କେନ୍ଦୁଝର ଜିଲ୍ଲାରେ ମାତିଛନ୍ତି ଚନ୍ଦନ ଗଛ ଚୋର; ଚୋରଙ୍କୁ ବାନ୍ଧିପାରୁନି ପୁଲିସ

୪ଟି ମାମଲା ରୁଜୁ, ଦୁର୍ବୃତ୍ତଙ୍କ ଟେର୍‌ ପାଉନି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ମାତିଛନ୍ତି ଚନ୍ଦନ ଗଛ ଚୋର। ଜିଲ୍ଲାର ଆନନ୍ଦପୁର, ଚମ୍ପୁଆ, କେନ୍ଦୁଝର ସହରର ଏକାଧିକ ସ୍ଥାନରୁ ଦୁର୍ବୃତ୍ତମାନେ ଚନ୍ଦନଗଛ କାଟି ନେଇଛନ୍ତି। ଏମିତିକି ଫରେଷ୍ଟ ଗାର୍ଡଙ୍କୁ ତାଲିମ ଦିଆଯାଉଥିବା ନିକଲସନ୍‌ ବନବିଦ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମଧ୍ୟ ଚନ୍ଦନ ଗଛ କାଟି ନେଇଛନ୍ତି। ଏନେଇ ବିଭିନ୍ନ ଥାନାର ପ୍ରାୟ ୪ଟି ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ଏଯାଏ କାହାରିକୁ ଗିରଫ କରିବାରେ ସମର୍ଥ ହୋଇପାରିନି। ଏହାପଛରେ ଏକ ବଡ଼ ରାକେଟ୍‌ କାମ କରୁଥିବାବେଳେ ଦୁର୍ବୃତ୍ତଙ୍କ ଟେର୍‌ ନ ପାଇବା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଚମ୍ପୁଆସ୍ଥିତ ନିକଲସନ୍‌ ବନବିଦ୍ୟାଳୟରୁ ଜାନୁଆରି ୨୮ ତାରିଖରେ ୯ଟି ପୁରୁଣା ଚନ୍ଦନଗଛ ଚୋରି ହୋଇଥିଲା। ଏହା ପୂର୍ବରୁ ମଧ୍ୟ ଦୁଇଟି ଗଛ ଚୋରି ହୋଇଥିଲା। ଏନେଇ ବନ ବିଦ୍ୟାଳୟ କର୍ତ୍ତୃପକ୍ଷ ବନ ବିଭାଗ କିମ୍ବା ‌ପୁଲିସକୁ ଜଣାଇବା ପରିବର୍ତ୍ତେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ। ଏମିତିକି କିଛି କର୍ମଚାରୀ ଗଛର ମୂଳ ତାଡ଼ି ଦେଇଥିଲେ। ଖୋଦ୍‌ ଡିଏଫ୍‌ଓ ମଧ୍ୟ ଘଟଣା ସମ୍ପର୍କରେ ଜାଣି ନଥିବା ପ୍ରକାଶ କରିଥିଲେ। ଖବର ଯେତେବେଳେ ଗଣମାଧ୍ୟମକୁ ଆସିଲା ବନବିଦ୍ୟାଳୟ କର୍ତ୍ତୃପକ୍ଷ ତରବରିଆ ଭାବେ ଫେବ୍ରୁଆରି ୪ ତାରିଖରେ ଚମ୍ପୁଆ ଥାନାରେ ଏତଲା ଦେଇଥିଲେ। ପୁଲିସ କେସ୍‌ ନମ୍ବର ୧୨/୨୦୨୨ରେ ଏକ ମାମଲା ରୁଜୁ କରି କାମ ସାରି ଦେଇଛି। ସେପଟେ ଏତଲା ଦେଇ ବନବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ନିଜେ ଝାଡ଼ିଝୁଡ଼ି ହୋଇ ବସିଯାଇଛନ୍ତି। ଘଟଣା ସମ୍ପର୍କରେ ପଚାରିଲେ ତଦନ୍ତ ଚାଲିଛି‌ ବୋଲି ଥାନା ଅଧିକାରୀ କହୁଛନ୍ତି।


