ପୁଣି ବାଲି ଚୋର ସକ୍ରିୟ, ମେସିନ ଲଗାଇ ବେଧଡ଼କ ବାଲି ଚାଲାଣ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାକୁ ମାଫିଆମାନଙ୍କ ନନ୍ଦନକାନନ କହିଲେ ଭୁଲ୍‌ ହେବନି। ଏଠାରେ ସବୁ କ୍ଷେତ୍ରରେ ଚାଲିଛି ମାଫିଆରାଜ। ଏମାନଙ୍କ ଉପରେ ପୁଲିସ କି ପ୍ରଶାସନ କାହାର ନିୟନ୍ତ୍ରଣ ନାହିଁ। କୋଇଲା, ବାଲି, ପଥର , ପାଉଁଶ ସବୁ କ୍ଷେତ୍ରରେ ମାଫିଆଙ୍କ ଅଧିକାର। ଝାରସୁଗୁଡ଼ା ତହସିଲ ଅଧୀନରେ ଯେତିକି ସ୍ବୀକୃତିପ୍ରାପ୍ତ ବାଲିଘାଟ ରହିଛି ତାଠାରୁ ଅଧିକ ବେଆଇନ ବାଲିଘାଟ ଥିବା ଅଭିଯୋଗ ହୋଇଛି। ଲିଜ ଗୋଟିଏ ସ୍ଥାନରେ ଥିବା ବେଳେ ବଲି ଅନ୍ୟ ସ୍ଥାନରୁ ଉଠାଯାଉଛି। ଏହି ସମୟ ବାଲି ମାଫିଆଙ୍କୁ ବର୍ଷ ତମାମର ଆୟ ଦେଇଥାଏ। ଗ୍ରୀଷ୍ମ ଯାଉଥିବା ଓ ମୌସୁମୀ ଆସୁଥିବା ବେଳେ ଏମାନେ ନଦୀ ଭିତରେ ଦିନ ରାତି ମେସିନ ଲଗାଇ ଲକ୍ଷ ଲକ୍ଷ ଟ୍ରିପ ବାଲି ଚୋରା ଚାଲାଣ କରିଥା’ନ୍ତି। ଏବେ ତାଲପଟିଆ ଟାଙ୍ଗରପାଲି ନଦୀ ଘାଟରୁ  ବେଆଇନ ବାଲି ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ନିରବ ରହିଥିବା ଦେଖା ‌ଯାଇଛି।

କିଛି ସଚେତନ ନାଗରିକ ଏ ନେଇ ଲିଖିତ ଅଭି‌ଯୋଗ କରିଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ରହିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ ପ୍ରଶାସନ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ତାଲପଟିଆ ନଦୀଘାଟ ଝାରସୁଗୁଡ଼ା ଜିଲ୍ଲା ସୀମାରେ ଯାଉଥିବା ବେଳେ ସୁନ୍ଦରଗଡ଼ ଅଞ୍ଚଳର ବାଲି ମାଫିଆ ଏଠାରୁ ବାଲି ଉଠାଇ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଲଘୁ ଖଣିଜ ଉତ୍ତୋଳନ ବେଳେ ଯେଉଁ ନୀତିନିୟମ ରହିଛି ତାକୁ  ପାଳନ କରୁ ନଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ନିୟମ ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ବାଲି ଉତ୍ତୋଳନ ପାଇଁ ଅନୁମତି ନଥିବା ବେଳେ ନଦୀ ଭିତରେ ମେସିନ ବ୍ୟବହାର ମଧ୍ୟ ବାରଣ ରହିଛି। ତେବେ ଜିଲ୍ଲା ପ୍ରଶାସନ କୁଆଡ଼େ ମେସିନ ବ୍ୟବହାର ପାଇଁ ମୌଖିକ ଅନୁମତି ଦେଇଥିବା ଲିଜଧାରୀ କହୁଛନ୍ତି। ତେଣୁ  ହୁଏତ ନଦୀଶଯ୍ୟାରେ ମେସିନ ବାଲି ଖନନ କରୁଥିବା ବେଳେ ପ୍ରଶାସନ ଚଢ଼ଉ କରୁ ନଥିବା ଦେଖା ଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ବାଲି ମାଫିଆ ଝାରସୁଗୁଡ଼ା ଜିଲ୍ଲାରୁ ବାଲି ଉଠାଇ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି କରୁଥିବା ସତ୍ତ୍ବେ ପ୍ରାଶାସନିକ ଅଧିକାରୀମାନେ ନିରବରେ ବସି ଯାଇଥିବା ଅଭିଯୋଗ ହେଉଛି। ଇତି ମଧ୍ୟରେ ତାଲପଟିଆ ଘାଟରୁ ମାଫିଆମାନେ ଅନୁମାନିକ ୪ ହଜାରରୁ ଅଧିକ ଟ୍ରିପ୍‌ ବାଲି ନେଇ ସାରିଲେଣି। ଗୋଟିଏ ଟ୍ରିପ୍‌ ବାଲିର ଦାମ ସାଢ଼େ ୩ ହଜାର ହୋଇଥିବା ବେଳେ ସେହି ଅନୁଯ‌ାୟୀ ମାଫିଆମାନେ ସରକାରଙ୍କୁ  କୋଟି କୋଟି ଟଙ୍କା ଚୁନ ଲଗାଇ ସାରିଥିବା ଜଣାଯାଇଛି।

ପ୍ରତିବର୍ଷ ଭଳି  ତହସିଲ କର୍ମଚାରୀ ମୌସୁମୀ ବର୍ଷା ଆସିବା ସମୟରେ ବାଲିଘାଟକୁ ଯାଇ ଖୋଳାଯାଇଥିବା ନଦୀପଠାରେ  ଉଠାଯାଇଥିବା ବାଲିର ପରିମାଣ ମାପ କରିବାକୁ  ଯାଇଥା’ନ୍ତି। ବର୍ଷା ଯୋଗୁଁ ନଦୀରେ ପାଣି ଆସି ଯାଇଥିବାରୁ ମାପ କରିବା ସମ୍ଭବ ହେଲା ନାହିଁ ବ‌ୋଲି ରିପୋର୍ଟ ଦେଇଥା’ନ୍ତି। ତହସିଲ ଏହି ବେଆଇନ ବାଲି ଚାଲାଣକୁ ଏତେ ହାଲୁକା ଭାବରେ ନେବା ପଛର ରହସ୍ୟ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର