କେନ୍ଦ୍ରାପଡ଼ା: ଖଣି ବିଭାଗର ତଥ୍ୟ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାରେ ମାତ୍ର ଦୁଇଟି ବାଲିଘାଟର ସ୍ବୀକୃତି ରହିଛି। କିନ୍ତୁ ଜିଲ୍ଲାରେ ୩୦ଟି ସ୍ଥାନରୁ ବାଲି ଚୋରି ଚାଲିଛି। ଏଭଳି ଢଙ୍ଗରେ ଗତ ୨ ମାସ ଭିତରେ ଜିଲ୍ଲାରେ ବାଲି ମାଫିଆ ଶହେ କୋଟିରୁ ଅଧିକ ଟଙ୍କାର ବାଲି ଲୁଟି ନେଇଥିବା ଆକଳନ କରାଯାଉଛି। କେବଳ ଦୁଇଟି ବାଲିଘାଟକୁ ବାଦ ଦେଲେ ଅନ୍ୟ ବାଲିଘାଟ ଉପରେ କୋଟି କୋଟି ଟଙ୍କାର ବକେୟା ରାଶି ଥିବାରୁ ନିଲାମଧାରୀଙ୍କୁ ନୋଟିସ୍ ଦିଆଯିବା ସହ ବାଲି ଉତ୍ତୋଳନ ବନ୍ଦ କରାଯାଇଛି। କିନ୍ତୁ ଖଣି ବିଭାଗର କାଗଜପତ୍ରରେ ଯେଉଁ ଘାଟଗୁଡ଼ିକରୁ ବାଲି ଉତ୍ତୋଳନ ହେଉ ନ ଥିବା ଦର୍ଶାଯାଇଛି, ବାସ୍ତବରେ ସେହି ଘାଟଗୁଡ଼ିକରୁ ବେଧଡ଼କ ବାଲି ଚାଲାଣ ହେଉଛି। ବାଲି ମାଫିଆମାନେ ଅତି ଚତୁରତାର ସହ ପ୍ରଶାସନ ସହିତ ସଲାସୁତରାରେ ହଜାର ହଜାର ଟ୍ରିପ୍ ବାଲି ଚୋରାଚାଲାଣ କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। ଏସବୁ ଘାଟ ସହିତ ଅନ୍ୟ ବେଆଇନ ବାଲିଘାଟକୁ ଯୋଡ଼ି ଦିଆଗଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାସକୁ ହାରାହାରି ୬୦ କୋଟି ଟଙ୍କାର ବାଲି ଚୋରି ହେଉଥିବା ଆକଳନ କରାଯାଉଛି। ଏଭଳି ହରିଲୁଟ୍ରେ ଖଣି ବିଭାଗର ଅଧିକାରୀଙ୍କଠୁ ନେଇ ନେତା, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି।
ଗତ ଫେବ୍ରୁଆରିରେ ଖଣି ବିଭାଗ ଦେଇଥିବା ତଥ୍ୟ ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ତହସିଲରେ ୨୦ଟି ବାଲି ଖାଦାନ ନିଲାମ ଦିଆଯାଇଥିଲା। ସେଥିମଧୢରୁ ସମ୍ପ୍ରତି ମାର୍ଶାଘାଇ ତହସିଲର ତୁଳସୀପୁର ଓ ଡେରାବିଶ ତହସିଲର ଅରତାମୂଳ ଘାଟକୁ ଅନୁମତି ରହିଛି। ବାକି ୧୮ଟି ଘାଟ ଉପରେ କୋଟି କୋଟି ଟଙ୍କା ପଡ଼ିଥିବାରୁ ସେଗୁଡ଼ିକୁ ବନ୍ଦ ରଖାଯିବା ସହ ନିଲମାଧାରୀଙ୍କୁ ନୋଟିସ୍ ଜାରି କରାଯାଇଛି। ବକେୟା ଗଡ଼ୁଥିବା ଏହି ଘାଟରୁ ୨୦୨୩-୨୪ ଆର୍ଥିକ ବର୍ଷରୁ ବାଲି ଉତ୍ତୋଳନ ସ୍ଥଗିତ ରଖାଯାଇଥିବା ଦର୍ଶାଯାଉଛି। ହେଲେ ଅଧିକା˚ଶ ବାଲି ସେହିସବୁ ଘାଟରୁ ଉଠୁଛି। ପଟ୍ଟାମୁଣ୍ଡାଇର ଅଳପୁଆ ଘାଟ, ଆଳିର ଅର୍ଗଳ, ଗୋବିନ୍ଦପୁର-ଜୁଆଣିଆ, ପାନପେଣ୍ଠ-ଦେସାହି ଘାଟରୁ ଦିନରାତି ମାଫିଆମାନେ ବାଲି ଉଠାଉଥିବା ଦେଖିବାକୁ ମିଳୁଛି। ସରକାରୀ ରେକର୍ଡଭୁକ୍ତ ଖାଦାନରେ ଅନୁମତି ନ ଥାଇ ଯେଉଁଠି ବାଲି ଲୁଟ୍ ହୋଇପାରୁଛି, ସେଠାରେ ମାଫିଆମାନେ ନିଜସ୍ବ ଉଦ୍ୟମରେ କରିଥିବା ବେଆଇନ ଘାଟ କଥା ନ କହିବା ଭଲ। ତୁଣୁପୁର, ବିଚଣାଠୁ ନେଇ ବେଣିପୁର, ନାୟାଡ଼ିଆ, ନୀଳକଣ୍ଠପୁର, ଚନ୍ଦନପୁର ଆଦି ଗୋଟିଏ ଗୋଟିଏ ଉଦାହରଣ ମାତ୍ର। ସରକାରୀ ଅନୁମତି ନ ଥିବା ଏସବୁ ବେଆଇନ ଘାଟରୁ କିଭଳି କୋଟିକୋଟି ଟଙ୍କା ଲୁଟ୍ ହେଉଛି, ତା’ର ପ୍ରମାଣ କେନ୍ଦ୍ରାପଡ଼ା ତହସିଲର ବଗଡ଼ା ତୁଣୁପୁର ଓ ଗରଦପୁର ତହସିଲର ବିଚଣା ଘାଟରେ ମଧ୍ୟ ଦେଖିବାକୁ ମିଳିଛି। ଗତ ମାସରେ ଏହି ଦୁଇ ବେଆଇନ ଘାଟ ଉପରେ ପ୍ରଶାସନ ଚଢ଼ଉ କରି ୪ଟି ପୋକ୍ଲିନ୍ ମେସିନ୍ ସହ ୨୨ଟି ହାଇଵା ଜବତ କରିଥିଲା। ମାର୍ଶାଘାଇ ଅଞ୍ଚଳର ଜଣେ ପେସାଦାର ଅପରାଧୀ ନିୟନ୍ତ୍ରଣରେ ଏହି ଦୁଇ ଘାଟ ଚାଲିଥିଲା। ଗଣମାଧୢମରେ ବାରମ୍ବାର ଖବର ପ୍ରକାଶ ପରେ ପ୍ରଶାସନ ଦୁଇ ଘାଟକୁ ବନ୍ଦ କରିବା ବେଳକୁ ମାଫିଆମାନେ ୩ କୋଟିରୁ ଅଧିକ ଟଙ୍କାର ବାଲି ଲୁଟି ସାରିଥିବା କୁହାଯାଉଛି।
ଏଭଳି ଢଙ୍ଗରେ ଜିଲ୍ଲାର ପ୍ରାୟ ୩୦ଟି ବେଆଇନ ଘାଟରୁ ବାଲି ଉଠୁଥିବା ଅଭିଯୋଗ ହେଉଛି। ପ୍ରତି ଘାଟରୁ ଅତି କମ୍ରେ ଯଦି ୨କୋଟି ଟଙ୍କାର ବାଲି ଲୁଟ୍ ହୁଏ, ତେବେ ମାସକୁ ୬୦କୋଟି ଟଙ୍କା ହେବ। ଏହି ହିସାବରେ ଗଲା ଦୁଇ ମାସ ଜାନୁଆରି ଓ ଫେବ୍ରୁଆରିରେ ମାଫିଆମାନେ ଶହେ କୋଟିରୁ ଅଧିକ ଟଙ୍କାର ବାଲି ଲୁଟ୍ କରିଥିବା ଆକଳନ କରାଯାଉଛି। ଅନ୍ୟପଟେ ଏହି ଚୋରା ବାଲି ଚଣ୍ଡିଖୋଲ-ପାରାଦୀପ ୫୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଥିବା କୁହାଯାଉଥିବା ବେଳେ ପ୍ରଶାସନ ସବୁ ଜାଣି ଚୁପ୍ ବସିଛି।