କଟକ: ନଈରୁ ବାଲି ଉତ୍ତୋଳନ ଉପରେ ରହିଥିବା ଅନ୍ତରୀଣ ଅଙ୍କୁଶ ହଟିଛି। ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ବନ୍ଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଜାରି ରହିଥିବା ଅଙ୍କୁଶ ହଟାଇଛନ୍ତି। ପରିବେଶ ସୁରକ୍ଷା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତାରେ ‌ବାଲି ପରିବହନ କରାଯାଇ ପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ସମୟରେ ସ୍କୁଲ କଲେଜକୁ ପିଲାମାନେ ଓ ଜନସାଧାରଣ କାର୍ଯ୍ୟସ୍ଥଳକୁ ଯା’ଆସ କରୁଥିବା ବେଳେ ରାସ୍ତାରେ ବାଲି ପରିବହନ କରୁଥିବା ଗାଡ଼ି ଚଳାଚଳ ଉପରେ ସଂପୂର୍ଣ୍ଣ ଅଙ୍କୁଶ ଜାରି ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଲିଜଧାରୀମାନେ ମେସିନ ସାହାଯ୍ୟରେ ମନଇଚ୍ଛା ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ କରି ପାରିବେ ନାହିଁ ବୋଲି
ମଧ୍ୟ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ୨୦୨୩ ଡିସେମ୍ବର ୨୧ରେ ଜାରି ଗାଇଡ଼ଲାଇନ ଅନୁସାରେ କେବଳ ଅସାଧାରଣ ପରିସ୍ଥିତିରେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇ ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଯଦି ଲିଜ ମଞ୍ଜୁର କରାଯାଇଥିବା ସ୍ଥାନରେ ବିନା ମେସିନରେ ବାଲି ଉତ୍ତୋଳନ ସମ୍ଭବ ନୁହେଁ ବୋଲି ସ୍ପ‌ଷ୍ଟ ହୁଏ ତେବେ ଏଭଳି କ୍ଷେତ୍ରରେ ମେସିନ ବ୍ୟବହାର ପାଇଁ ସରକାରଙ୍କ ନୀତି ଅନୁସାରେ ଅନୁମତି ଦିଆଯାଇ ପାରିବ। କିନ୍ତୁ ମେସିନ ବ୍ୟବହାର ଅନୁମତି ପ୍ରସଂଗ ପରିବେଶ ମଞ୍ଜୁରୀ ସର୍ତ୍ତାବଳୀ‌ରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ।

Advertisment

ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ସ୍ଥିତି ଅନୁଧ୍ୟାନ ପରେ ବିରଳ ପରିସ୍ଥିତିରେ କେବଳ ‌ବାଲି ଉତ୍ତୋଳନ କ୍ଷେତ୍ରରେ ମେସିନ ବ୍ୟବହାର ପାଇଁ ପରିବେଶ ମଞ୍ଜୁରୀ ସର୍ତ୍ତାବଳୀରେ ଅନୁମତି ଦେଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଲିଜ ଚୁକ୍ତିନାମା ଓ ପରିବେଶ ମଞ୍ଜୁରିରେ ରହିଥିବା ସର୍ତ୍ତାବଳୀ କୌଣସି ପରିସ୍ଥିତିରେ ଉଲ୍ଲଂଘନ ହେବ ‌ନାହିଁ। ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶ ସହିତ ଓଏମଏମସି ନିୟମାବଳୀ କଡ଼ା କଡ଼ି ପାଳନ କରାଯିବ। ଯଦି ବାଲି ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ କୌଣସି ପ୍ରକାର ନିୟମ ଉଲ୍ଲଂଘନ ଜଣାପଡ଼େ ତେବେ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ଡିସେମ୍ବର ୨୧ର ବିଜ୍ଞପ୍ତିରେ ରହିଥିବା ଗାଇଡଲାଇନ ପାଳନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏହି ବିଜ୍ଞପ୍ତି ଉପରେ ହାଇକୋର୍ଟ ପୂର୍ବରୁ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ତେଣୁ ଏହି ଗାଇଡ଼ଲାଇନ ଆଜି ଠାରୁ ଲାଗୁ ହୋଇଛି। ଫଳରେ ଏହି ବିଜ୍ଞପ୍ତି କେବଳ ନୂଆ ବାଲିଘାଟ ଲିଜ ଗୁଡ଼ିକ ପାଇଁ ଲାଗୁ ହେବ ବୋଲି ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ପୁରୁଣା ଲିଜଧାରୀମାନେ କୌଣସି ବି ପରିସ୍ଥିତିରେ ମେସିନ ସହାୟତାରେ ବାଲି ଉତ୍ତୋଳନ ପାଇଁ ଅନୁମତି ପାଇ ପାରିବେ ନାହିଁ। କାରଣ ସେମାନଙ୍କୁ ବାଲିଘାଟ ପାଇଁ ମିଳିଥିବା ପରିବେଶ ମଞ୍ଜୁରିରେ ମେସିନ ବ୍ୟବହାର ନେଇ କୌଣସି ଅନୁମତି ନଥିଲା। ହାଇକୋର୍ଟ ପରିବେଶ ସୁରକ୍ଷା ଓ ଖଣିଜ ସଂପଦର ଉପଯୁକ୍ତ ବି‌ନିଯୋଗ ଉପରେ ଗୁରୁତ୍ବାରୋପ କରିବା ସହିତ ପ୍ରଶାନ୍ତ କୁମାର ଦାସଙ୍କ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ବାଲି ଉତ୍ତୋଳନ ଓ ପରିବହନ ନେଇ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ‌େଯ ନିୟମ ଉଲ୍ଲଂଘନ କରି ମେସିନ ଲଗାଇ ବାଲିଘାଟରୁ ମନ ଇଚ୍ଛା‌ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ୨୦୨୩, ଡିସେମ୍ବର ୨୧ରେ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ସାନି ବିଜ୍ଞପ୍ତିରେ ମଧ୍ୟ ବାଲି ଉତ୍ତୋଳନ ପାଇଁ ଆବଶ୍ୟକ ସ୍ଥଳେ ମେସିନ୍ ବ୍ୟବହାର ପାଇଁ ଅନୁମତି ରହିଥିବା ସ୍ପଷ୍ଟ ହୋଇଥିଲା। ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବାଲିଘାଟରୁ ବାଲି ଉତ୍ତୋଳନ ଗାଇଡଲାଇନ ସଂପର୍କିତ ୨୦୨୩, ଡିସେମ୍ବର ୨୧ରେ ପ୍ରକାଶିତ ବିଜ୍ଞପ୍ତିକୁ ନେଇ ହାଇକୋର୍ଟ ‌ଅସନ୍ତୋଷବ୍ୟକ୍ତ କରିଥିଲେ। ଏଥି ସହିତ ଏହି ବିଜ୍ଞପ୍ତି ଉପରେ ଗତ ଜାନୁଆରି ୧୦ରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଫଳରେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା।
କାଠଯୋଡି ନଦୀ ଶଯ୍ୟାରୁ ସରକାରଙ୍କ ଗାଇଡଲାଇନ ଉଲ୍ଲଘଂନ କରି ଯାନ୍ତ୍ରିକ ପଦ୍ଧତି ତଥା ଏକ୍ସାଭେଟର ଜରିଆରେ ବାଲି ଉତ୍ତୋଳନ କରାଯାଉଥିବା ଓ ସକାଳ ୭ଟାରୁ ରାତି ୧୦ଟା ମଧ୍ୟରେ ବେଆଇନ ଭାବେ ବାଲି ଚାଲାଣ ପାଇଁ ବାୟୁ ପ୍ରଦୂଷଣ ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଥିଲେ।