ରାୟଗଡ଼ା: ରାୟଗଡ଼ା ତହସିଲର ଖିଲିମିସିଗୁଡା ଘାଟରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣାର ଗୁମର ଖୋଲିବାରେ ଲାଗିଛି। ଲିଜଧାରୀ ଚଞ୍ଚକତା କରି ନକଲି ୱାଇ ଫର୍ମ ଜରିଆରେ ମାସ ମାସ ଧରି ବେପାର ଚଲାଇଥିବା ଘଟଣା ପଦାକୁ ଆସିବା ପରେ ତଦନ୍ତ ପାଇଁ ଥାନାରେ ଏତଲା ଦେଇଛନ୍ତି ଗୋଲମୁଣ୍ଡା ତହସିଲଦାର ସର୍ବେଶ୍ବର ଜାଲ୍। ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଲିଜଧାରୀ ଏପରି ଚଞ୍ଚକତା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

Advertisment

ଲକଡାଉନ୍ ସମୟରେ ବାଲି ମାଫିଆ ଗୋଲମୁଣ୍ଡା ତହସିଲର ନକଲି ୱାଇ ଫର୍ମ ଜରିଆରେ ରାୟଗଡ଼ା-ଆନ୍ଧ୍ର ସୀମାନ୍ତ କେରେଡ଼ା ଦେଇ ବିଶାଖାପାଟଣାକୁ ଶହ ଶହ ଟ୍ରକ୍, ଟିପରରେ ବାଲି ଚାଲାଣ କରିଛନ୍ତି। ବିଶାଖାପାଟଣାରେ ବାଲି ଲୋଡ୍ ପିଛା ୪୦ରୁ ୫୦ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଲି ଚୋରା ଚାଲାଣରେ ସଂପୃକ୍ତ ମାଫିଆ

publive-image

ଲକ୍ଷାଧିକ ଟଙ୍କାର ରାଜସ୍ବ ହଡ଼ପ କରିବା ସହିତ ମାଲାମାଲ୍ ମଧ୍ୟ ହୋଇଛନ୍ତି। ଚୋରା ଚାଲାଣ ବାବଦକୁ ରାୟଗଡ଼ା ରାଜସ୍ବ ବିଭାଗର ଅସାଧୁ ଅଫିସରଙ୍କ ନିକଟକୁ ମାସିକିଆ ହିସାବରେ ମୋଟା ଅଙ୍କର ଉତ୍କୋଚ ଆସୁଥିବାରୁ ଜାଣି ଶୁଣି ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏପରିକି ମେ ୧୪ ତାରିଖରେ ସୀମାନ୍ତ ଫାଟକରେ ଯାଞ୍ଚ ଦାୟିତ୍ବରେ ଥିବା ରାୟଗଡ଼ା ପରିବହନ ବିଭାଗର ଜଣେ ଅଧିକାରୀ ବାଲି ଟ୍ରକକୁ ଅଟକାଇ ଯାଞ୍ଚ କରିବା ପରେ ଜାଲ୍ ୱାଇ ଫର୍ମ ଚଞ୍ଚକତାକୁ ଧରିଥିଲେ। ହେଲେ ଜରିମାନା ଆଦାୟ କରିବା ପରିବର୍ତ୍ତେ ହାତଗୁଞ୍ଜା ନେଇ ଉକ୍ତ ଟ୍ରକକୁ ଛାଡ଼ି ଦେଇଥିଲେ। ପ୍ରଶାସନକୁ ମଧ୍ୟ ଏ ସଂପର୍କରେ ଜଣାଇନଥିଲେ। ଆନ୍ଧ୍ରପ୍ରଦେଶ ପରିବହନ ବିଭାଗ ରାୟଗଡ଼ା ଓ କଳାହାଣ୍ଡିରୁ ବାଲି ନେଇ ଯାଇଥିବା ୫ ଟ୍ରକକୁ ଅଟକାଇ ଯାଞ୍ଚ କରିବା ପରେ ୱାଇ ଫର୍ମ ଠିକ୍ ନଥିବା ଅଭିଯୋଗରେ ୫ ଟ୍ରକରୁ ଜରିମାନା ଆଦାୟ କରିଥିଲା। ଆନ୍ଧ୍ର ପରିବହନ ବିଭାଗ ଓ ପୁଲିସ୍ ବେଆଇନ ଚାଲାଣ ରୋକିବାକୁ ତତ୍ପରତା ଦେଖାଇଥିବା ବେଳେ ରାୟଗଡ଼ା ରାଜସ୍ବ ବିଭାଗ ଅଧିକାରୀ କିମ୍ବା ପରିବହନ ବିଭାଗ କର୍ତ୍ତୃପକ୍ଷ ଏଯାବତ୍ ମାଫିଆଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଲୋକଙ୍କ ଅଭିଯୋଗ ପରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିର୍ଦେଶରେ ଗତ ୩ ଦିନ ତଳେ ତହସିଲଦାର ଉମାଶଙ୍କର ବେହେରା ବାଲିଘାଟରେ ଚଢ଼ଉ କରି ୨ ଟ୍ରକରୁ ୨ ଲକ୍ଷ ଜରିମାନା ଆଦାୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଯାହା ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ବାଲି ଚୋରା ଚାଲାଣ ଘଟଣାର ତଦନ୍ତ ପାଇଁ ମଙ୍ଗଳବାର ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନିର୍ଦେଶ ଦେବା ପରେ ବାଲିଘାଟରୁ ବାଲି ଉତ୍ତୋଳନ ବନ୍ଦ ରହିଛି। ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ମିଳିତ ଭାବେ ଖିଲିମିସିଗୁଡା ବାଲିଘାଟକୁ ଯାଇ ଲିଜ୍ ଅଞ୍ଚଳ ପରିଦର୍ଶନ କରି ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି। ଉଭୟଙ୍କ ରିପୋର୍ଟକୁ ଆଧାର କରି ଜିଲ୍ଲାପାଳ ଏକ ରିପୋର୍ଟ ପ୍ରସ୍ତୁତ କରି  ଖୁବ୍ ଶୀଘ୍ର ବିଭାଗୀୟ ସଚିବଙ୍କୁ ପ୍ରଦାନ କରିବେ ବୋଲି ଜଣା ପଡିଛି।