ ଖୋଲାଖୋଲି ସହଯୋଗ ମଧ୍ୟ କରିଥାନ୍ତି।

Advertisment

ବାଲି ମାଫିଆ ମାନେ ଶାସକ ଦଳର ଛତ୍ରଛାୟା ତଳେ ରହି ଅନାୟାସରେ ନଦୀରୁ ବାଲି ଚୋରି କରୁଥିବା ବେଳେ ପ୍ରଶାସନ ଚୁପ୍‌ ରହିବା ପାଇଁ ବାଧ୍ୟ ହୋଇଥାଏ। ପୂର୍ବରୁ ଏହି ବାଲି ମାଫିଆ ମାନେ ଗ୍ରୀଷ୍ମ ଓ ଶୀତ ଋତୁରେ ନଦୀ ଶୁଖିଲା ଥିବା ସମୟରେ ବାଲି ଉତ୍ତୋଳନ କରୁଥିଲେ। ଏବେ କିନ୍ତୁ ଏହି ମାଫିଆ ମାନେ ଭରା ନଈରେ ଡଙ୍ଗାରେ ଲାଗିଥିବା ଶକ୍ତିଶାଳୀ ପମ୍ପ ମାଧ୍ୟମରେ ବାଲି ଶୋଷି ଆଣୁଛନ୍ତି। ଏହି ପମ୍ପ ପାଣି ସହିତ ବାଲିକୁ ଶୋଷି ନଦୀ ପଠାରେ ପକାଇ ଦେଉଥିବା ବେଳେ ପାଣି ପୁଣି ନଦୀ ଗର୍ଭକୁ ବୋହି ଯାଉଥିବା ବେଳେ ବାଲି ଜମା ହୋଇ ରହି ଯାଇଥାଏ। ଏହି ବାଲିକୁ ମାଫିଆ ମାନେ ହାଇୱା ମାଧ୍ୟମରେ ଚାଲାଣ କରୁଛନ୍ତି।

ଏହି ତହସିଲ ଅନ୍ତର୍ଗତ ସରବାହାଲ ରାଜସ୍ବ ନିରୀକ୍ଷକଙ୍କ ଅଧିନରେ ଥିବା ଭୁର୍କାମୁଣ୍ଡା ଓ ବଡ଼ମାଲ ରାଜସ୍ବ ଅଧିକାରୀଙ୍କ ଅଧିନରେ ଥିବା ଗରିଆଡିହି ଠାରେ ଭେଡ଼େନ ନଦୀରୁ ଏହି ବାଲି ଚୋରି ହେଉଥିବା ଖବର ମିଳିଛି। ଏହି ନଦୀ ଗର୍ଭରେ ମାଫିଆ ମାନେ ଡଙ୍ଗାରେ ଲାଗିଥିବା ୨୦୦ ଏଚ୍‌ପି ପାଣିପମ୍ପ ସାହାଯ୍ୟରେ ଅଭିନବ ଉପାୟରେ ବାଲି ଉତ୍ତୋଳନ କରି ଚାଲିଛନ୍ତି। ଗତ ଦୁଇ ମାସ ହେଲା ଏହି ଚୋରା କାରବାର ଅନାୟାସରେ ଚାଲିଥିବା ବେଳେ ଦୈନିକ ୫/୬ ଲକ୍ଷ ଟଙ୍କାର ବାଲି ଏଠାରୁ ଉଠା ଯାଇ ବିକ୍ରି କରାଯାଉଥିବା ଜଣାଯାଇଛି। ସରକାରଙ୍କ ଲଘୁ ଖଣିଜ ଆଇନ ଅନୁଯାୟୀ ବାଲି ଉତ୍ତୋଳନ ପାଇଁ ଅନେକ ଗୁଡ଼ିଏ ନିୟମ ରହିଥିବା ବେଳେ ଏହି ଆଇନକୁ ତହସିଲ ଦ୍ବାରା ପରିଚାଳନା କରାଯାଇଥାଏ।

ଲଘୁ ଖଣିଜ ଆଇନ ଅନୁଯାୟୀ ନଦୀ ମଧ୍ୟରେ ମେସିନ ଲଗାଇ ବାଲି ଉତ୍ତୋଳନକ କରାଯିବା ସଂପୂର୍ଣ୍ଣ ବେଆଇନ ଅଟେ। ସେହିପରି ସୂର୍ଯ୍ୟାସ୍ତ ପରେ ଲଘୁ ଖଣିଜ ଉତ୍ତୋଳନ ଉପରେ କଟକଣା ରହିଛି। ମାତ୍ର ଏହି ନିୟମ ଏଠାରେ କେଉଁ କାଳରୁ ପ୍ରଶାସନ ଉଠାଇ ନେଇଥିବା ବେଳେ ବାଲି ମାଫିଆ ମାନେ ମେସିନ ବ୍ୟବହାର କରି ବାଲି ଉ‌ତ୍ତୋଳନ କରି ଆସୁଥିଲେ। ତେବେ ବର୍ଷା ଦିନ ନଦୀରେ ପାଣି ରହୁଥିବାରୁ ବାଲି ଚୋରା କାରବାର ହେଉନଥିଲା । ଏବେ କିନ୍ତୁ ମ‌ାଫିଆ ମାନେ ଭରା ନଈରୁ ବାଲି ଚୋରା ପଦ୍ଧତି ଜାଣି ଯାଇଛନ୍ତି। ଏଥିପାଇଁ ବାହାରୁ ଏହି ଡ୍ରେଜର ଭଡ଼ାରେ ଆଣି ମାଫିଆ ମାନେ ବାଲି ଚୋରା କାରବାର ଅବ୍ୟାହତ ରଖିଥିବା ଜଣାଯାଇଛି। ଏହି ଘଟଣା ତହସିଲ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଜ୍ଞାତସାରରେ ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି।