ପ୍ରଶାସନର ପ୍ରତିଶ୍ରୁତି ପାଣରେ ଗାର: ରାତିସାରା ଭାରୀଯାନରେ ବାଲି ପରିବହନ

ବ୍ୟାସନଗର: କେବଳ ୬ ଚକିଆ ଗାଡ଼ିରେ ବାଲି ପରିବହନ ହେବ। ଭାରୀଯାନରେ ପରିବହନ ନକରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତି ପାଣିରେ ଗାର ହୋଇଥିବା ଦେଖିବାକୁ ମିଳିଛି। ବ୍ୟାସନଗର ସହରକୁ ରାତି ୧୦ ଟା ପରେ ଶହଶହ ଟ୍ରିପ ହାଇୱାରେ ବାଲି ଆସୁଥିବା ଦେଖିବାକୁ ମିଳିଛି। ଏପରି ସ୍ଥିତିରେ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରେଇ ବ୍ଲକ ବୈତରଣୀ ନଦୀ ପାଣିକୋଇଲି ଥାନା ଧନତ୍ରୀ, ଶାଳବା, କୋରେଇ ଥାନା ଅନ୍ତର୍ଗତ ନିସଙ୍ଗପୁର, ମୁକୁନ୍ଦପୁରୁ, ଗମ୍ଭାରିଆ, ସାଆଁଳା ବାଲିଘାଟରୁ ହାଇୱାରେ ସହରକୁ ବାଲି ପରିବହନ ହେଉଛି। ପ୍ରଶାସନର ଜାଣତରେ କି ଅଜାଣତରେ ଏହି ବାଲି ପରିବହନ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ପରିବହନରେ ରାଜସ୍ୱ ବିଭାଗ ପୁଲିସ ପ୍ରଶାସନ ସମ୍ପୃକ୍ତ ଥିବା ନେଇ କୋରେଇ ସଂଗ୍ରାମ ସମିତି ଦାବି କରିଛି।

ପ୍ରକାଶ ଯେ ବୈତରଣୀ ନଦୀର ୬ ଗୋଟି ବାଲିଘାଟରୁ ଭାରୀଯାନରେ ବାଲି ପରିବହନକୁ ବିରୋଧ କରି କୋରେଇ ସଂଗ୍ରାମ ସମିତି ପକ୍ଷରୁ ଗତ ୨୫ ତାରିଖରୁ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ଆଗରେ ଗଣଧାରଣାରେ ବସିଥିଲେ। ଏହା ୭ ଦିନ ଧରି ଚାଲିଥିବା ବେଳେ ଗତ ୩୧ ତାରିଖ ଅନୁଷ୍ଠିତ ଜନଶୁଣାଣି ଶିବିରରେ ପହଞ୍ଚିବାକୁ ପ୍ରାଶାସନିକ ଅଧିକାରୀମାନେ କୋରେଇ ସଂଗ୍ରାମ ସମିତିକୁ ଅନୁରୋଧ କରିଥିଲେ। ଏହାପରେ ସମିତିର ସମ୍ପାଦକ, ସଭାପତି, ସହ ସମ୍ପାଦକ, ଉପସଭାପତି, କୋଷାଧ୍ୟକ୍ଷଙ୍କ ସମେତ ୭ ଜଣିଆ ପ୍ରତିନିଧି ଦଳ ଯୋଗଦେଇଥିଲେ।

ସମିତିର ଦାବି ବିଦ୍ୟାଧର ମହାନ୍ତି ଉପସ୍ଥାପନ କରିଥିଲେ। ରାସ୍ତା ଓ ନଦୀବନ୍ଧ ତୁରନ୍ତ କାର୍ଯ୍ୟକାରୀ କରିବା, ଭାରୀଯାନରେ ବାଲି ପରିବହନ ବନ୍ଦ କରିବା ପାଇଁ ଦାବି କରିଥିଲେ। ପ୍ରଶାସନ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଲିଖିତ ଭାବେ ତହସିଲ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ଉଲ୍ଲେଖ କରିବା, ଏକକିତା ନକଲ ପାଣିକୋଇଲି ଥାନା, କୋରେଇ ଥାନାକୁ ଦେବା ପାଇଁ ସମିତି ପକ୍ଷରୁ ଦାବି କରିଥିଲେ। ବ୍ୟାସନଗର ତହସିଲଦାର ଅଶୋକ ମାଝୀ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। କିଛିଦିନ ଭାରୀଯାନରେ ପରିବହନ ବନ୍ଦ ରହିଥିବା ବେଳେ ଏବେ ରାତିରେ ଖୋଲାଖୋଲି ଭାରୀଯାନରେ ବାଲି ବୁହାଯାଉଛି। ପୁଲିସ ପ୍ରଶାସନ ଜାଣତରେ ରାତିରେ ଭାରୀଯାନରେ ବାଲି ପରିବହନ ହେଇଛି ବୋଲି ସମିତିର ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଏହାଛଡ଼ା ରାତିରେ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ମାଲ୍‌ ବୋଝେଇ ଟ୍ରେଲର ଓ ଅନ୍ୟ ଭାରୀଯାନ ସବୁ ସହର ମଧ୍ୟକୁ ‌ପ୍ରବେଶ କରୁଥିବା ଦେଖାଯାଉଛି। ଏହି ଗାଡ଼ିଗୁଡ଼ିକ ନୂଆଗଡ଼ ବାଇପାସ୍‌ରେ ନଯାଇ ସହର ଭିତରେ ଚଳାଚଳ କରୁଥିଲେ ମଧ୍ୟ ପୁଲିସ ପ୍ରଶାସନ ଦୃଷ୍ଟି ନଦେବାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର