ନାକଟିଦେଉଳ ବ୍ଲକ୍‌ର ଚମ୍ପାଳି ଓ ଟିକିରାରୁ ‌ବାଲି ଚୋରି ଅ‌ଭିଯୋଗ; ବାହାର ଜିଲ୍ଲା ଓ ପଶ୍ଚିମବଙ୍ଗକୁ ହେଉଛି ଚାଲାଣ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ର ଚମ୍ପାଳି ଓ ଟିକିରା ନଦୀରୁ ବେଆଇନ୍‌ ଭାବେ ବାଲି ଉଠାଯାଉଛି। ବାଲି ପାଇଁ ଲିଜ୍ ପାଇଥିବା ଠିକାଦାର ନିଜ ପାଇଁ ଉଦ୍ଦିଷ୍ଟ ପରିସୀମା ଅତିକ୍ରମ କରି ଅତିରିକ୍ତ ଅଞ୍ଚଳରୁ ବାଲି ଚୋରି କରୁଥିବା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଯେ ନାକଟିଦେଉଳ ତହସିଲ ଅଧିନସ୍ଥ ଚମ୍ପାଳି ଓ ଟିକିରା ନଈପଠାରୁ ବାହାର ଅଞ୍ଚଳ ଯଥା ଦେବଗଡ଼ ଜିଲ୍ଲା ଓ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଛି। ନାକଟିଦେଉଳ ନିକଟସ୍ଥ ଟିକିରା ନଈରେ ଏକ ବାଲିଘାଟ ଲିଜ୍ ଦିଆଯାଇଛି। ହେଲେ ସେଠାରୁ କେତେ ବାଲି ବିକ୍ରି କରିବା ପାଇଁ କେଉଁ ବ୍ୟକ୍ତିକୁ ଲିଜ୍ ଦିଆଯାଇଛି, କେତେ ଅଞ୍ଚଳରୁ ବାଲି ଉଠାଇବାକୁ ସୀମା ଚିହ୍ନଟ କରାଯାଇଛି କାହାକୁ ଜଣା ନାହିଁ। ବାଲି ମାଫିଆ ମାନେ କେବଳ ଟିକିରା ନଈର ଗୋଟିଏ ସ୍ଥାନରେ ଲିଜ୍ ପାଇଥିଲାବେଳେ ବେଧଡ଼କ ଭାବେ ଉଭୟ ଟିକିରା ଓ ଚମ୍ପାଳିର ବିଭିନ୍ନ ସ୍ଥାନରୁ ବାଲି ଉଠାଉଛନ୍ତି। ଜେସିବି ମେସିନ୍ ଦ୍ବାରା ବାଲି କଢ଼ାଯାଇ ହାଇୱା ଟ୍ରକ୍‌ ଓ ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଛି। ଫଳରେ ନଈରୁ ବାଲିକ୍ଷୟ ହେବା ସହ ନଈ କୂଳ ଖାଇ ବର୍ଷା ଦିନେ ଗାଁକୁ ପାଣି ମାଡ଼ି ଆସିବାର ଆଶଂକା ରହିଛି। ବାଲି ଚୋରି ଯୋଗୁଁ ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ମଧ୍ୟ ହାନୀ ହେଉଛି।

ଏନେଇ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକଙ୍କୁ ବହୁବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁ ନାହିଁ ବୋଲି ସେମାନେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଜେସିବି ଓ ହାଇୱା ସାହାଯ୍ୟରେ ବାଲି ଚାଲାଣ କରାଯାଉଥିବା ଫଟୋ ଓ ଭିଡିଓ ମଧ୍ୟ ସେମାନେ ପ୍ରଦାନ କରିଛନ୍ତି। ତେଣୁ ବାଲି ଚୋରା ଚାଲାଣ ରୋକିବାକୁ କେଉଁ ବ୍ୟକ୍ତିକୁ ବାଲିଘାଟ ଲିଜ୍ ଦିଆଯାଇଛି, କେତେ ଅଞ୍ଚଳ ଲିଜ୍ ଦିଆଯାଇଛି ତାହା ସୂଚନା ଫଳକ ମାଧ୍ୟମରେ ଜଣାଇବା, ବାଲି ଉଠାଇବା ପାଇଁ ଉଦ୍ଦିଷ୍ଟ ଅଞ୍ଚଳ ଜନ ସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଜରିଆରେ ଚିହ୍ନିତ କରିବା ତଥା ସୀମା ବାହାରୁ ବାଲି ଉଠାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ଏ ସଂପର୍କରେ ନାକଟିଦେଉଳ ‌ତହସିଲଦାର ସୁକାନ୍ତ ନାୟକ ନିଜ ପ୍ରତିକ୍ରିୟାରେ କହିଲେ, ଏହି ଅଭିଯୋଗ ଓ ଭିଡିଓ ତାଙ୍କର ହସ୍ତଗତ ହୋଇଛି। ଅର୍ଜୁନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଟିକିରା ନଈରେ ୧୨ ଏକର ଜମିରୁ ବାଲି ଉଠାଇବାକୁ ଲିଜ୍ ପ୍ରଦାନ କରାଯାଇଛି। ଦିନେ ଦୁଇଦିନ ମଧ୍ୟରେ ଆମେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହ ସୀମା ଚିହ୍ନଟ କରିବୁ। ଯଦି ତାଙ୍କୁ ଦିଆ ଯାଇଥିବା ଲିଜ୍‌ ବାହାରେ ଅଧିକ ଅଞ୍ଚଳରୁ ବାଲି ଉଠା ଯାଇଥିବା ଜଣା ପଡ଼ିବ ତାହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ନାୟକ କହିଛନ୍ତି। ତେବେ ଚମ୍ପାଳୀ ନଈରୁ ବାଲି ଉଠାଇବାକୁ ଲିଜ୍ ଦିଆଯାଇ ନଥିବା ସେ ସ୍ବୀକାର କରିଛନ୍ତି। ବେଆଇନ୍ ବାଲି ଉଠାଣ ସଂପର୍କରେ ଲୋକେ ପୂର୍ବରୁ ଅଭିଯୋଗ କରିଥିଲେ ବି ଆପଣ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ବୋଲି ପଚାରିବାରୁ ଶ୍ରୀ ନାୟକ କହିଲେ ଯେ ଏହି ବ୍ଲକ୍‌ରେ ବହୁ ସ୍ଥାନୀୟ ଲୋକ ବିନା କୌଣସି ଅନୁମତିରେ ନିଜନିଜ ଟ୍ରାକ୍ଟର୍‌ରେ ବାଲି ଚୋରି କରୁଥିଲେ। ତାହାକୁ ବନ୍ଦ କରାଯିବା ଯୋଗୁଁ କେହି ଆକ୍ରୋଶମୂଳକଭାବେ ଏଭଳି ମିଥ୍ୟା ଅଭିଯୋଗ କରିଥାଇ ପାରନ୍ତି।

ସମ୍ବନ୍ଧିତ ଖବର