ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ୬ଟି ସୈରାତ ଡିଏଲ୍ସି ( ଡିଷ୍ଟ୍ରିକ୍ଟ ଲେବଲ୍ କମିଟି) ଅନ୍ତର୍ଭୁକ୍ତ ହୋଇଛି। ତଥାପି ଏହିସବୁ ସୈରାତରୁ ବେଆଇନ ବାଲି ଉତ୍ତୋଳନ କରାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା; ସବୁ ଜାଣି ବି ଡିଏଲ୍ସି କମିଟିରେ ସଦସ୍ୟ ଥିବା ସରକାରୀ ବାବୁମାନେ ଏନେଇ ଚୁପ୍ ରହୁଛନ୍ତି। ଫଳରେ ସେମାନଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି। ଜଳେଶ୍ବର ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରେ ମହମ୍ମଦନଗର ପାଟଣା-କ, ମହମ୍ମଦନଗର ପାଟଣା-ଖ, ମହମ୍ମଦନଗର ପାଟଣା-ଗ ଓ ମହମ୍ମଦନଗର ପାଟଣା-ଘ ସହ ରାୟାଁରାମଚନ୍ଦ୍ରପୁର ଓ ଦକ୍ଷିଣ ପ୍ରହରାଜପୁର ପରି ମୋଟ ୬ଟି ସୈରାତ ରହିଛି। ଏହି ସୈରାତଗୁଡ଼ିକୁ ବାଲେଶ୍ବର ଡିଷ୍ଟ୍ରିକ୍ଟ ଲେବଲ୍ କମିଟି (ଡିଏଲ୍ସି)ରେ ଅନ୍ତର୍ଭୁକ୍ତ କରାଯାଇଛି। ଡିଏଲ୍ସି ହେଉଛି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି। କମିଟିରେ ଜଙ୍ଗଲ ଓ ପରିବେଶ ବିଭାଗ, ଜଳସମ୍ପଦ ବିଭାଗ, ପ୍ରଦୂଷଣ ବିଭାଗ, ଖଣି ବିଭାଗ, ରାଜସ୍ବ ବିଭାଗର ଅଧିକାରୀଙ୍କ ସହ ସ୍ଥାନୀୟ ତହସିଲଦାର ସଦସ୍ୟ ଅଛନ୍ତି।
ଜଙ୍ଗଲ ସଂରକ୍ଷଣ ଦୃଷ୍ଟିରୁ ଡିଏଲ୍ସି ଅଧୀନରେ ଥିବା ସୈରାତଗୁଡ଼ିକରୁ ବାଲି ଉତ୍ତୋଳନ କରାଯାଇ ପାରିବନି ବୋଲି ସୁପ୍ରିମ୍କୋର୍ଟଙ୍କ ଆଦେଶ ରହିଛି। କିନ୍ତୁ କୋର୍ଟଙ୍କ ଆଦେଶକୁ ଅବମାନନା କରି ଉପରୋକ୍ତ ୬ଟି ଯାକ ସୈରାତରୁ ମାଫିଆମାନେ ବେଆଇନ ଭାବେ ଖୋଲାଖୋଲି ବାଲି ଉତ୍ତୋଳନ କରୁଛନ୍ତି। ମହମ୍ମଦନଗର ପାଟଣା ସୈରାତ ନିକଟରେ ପୂର୍ବରୁ ୧ ଏକରରୁ ଅଧିକ ଅଞ୍ଚଳରେ ଝାଉଁ ଜଙ୍ଗଲ ଥିବା ବେଳେ ଏବେ ତାହା ସତ୍ତା ହରାଇଛି। ସେହିପରି ମହମ୍ମଦନଗର ପାଟଣା ଚର୍ଚ୍ଚଠାରୁ ସେକସରାଇ ଛକ ଯାଏଁ ନଦୀ କୂଳ ଖାଉଛି। ଏନେଇ ସବୁ ଜାଣୁଥିଲେ ବି ଡିଏଲ୍ସି କମିଟିରେ ସଭ୍ୟ ଥିବା ସରକାରୀ ବାବୁମାନେ ନିରବତା ଅବଲମ୍ବନ କରୁଛନ୍ତି। ଫଳରେ ସେମାନଙ୍କ ଭୂମିକାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ମହମ୍ମଦନଗର ପାଟଣା ଓ ସେକସରାଇ ଗ୍ରାମବାସୀ ଜଳେଶ୍ୱର ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ଖଣି ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସୁଫଳ ମିଳୁନି। ବରଂ ଯେଉଁମାନେ ଅଭିଯୋଗ କରୁଛନ୍ତି, ବାଲି ମାଫିଆ ସେମାନଙ୍କୁ ଧମକ ଦେଉଥିବା ଜଣାପଡ଼ିଛି।