ଚନ୍ଦନ କାଠ ଚୋରା ଚାଲାଣ ରାକେଟ୍ ଠାବ : ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ; ୩ ଗିରଫ

ଟାଙ୍ଗୀ : କଟକ ଟାଙ୍ଗୀ ଅଞ୍ଚଳରେ ଧରା ପଡିଛି ଚୋରା ଚନ୍ଦନ କାଠ ଚାଲାଣ ରାକେଟ୍। ରାକେଟର ୩ ଜଣଙ୍କୁ ଗିରଫ କରାଯିବା ସହିତ ୪ କ୍ବିଣ୍ଟାଲ ୬୦ କିଲୋ ଚନ୍ଦନ କାଠ ଜବତ କରାଯାଇଛି। କଟକ ବନାଞ୍ଚଳ ଡାଳିଯୋଡା ରେଞ୍ଜ୍ ଅନ୍ତର୍ଗତ ଟାଙ୍ଗୀ ଥାନା ସଫା ଅଞ୍ଚଳ ଜଙ୍ଗଲରୁ ଲୁଟ୍ ହୋଇଥିବା ଏହି ଚନ୍ଦନ କାଠକୁ ଚୋରା ଚାଲାଣ କରୁଥିବା ବେଳେ ଦୁର୍ବୃତ୍ତ ଧରା ପଡିଛନ୍ତି। ଟାଙ୍ଗୀ ଥାନା ପୁଲିସ୍ ସହାୟତାରେ ସ୍ପେଶାଲ୍ ଟାସ୍କ୍ ଫୋର୍ସ୍ ଆଜି ଏହି ରାକେଟକୁ ଠାବ କରିବାରେ ସଫଳ ହୋଇଛନ୍ତି।

ସୂଚନା ଅନୁଯାୟୀ ନୟାଗଡ଼ ଅଞ୍ଚଳର ଜଣେ ଚନ୍ଦନ କାଠ ମାଫିଆକୁ ଜେରା କରିବା ବେଳେ ଚନ୍ଦନ କାଠ ଗୁଡିକ କଟକ ବନାଞ୍ଚଳ ଡାଳିଯୋଡା ରେଞ୍ଜ୍ ଟାଙ୍ଗୀ ଥାନା ଅନ୍ତର୍ଗତ ସଫା ସେକ୍ସନ ଅଞ୍ଚଳର ବିଭିନ୍ନ ଜଙ୍ଗଲରୁ ଆସୁଥିବା ସୂଚନା ମିଳିଥିଲା। ଗତକାଲି ରାତିରେ ଟାଙ୍ଗୀ ପୁଲିସ୍ ସହାୟତାରେ ସ୍ପେଶାଲ ଟାସ୍କଫୋର୍ସ ଟାଙ୍ଗୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଚୋରା ଚାଲାଣ ହେବାକୁ ଗଚ୍ଛିତ ଥିବା ଚନ୍ଦନ କାଠକୁ ଜବତ କରାଯାଇଥିଲା। ଏହି କାରବାରରେ ସମ୍ପୃକ୍ତ ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡ଼ଗାଁ ପଞ୍ଚାୟତ ହଳଦୀବସନ୍ତ ଗ୍ରାମର ହେମନ୍ତ କୁମାର ଛାଟୋଇ ଓରଫ୍ କାଳିଆ, ପାତାଳସିଙ୍ଗଡ଼ା ଗ୍ରାମର କାହ୍ନୁ ଚରଣ ଭୋଇ ଓ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା କୃଷ୍ଣ ପ୍ରସାଦ ଗ୍ରାମର ଦଣ୍ଡପାଣି ଦାସକୁ ଗିରଫ କରାଯାଇଥିଲା।

ଏହି ଚଢ଼ଉରେ ଏସ୍.ଟି.ଏଫ୍. ଏସ୍‌ଆଇ ଜଗନ୍ନାଥ ପ୍ରସାଦ ସାହୁ, ଟାଙ୍ଗୀ ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀ, ଏସ୍.ଆଇ ଶତ୍ରୁଘନ ଦଳେଇ, ଫରେଷ୍ଟର ଚନ୍ଦ୍ର ଶେଖର ଦାସ, ରବୀନ୍ଦ୍ର ନାୟକ ଓ ସଂଜୀବ ବାଇପେଇ ପ୍ରମୁଖ ସାମିଲ ଥିଲେ। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି। ଜବତ ଚନ୍ଦନ କାଠ ଗୁଡିକ ଶ୍ରୀମା ଶ୍ରୀକ୍ଷେତ୍ର ଆଶ୍ରମ ପରିସରରୁ ଚୋରି ହୋଇଥିଲା। ଜବତ କାଠ ଗୁଡିକୁ ଏବେ ଭଗତପୁର ସ୍ଥିତ ଫରେଷ୍ଟ ବିଟ୍ ହାଉସରେ ରଖା ଯାଇଥିବା ଫରେଷ୍ଟର ଚନ୍ଦ୍ର ଶେଖର ଦାସ ସୂଚନା ଦେଇଛନ୍ତି।

ଏହି ଅଞ୍ଚଳରୁ ବ୍ୟାପକ ଚୋରା ଶାଗୁଆନ କାଠଚାଲାଣ ହେଉଥିବା ଖବର ପାଇ ଗତ ସେପ୍ଟେମ୍ବର ୧୯ ତାରିଖରେ ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ କଉଡ଼ିଆପଡା ଗ୍ରାମ ଓ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଗଣ୍ଡି ଜବତ କରାଯାଇଥିଲା। କିନ୍ତୁ ଏଭଳି ବ୍ୟାପକ ଚୋରା କାରବାର ଚାଲିଥିଲେ ବି ସ୍ଥାନୀୟ ବନପାଳ ଓ ରେଞ୍ଜ୍ ଅଧିକାରୀ ଏଯାଏ ଏହାର ଟେର୍ ପାଉ ନଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର