ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉ​ତ୍ତୋଳନକୁ ନେଇ ଆଜି ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ତୁମୁଳକାଣ୍ଡ ଘଟିଛି। ଖାଦାନରେ ଚଢ଼ଉ କରିବାକୁ ଆସିଥିବା ପଶ୍ଚିମବଙ୍ଗ ପୁଲିସକୁ ବାଲି ମାଫିଆ ଓ ସେମାନଙ୍କର ସମର୍ଥକ ଘେରିଯାଇ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରେ ୫ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଥାନାରେ ମାମଲା ରୁଜୁ ହୋଇଛି। ଓଡ଼ିଶା ସୀମାକୁ ଲାଗିଥିବା ପଶ୍ଚିମବଙ୍ଗ ସୁନାକଣିଆ ବାଲି ସୈରାତକୁ ମେଦିନୀପୁରର ଦାସ ଏଣ୍ଟର୍‌ପ୍ରାଇଜେସ୍‌ ନାମକ ଏକ ସଂସ୍ଥା ଲିଜ୍‌ ନେଇଛି। କାଗଜପତ୍ର କାମ କିଛି ବାକି ଥିବାରୁ ଲିଜ୍‌ଧାରୀ ସଂସ୍ଥା ଏଯାଏ ବାଲି ଉତ୍ତୋଳନ ଆରମ୍ଭ କରିନି। ଯାହାର ସୁଯୋଗ ନେଇ କେତେକ ମାଫିଆ ଉକ୍ତ ସୈରାତରୁ କିଛିଦିନ ହେଲା ବାଲି ଉତ୍ତୋଳନ କରୁଛନ୍ତି। ଏ ନେଇ ଲିଜ୍‌ଧାରୀ ସଂସ୍ଥା ପୁଲିସର ଆଶ୍ରୟ ନେଇଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୯ଟା ବେଳେ ପଶ୍ଚିମବଙ୍ଗର ଦାନ୍ତୁନ ଥାନା ପୁଲିସ ସେଠାରେ ଚଢ଼ଉ କରି ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲା। ହେଲେ ମାଫିଆମାନେ ଜୋରଜବରଦସ୍ତ ଟ୍ରାକ୍ଟରଗୁଡ଼ିକୁ ଓଡ଼ିଶା ସୀମା ଜଳେଶ୍ୱର ବ୍ଲକ୍‌ ଗୁଆଗଡ଼ିଆ ଝାଉଁ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ।

Advertisment

ପଶ୍ଚିମବଙ୍ଗ ପୁଲିସ ପିଛା କରି ସେଠାରେ ପହଞ୍ଚିବା ବେ​ଳକୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାଲି ମାଫିଆ ଓ ସେମାନଙ୍କର ସମର୍ଥକ ଅତର୍କିତ ଆକ୍ରମଣ କରିବା ଫଳରେ ୫ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଆକ୍ରମଣକାରୀମାନେ ପୁଲିସ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଖବର ପାଇବା ପରେ ଦାନ୍ତୁନ ଥାନା ଆଇଆଇସି ଦେବାଶିଷ ଘୋଷ, ବେଲଦା ଏସ୍‌ଡିପିଓ ସାମିନ ବିଶ୍ବାସ ଓ ଜଳେଶ୍ୱର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୁଲିସ ବଳ ଆସିବା ପୂର୍ବରୁ ଦୁର୍ବୃତ୍ତମାନେ ଟ୍ରାକ୍ଟର ନେଇ ସେଠାରୁ ଚମ୍ପଟ ମାରିଥିଲେ। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦାନ୍ତୁନ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ରାଇବଣିଆ ଥାନାରେ ମଧ୍ୟ ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ଏତଲା ଦିଆଯିବ ବୋଲି ବେଲଦା ଏସ୍‌ଡିପିଓ ସାମିନ ବିଶ୍ବାସ କହିଛନ୍ତି।