ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସ୍ଥାନୀୟ ବାବା ସ୍ବପ୍ନେଶ୍ବର ଶିବ ମନ୍ଦିର ପରିସରରେ ଥିବା ଚନ୍ଦନ ଗଛକୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ କାଟି ଚୋରି କରି ନେଇଯାଇଛନ୍ତି। ଶିବ ମନ୍ଦିରରୁ ଏହା ପ୍ରଥମ ଚୋରି ହୋଇଛି। ଗଛଟି ମନ୍ଦିରରେ ପଛ ପାଶ୍ୱର୍ରେ ବହୁ ବର୍ଷ ହେବ ଥିଲା। ପାଖାପାଖି ୨୦ ଫୁଟ୍ର ଗଛଟି ଥିଲା, ଯାହାର ଆନୁମାନିକ ମୂଲ୍ୟ ୪୦ରୁ ୫୦ ହଜାର ଟଙ୍କାର ହେବ।
ମନ୍ଦିର ପୂଜକ ମଙ୍ଗଳୁ ମହାପାତ୍ର ବୁଧବାର ସକାଳେ ପୂଜା କରି ଆସି ଦେଖିଲେ ଗଛଟି କେହି ଚୋରି କରିନେଇଛି। ଏହା ପରେ ସେ ଚୋରି ବାବଦରେ ମନ୍ଦିର କମିଟିକୁ ଜଣାଇଥିଲେ। ମନ୍ଦିର କମିଟି ସଭାପତି ଯୋଗେଶ୍ବର ବିଶ୍ବାଳ, ସମ୍ପାଦକ ଗାନ୍ଧିଚରଣ ନାୟକ ଏ ବାବଦରେ ରିଆମାଳ ଥାନା ଓ ଫରେଷ୍ଟ ଅଫିସର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଗୋଟିଏ ଧର୍ମାନୁଷ୍ଠାନରୁ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଯୋଗୁଁ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ତୁରନ୍ତ ଏହାର ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଉ ବୋଲି ଦାବି ହୋଇଛି। ତେବେ ରିଆମାଳ ଅଞ୍ଚଳରେ ଦିନକୁ ଦିନ ଚୋରି ସମସ୍ୟା ବଢି ଚାଲି ଥିବା ବେଳେ ଏହା ଉପରେ କେବେ ଅଙ୍କୁଶ ଲାଗିବ ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/eca33363-62e7-44db-bcba-480cf5039704.jpg)