ବାଲି ଓ ମୋରମ ଚୋରା ଚାଲାଣ, ୧୧ କୋର୍ଟ ଚାଲାଣ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଓ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ବେଆଇନ ଭାବେ ବାଲି ଓ ମୋରମ ଚୋରା ଚାଲାଣ କରୁଥିବା ଅଭିଯୋଗରେ ମଙ୍ଗଳବାର ୧୧ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ରିଆମାଳ ଓ କୁଣ୍ଢେଇଗୋଳା ପୁଲିସ ପକ୍ଷରୁ ରବିବାର ଚଢ଼ଉ କରାଯାଇ ବେଆଇନ ଭାବେ ବାଲି ଓ ମୋରମ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗୋଟିଏ ଜେସିବି, ୧୦ ଟ୍ରାକ୍ଟର ଜବତ କରାଯିବା ସହିତ ୧୧ ଚାଳକଙ୍କୁ ଗିରଫ କରାଯାଇଥିଲା।

ରିଆମାଳ ଥାନା ଅନ୍ତର୍ଗତ ତାରଙ୍ଗ ପଞ୍ଚାୟତ ଜରିପାଳ ଗ୍ରାମରେ ମୋରମ୍ ଚୋରା ଚାଲାଣ ହେଉଥିବା ବେଳେ ରିଆମାଳ ପୁଲିସ ଗୋଟିଏ ଜେସିବି ଓ ୪ ଟ୍ରାକ୍ଟର ଜବତ କରିଥିଲା। ଗାଡ଼ି ଚାଳକ ଟିହିଙ୍କୁ ମହାକୁଳ(୨୫), ରିଙ୍କୁ ବେହେରା(୨୧), ଦିଲ୍ଲୀପ ପ୍ରଧାନ(୨୪), ରାଧାକାନ୍ତ ନାୟକ(୨୫), ସଞ୍ଜୟ ଆଚାର୍ଯ୍ୟ (୩୮)କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲେ।

ସେହିପରି କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତାଳକୁଦର ବାଲିଘାଟରୁ ବାଲି ଚୋରା ଚାଲାଣ ଅଭିଯୋଗରେ ପୁଲିସ ୬ ଟ୍ରାକ୍ଟର ଓ ଚାଳକ ବିଷ୍ଣୁ ଚରଣ ନାୟକ(୨୪), ଚେମାର ମୁଣ୍ତା(୨୨), ତନ୍ମୟ ବେହେରା(୨୨), ଅରୁଣ କୁମାର ଅଦାବର(୩୮), ବାଙ୍ଗୁରୁ ପାତ୍ର(୨୨), କେଶବ ନାୟକ(୨୮)କୁ ଗିରଫ କରି ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲେ। ଆଜି ଉଭୟ ରିଆମାଳ ଓ କୁଣ୍ଢେଇଗୋଳା ପୁଲିସ ଗାଡି ଚାଳକମାନଙ୍କୁ ରିଆମାଳ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଅଛି।

ସମ୍ବନ୍ଧିତ ଖବର