ସୁନ୍ଦରଗଡ଼: ଇବ୍‌ ନଦୀର ଉପରୁ ତଳମୁଣ୍ଡ ଯାଏ ୨୫ରୁ ଅଧିକ ବେଆଇନ ବାଲିଘାଟ। ରାତି ଅନ୍ଧାର ନୁହେଁ, ଦିନ ଦ୍ବିପ୍ରହ‌ରରେ ଘାଟଗୁଡ଼ିକରେ ଜେସିବି,  ପୋକଲିନ୍‌ ସହ ହାଇୱା, ଟ୍ରକ୍‌, ଟ୍ରାକ୍ଟରର ଭିଡ଼। ଦେଖିଲେ ଲାଗିବ, ‌ଯେମିତି ନିଲାମ ପାଇଥିବା ଘାଟରୁ ବାଲି ଉଠାଉଛନ୍ତି ନିଲାମଧାରୀ। କିନ୍ତୁ ପ୍ରକୃତ‌ରେ ସେମାନେ ନିଲାମଧାରୀ ନୁହନ୍ତି, ଜଣେ ଜଣେ ବାଲି ମାଫିଆ। ଦୈନିକ ଶହଶହ ଟନ୍‌ ବାଲି ଉଠାଇ ଜିଲ୍ଲା ଓ ଜିଲ୍ଲା ବାହାରକୁ, ଏପରିକି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଛି ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନିକଟରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଇବ୍‌ ନଦୀ ବାଲି ଚୋରିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ସତ୍ତ୍ବେ ବାଲି ଚୋରିରେ ଅଙ୍କୁଶ ଲାଗିପାରୁନି। ବଡ଼ କାରଣ ହେଲା, ଚୋରିରେ ସାମିଲ ଅଛନ୍ତି ନେତା ଓ ମନ୍ତ୍ରୀଙ୍କ ଖାସ୍‌ କର୍ମୀ। ଯେଉଁଥି ପାଇଁ ଖଣି ବିଭାଗର ହାତ ପାଉ ନଥିବା ଅଭିଯୋଗ ‌ହେଉଛି। କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିଲେ ମଧ୍ୟ ସରକାର ନିରବ। 

Advertisment

ରାଜସ୍ବ ବିଭାଗ ହାତରୁ ଖଣି ବିଭାଗକୁ ବାଲି ଚାଲିଯିବା ପରେ ଗୋଟିଏ ବର୍ଷ ହେବ ଇବ୍‌ ନଦୀ ବାଲିଘାଟ ଲିଜ୍ ଦିଆଯାଇନାହିଁ। ଏହାର ଫାଇଦା ନେଇ ବାଲି ମାଫିଆମାନେ ନଦୀ ପଠାରୁ ହଜାର ହଜାର ଘନଫୁଟ ବାଲି ଜେସିବି ଓ ପୋକଲିନ୍‌ରେ ରାମ୍ପି ହାଇୱା, ଟ୍ରାକ୍ଟର୍‌ରେ ବୋହି ନେଉଛନ୍ତି। ଛତିଶଗଡ଼ର କୁନକୁରିରୁ ବାହାରିଥିବା ଇବ୍‌ ନଦୀ ସୁନ୍ଦରଗଡ଼ ଦେଇ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ନିକଟରେ ମହାନଦୀର ହୀରାକୁଦ ଜଳଭଣ୍ଡାରରେ ମିଶିଛି। ସୁନ୍ଦରଗଡ଼ ଉପରମୁଣ୍ଡ ତେଲିଯୋରଠାରୁ ଶେଷମୁଣ୍ଡ ଭଷ୍ମା ଯାଏ ୭୦ କିଲୋମିଟର ଲମ୍ବ ଇବ୍‌ ନଦୀର ବାଲି ଖୁବ୍‌ ସରୁ ଓ ସଫା। ତେଣୁ ଘର ତିଆରି ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଏହାର ଚାହିଦା ଥିବାରୁ ମାଫିଆ ମାତିଛନ୍ତି। ଉପରମୁଣ୍ଡରୁ ତଳ ଯାଏ ବାଲିଶଙ୍କରା ନିକଟ ଘୋଘରର ୨ଟି ଘାଟ, ଗଇଲୋ, ଜାଏସର, ଡାଇଜମହୁଲ, ଭୋଜପୁର, ଚିତାଭଙ୍ଗା, ଦରବାରଘାଟ, ଜପଙ୍ଗା, ଭଷ୍ମା, ବିଲେଇଗଡ଼, ମଙ୍ଗସପୁର ଆଦି ୨୫ରୁ ଅଧିକ ବେଆଇନ ବାଲିଘାଟରୁ ଦୈନିକ ଶହେରୁ ଅଧିକ ହାଇୱା ଓ ଟ୍ରକ୍‌ରେ ବାଲି ଉଠାଇ ଚାଲାଣ କରୁଛନ୍ତି। 

ବାଲିଘାଟଗୁଡ଼ିକ ରାଜସ୍ବ ବିଭାଗରୁ ଖଣି ବିଭାଗ ହାତକୁ ଚାଲିଯିବା, ବାଲିଘାଟ ଲିଜ୍ ନ ହେବା ଓ ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାରେ ଖଣି ବିଭାଗ କାର୍ଯ୍ୟାଳୟ ନଥିବାରୁ ବାଲି ମାଫିଆଙ୍କ କଚେପୁଅ ବାର ହୋଇଯାଇଛି। ଏଥିରୁ ଟଙ୍କାଟିଏ ବି ରାଜସ୍ବ ଜମା କରିବାକୁ ନଥିବା ବେଳେ ମାଫିଆମାନେ ଏହି ବାଟରେ ବର୍ଷକୁ ଶହେ କୋଟିରୁ ଅଧିକ ଟଙ୍କା ଆୟ କରୁଥିବା ସୂଚନା ରହିଛି। ଅନ୍ୟପଟେ ନଦୀଗର୍ଭରୁ ଅବିଚାରିତ ଭାବେ ବାଲି କାଢ଼ି ନେବା ଯୋଗୁ ନଦୀର ଗତିପଥ ମଧ୍ୟ ବଦଳିବାରେ ଲାଗିଲାଣି। ଖୋଦ୍‌ ବିଧାୟକଙ୍କ ଉଦ୍‌ବେଗ ପରେ ବି  ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନର ଆଖି ଆଗରେ ଇବ୍‌ ନଦୀ ବାଲି ‌ଚୋରାଚାଲାଣ ଉପରେ ରୋକ୍‌ ନ ଲାଗିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିନା ଟିପିରେ ହେଉଛି ଚାଲାଣ

ରାଉରକେଲା: ଶଙ୍ଖ ଓ କୋଏଲ୍‌ ନଦୀରେ ମାତିଛନ୍ତି ବାଲି ମାଫିଆ। ଲିଜ୍‌ ଘାଟକୁ ବି ଛାଡ଼ୁନାହାନ୍ତି। ମେସିନ୍‌ ଲଗାଇ ପ୍ରତିଦିନ ଉଠାଉଛନ୍ତି ଶହଶହ ଟ୍ରକ୍‌ ବାଲି। ପୁଣି ବିନା ଟିପି (ଟ୍ରାନ୍‌ଜିଟ୍‌ ପାସ୍‌)ରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି। ଖଣି ବିଭାଗ ଓ ସ୍ଥାନୀୟ ପୁଲିସ ସବୁ ଦେଖି ଚୁପ୍‌ ରହୁଛି। କୋଏଲ୍‌ ନଦୀର ତେତେରକେଲା ଘାଟର ଗୋଟିଏ ପାର୍ଶ୍ବକୁ ଲିଜ୍‌ ଦିଆଯାଇଛି। ଅନ୍ୟପାର୍ଶ୍ବରେ ବେଧଡ଼କ ବାଲି ଉଠାଚାଲିଛି। ତାହା ପୁଣି ରାତିରେ ନୁହେଁ, ଦିନସାରା ଏମିତି ବେଆଇନ କାମ ଚାଲିଛି। ସ୍ଥାନୀୟ ଲୋକ ପ୍ରତିବାଦ କରୁଥିଲେ ବି ମାଫିଆଙ୍କର ଖାତିର ନାହିଁ। ଓଲଟା ସେମାନେ ଲୋକଙ୍କୁ ଧମକଚମକ ଦେଉଛନ୍ତି। ବାଲି ଚାଲାଣକୁ ନେଇ ବିଗତ ଦିନରେ ତେତେରକେଲା ଘାଟରେ ଏକାଧିକ ହିଂସାକାଣ୍ଡ ହୋଇଛି। ତଥାପି ଖଣିବିଭାଗ ଓ ସ୍ଥାନୀୟ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଉନି। ତେତେରକେଲା ଘାଟରୁ ବିନା ଟିପିରେ ସୀମା ଆରପଟେ ଥିବା ଝାଡ଼ଖଣ୍ଡର ଗାଁଗୁଡ଼ିକୁ ବାଲି ଚାଲାଣ ହେଉଛି। ମୁଖ୍ୟରାସ୍ତାରେ ଧରାପଡ଼ିଯିବାର ଭୟ ଥିବାରୁ ଗଳାବାଟ ଦେଇ ଝାଡ଼ଖଣ୍ଡ ସୀମାନ୍ତ ଗାଁଗୁଡ଼ିକୁ ବାଲି ଚାଲାଣ ହେଉଛି। 