ସବୁଠାରୁ ସ‌ମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ସହରରେ। ଫେବ୍ରୁଆରି ୫ ତାରିଖ ରାତିରେ କେନ୍ଦୁଝରର ଆରାଧ୍ୟ ଦେବତା ବଳ‌ଦେବଜିଉଙ୍କ ମନ୍ଦିରରେ ଦୁର୍ବୃତ୍ତମାନେ ପଶି ତିନିଟି ଚନ୍ଦନ ଗଛ ଚୋରି କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମନ୍ଦିର କମିଟି ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନମ୍ବର ୪୬/୨୦୨୨ରେ ଏକ ମାମଲା ରୁଜୁ କରିଛି।

ସେହିପରି ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପିରସରରେ ଥିବା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ସମ୍ମୁଖରୁ ଦୁର୍ବୃତ୍ତମାନେ ଏକ ଚନ୍ଦନଗଛ କାଟି ନେଇଛନ୍ତି। କାର୍ଯ୍ୟାଳୟର ରାତ୍ର ଜଗୁଆଳି ରହୁଥିବା ଘରର ବାହାରପଟୁ ବନ୍ଦ କରି ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଥିଲେ। ଡିଆର୍‌ଡିଏ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ କ୍ୱାର୍ଟର୍ସ ପରିସରରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟିଥିଲେ। ଏହି ସମୟରେ ପୁଲିସର ପାଟ୍ରୋଲିଂ ଗାଡ଼ି ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ କଟାଗଛକୁ ଛାଡ଼ି ଚାଲି ଯାଇଥିଲେ। ଉଭୟ ଘଟଣାର ତଦନ୍ତ ଟାଉନ୍‌ ଥାନା ପୁଲିସ କରୁଛି। ମାତ୍ର ଏଯାଏ ଦୁର୍ବୃତ୍ତଙ୍କ ଟେର୍‌ ପାଇନି।

ଫେବ୍ରୁଆରି ୨ ତାରିଖ ରାତିରେ ଆନନ୍ଦପୁରର ଦୁଇଟି ସ୍ଥାନରୁ ତିନିଟି ଚନ୍ଦନ ଗଛ କାଟି ନେଇଥିଲେ ଦୁର୍ବୃତ୍ତ। ଫକୀରପୁରର ମା ଥାନପତି ମନ୍ଦିର ପରିସରରୁ ଦୁଇଟି ଓ ଶିଆଡ଼ିମାଳିଆଠାରେ ଥିବା ମା ଧନେଇ ପୀଠରୁ ଗୋଟିଏ ଚନ୍ଦନ ଗଛ ଚୋରି ହୋଇଥିଲା। ମା ଥାନପତି ମନ୍ଦିରରୁ ଚନ୍ଦନ ଗଛ ଚୋରି ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନମ୍ବର ୨୮/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମଧ୍ୟ କାହାରିକୁ ଗିରଫ କରାଯାଇ ନାହିଁ। ଏ ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ପୁଲିସର ବିଫଳତା ଜଳଜଳ ଦିଶିଯାଉଛି। ଯେଭଳି ଢଙ୍ଗରେ ପୁଲିସ ତଦନ୍ତ କରିବା କଥା କରୁ ନଥିବା ଅଭିଯୋଗ ହେଉଛି। ମାସକ ମଧ୍ୟରେ ୨୫ଟି ଚନ୍ଦନ ଗଛ କାଟି ଦୁର୍ବୃତ୍ତମାନେ ଖସି ଯାଉଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ପୁଲିସ ଅସମର୍ଥ ହେଉଛି। ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରୁ ଚନ୍ଦନ ଗଛ ଚୋରି ଘଟଣାରେ ପୁଲିସର ଏଭଳି ଅସମ୍ଭବ ନିରବତା ସମସ୍ତଙ୍କୁ ବିସ୍ମିତ କରୁଛି।

ସମ୍ବନ୍ଧିତ ଖବର