ବ୍ରାହ୍ମଣୀ ନଦୀରୁ ବାଲି ଉଠାଣ ମାମଲା: ବିଚାର ବିଭାଗୀୟ ତଦନ୍ତ କମିସନ୍‌ ଗଠନ ପାଇଁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମଧୢଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ପାର୍ଶ୍ବ ଓ ନଦୀ ଗର୍ଭରୁ ଚାଲିଥିବା ବେଆଇନ୍‌ ବାଲି ଖନନ ମାମଲାରେ ବିଚାର ବିଭାଗୀୟ ତଦନ୍ତ କମିସନ୍‌ ଗଠନ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ । ଝାଡ଼ଖଣ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଆର‌୍‌.କେ ନିରାଥିଆଙ୍କ ଅଧୢକ୍ଷତାରେ ଗଠିତ ଏହି ତଦନ୍ତ କମିସନ୍‌ ଏହି ମାମଲାର ତଦନ୍ତ କରିବେ । ବ୍ରାହ୍ମଣୀନଦୀରୁ ପଟ୍ଟାମୁଣ୍ତାଇ ତହସିଲ ଅଞ୍ଚଳର ଚରାନରେନ୍ଦ୍ରପୁର ମୌଜା ଅଞ୍ଚଳରୁ ଶହ ଶହ ଟ୍ରକରେ ବାଲି ଚାଲାଣ ଯୋଗୁଁ ପ୍ରଦୂଷଣ ଓ ଦୁର୍ଘଟଣା ବୃଦ୍ଧି ହେଉଛି ବୋଲି ଅଭିଯୋଗ କରି ସାମଜସେବୀ ମନୋର˚ଜନ ପ୍ରଧାନ, ମିଟୁ ଦାଶଙ୍କ ଦ୍ବାରା ଦାୟର ମାମଲାର ବିଚାର କରି ଗ୍ରୀନ୍‌ ଟ୍ରିବ୍ୟୁନାଲ ଏହି ଦିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଏହି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶା ଯାଇଥିଲା ଯେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପଟ୍ଟାମୁଣ୍ତାଇ ତହସିଲଦାରଙ୍କ ଦ୍ବାରା ଦାଖଲ ସତ୍ୟପାଠ ମିଥ୍ୟା ଓ ତଦନ୍ତ ରିପୋର୍ଟ ଚ˚ଚକତାପୂର୍ଣ୍ଣ । ଏ ନେଇ ମାନ୍ୟବର ଅଦାଲତକୁ ପୂର୍ବରୁ ଅବଗତ କରାଯାଇଛି । ଆବେଦନକାରୀମାନେ ସେମାନଙ୍କର ଅଦାଲତ ଅବମାନନା ମକଦ୍ଦମା ଆଇ.ଏ ନ˚ ୪/୧୯ରେ ଦର୍ଶାଇଥିଲେ ଯେ କୋର୍ଟରେ ଦାଖଲ ତଦନ୍ତ ରିପୋର୍ଟ ମିଥ୍ୟା ଓ ମନଗଢ଼ା । ଜିଲ୍ଲାପାଳ ଉକ୍ତ ନଦୀରୁ ବାଲି ଖୋଳା ହେଉଛି ବୋଲି ଉଲ୍ଲେଖ କରିଥିବା ବେଳେ ତହସିଲଦାର ସତ୍ୟପାଠରେ ଆଦୌ ବାଲି ଖୋଳା ଯାଉନାହିଁ ବୋଲି ଉଲ୍ଲେଖ କରି ସରକାରୀ ତଥ୍ୟକୁ ମିଥ୍ୟା ପ୍ରମାଣିତ କରିଛନ୍ତି । ଏପରି ଘଟଣାକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଗୁରୁତ୍ବର ସହ ନେଇ ମାନ୍ୟବର ଏନ୍‌ଜିଟିଙ୍କର ପ୍ରଧାନ ଖଣ୍ତପୀଠ ନିରପେକ୍ଷ ତଦନ୍ତ ପାଇଁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ବତନ୍ତ୍ର ବିଚାର ବିଭାଗୀୟ କମିସନ ଏହି ମାମଲାରେ ସମସ୍ତ କାଗଜପତ୍ର ମାନ୍ୟବର କମିସନ୍‌ଙ୍କ ନିକଟରେ ଦାଖଲ କରିବା ସହ ତଦନ୍ତରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଆବେଦନକାରୀଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟର ଓକିଲ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି ଓ ଆଡଭୋକେଟ୍‌ ରାକେଶ କୁମାର ଷଡ଼ଙ୍ଗୀ ଓ ମନୋଜ ପାଣିଗ୍ରାହୀ ସହଯୋଗ କରୁଛନ୍ତି ।

ସମ୍ବନ୍ଧିତ ଖବର