ସମାନ ସ୍ଥିତି ଉପୁଜିଛି ଶଙ୍ଖନଦୀର ବେଦବ୍ୟାସ ଯମୁନାନାକି ଅଞ୍ଚଳର କେତେକ ବାଲିଘାଟରେ। ଖଣିବିଭାଗ କିଛି ଘାଟକୁ ଲିଜ୍‌ ଦେଇଛି। ହେଲେ ବାଲିମାଫିଆ ଖଣି ଅଧିକାରୀ ଓ ସ୍ଥାନୀୟ ପୁଲିସ ସହ ଭିତିରି ସଲାସୁତରା କରି ଏସବୁ ଘାଟରୁ ଦିବାଲୋକରେ ବାଲି ଉଠାଉଛନ୍ତି। ଏସବୁ ବାଲି ବେଦବ୍ୟାସ, ଦଣ୍ଡିଆପାଲି, ବେଲ୍‌ଡିହି, ଆଇଡିସି, କଲୁଙ୍ଗା ଆଦି ଅଞ୍ଚଳକୁ ଦିନରାତି ଚାଲାଣ ହେଉଛି। କିଛି ବ୍ୟବସାୟୀ ମାଫିଆଙ୍କଠାରୁ କମ୍‌ ଦରରେ ଶହଶହ ଟ୍ରକ ବାଲି କିଣି ଗୋଟିଏ ସ୍ଥାନରେ ଜମା କରୁଛନ୍ତି। ସେଠାରୁ ପୁଣି ଗ୍ରାହକଙ୍କୁ ହାଇୱା ପିଛା ୧୬ ହଜାର ଓ ଟ୍ରାକ୍ଟର ପିଛା ୩ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। କିଛି ମାସ‌ ହେବ ଯମୁନାନାକି ଶଙ୍ଖନଦୀର କିଛି ଘାଟରେ ଏଭଳି ବାଲି‌ ଚୋରାଚାଲାଣ ଜୋରସୋର୍‌ରେ ଚାଲିଛି। ଦିନରେ ଶତାଧିକ ଡମ୍ପର୍‌, ହାଇୱା ଓ ଟ୍ରାକ୍ଟର୍‌ ବେଦବ୍ୟାସର ବିଭିନ୍ନ ଗାଁ ରାସ୍ତା ଦେଇ ଯାଉଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ସ୍ଥାନୀୟବାସିନ୍ଦା ଓ ଗାଡ଼ିମାଲିକଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଉଛି। ଅଭିଯୋଗ ଥାନାରେ ପହଞ୍ଚୁଛି। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏସବୁ ଘାଟରୁ ସରକାର ମାସିକ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହରାଉଥିଲେ ହେଁ ବିଭାଗୀୟ ଅଧିକାରୀ ବେଆଇନ କାରବାର ‌ରୋକିବା ପରିବର୍ତ୍ତେ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।