ଚୋରି କରିନେଲେ ୨୦ ଲକ୍ଷର ଚନ୍ଦନ ଗଛ

କେନ୍ଦୁଝର/ ଚମ୍ପୁଆ/ ଆନନ୍ଦପୁର : କେନ୍ଦୁଝର ଜିଲ୍ଲାରେ ମାତିଛନ୍ତି ଚନ୍ଦନକାଠ ମାଫିଆ। କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ନିକଲସନ୍‌ ବନବିଦ୍ୟାଳୟ ପରିସରରୁ ମାଫିଆମାନେ ୧୧ଟି ଚନ୍ଦନ ଗଛ କାଟି ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖୋଦ୍‌ ବନ କର୍ମଚାରୀଙ୍କୁ ତାଲିମ ଦିଆଯାଉଥିବା ଏହି ଅନୁଷ୍ଠାନ ପରିସରରୁ ମାଫିଆମାନେ ଚନ୍ଦନଗଛ କାଟିନେଇ ବନ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାକୁ ଲୁଚାଇବା ପାଇଁ ବନ ବିଭାଗ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସେହିପରି ଆନନ୍ଦପୁରର ଫକୀରପୁରସ୍ଥିତ ମା’ ମନ୍ଦିର ପରିସରରୁ ଦୁଇଟି ଏବଂ ଶିଆଡ଼ିମାଳସ୍ଥିତ ମା’ ଧନେଇଙ୍କ ପୀଠରୁ ଗୋଟିଏ ଚନ୍ଦନ ଗଛ କାଟି ନେଇଛନ୍ତି ମାଫିଆ।

ଚମ୍ପୁଆସ୍ଥିତ ନିକଲସନ୍‌ ବନବିଦ୍ୟାଳୟରୁ ଜାନୁଆରି ୨୮ ତାରିଖରେ ୯ଟି ପୁରୁଣା ଚନ୍ଦନଗଛ ଚୋରି ହୋଇଥିଲା। ଏହି ଘଟଣାକୁ ଲୁଚାଇବାକୁ ବନବିଦ୍ୟାଳୟର କେତେକ କର୍ମଚାରୀ ଗଛର ମୂଳ ତାଡ଼ି ଦେଇଥିବା ଜଣାପଡ଼ିଛି। ଏହି ଘଟଣାର ୧୦ ଦିନ ପୂର୍ବରୁ ଦୁଇଟି ଗଛ ଚୋରି ହୋଇଥିଲା। ଦୁଇ ଦଫାରେ ୧୧ଟି ଚନ୍ଦନ ଗଛ ଚୋରି ହୋଇଥିଲେ ମଧ୍ୟ ବନ ବିଦ୍ୟାଳୟ ପକ୍ଷରୁ ଚମ୍ପୁଆ ରେଞ୍ଜର କିମ୍ବା ପୁଲିସକୁ ଅବଗତ କରାଯାଇ ନଥିଲା। ଫଳରେ ବନବିଦ୍ୟାଳୟ କର୍ମଚାରୀଙ୍କ ସହ ଚନ୍ଦନକାଠ ମାଫିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ସେହିପରି ବନବିଦ୍ୟାଳୟର ପାଚେରି ଉଚ୍ଚତା ୧୨ ଫୁଟରୁ ଅଧିକ ହୋଇଥିବା ବେଳେ ରାତ୍ର ଜଗୁଆଳି ନିୟୋଜିତ ଅଛନ୍ତି। ଏହାସତ୍ତ୍ବେ ଏତେ ଗଛ ଚୋରି ହେବା ଘଟଣା ସନ୍ଦେହଘେରକୁ ଆସିଛି। ଏହାଛଡ଼ା‌ ବର୍ତ୍ତମାନ ବିଦ୍ୟାଳୟରେ ୪୨ଜଣ ଫରେଷ୍ଟ ଗାର୍ଡ ତାଲିମ ନେଉଛନ୍ତି। କ୍ୟାମ୍ପସରେ ସିସିଟିଭି ଲାଗିଛି। ଏତେଦିନ ପରେ ବି ଦାୟିତ୍ୱରେ ଥିବା ରେଞ୍ଜର କାହିଁକି ରିପୋର୍ଟ କରିନାହାନ୍ତି? ଏସବୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି। ଏ ସଂପର୍କରେ ନିକଲସନ୍‌ ବନବିଦ୍ୟାଳୟର ସିସିଏଫ୍ (ଟ୍ରେନିଂ) ଅକ୍ଷୟ କୁମାର ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏନେଇ ବନ ବିଭାଗ ନିକଟରେ କୌଣସି ଖବର ନଥିବା ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି। ଚୋରି ହୋଇ ଗଛର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ବନବିଦ୍ୟାଳୟର ରେଞ୍ଜର ବିଜୟ ମହାନ୍ତ ପଚାରିବାରୁ, କ୍ୟାମ୍ପସରୁ ୫ଟି ଗଛ ଚୋରି ହୋଇଥିବା କହିଛନ୍ତି।

ସେହିପରି ଆନନ୍ଦପୁର ପୌରାଞ୍ଚଳରେ ମଧ୍ୟ ମାତିଛନ୍ତି ଚନ୍ଦନ କାଠ‌ ମାଫିଆ। ଗତକାଲି ରାତିରେ ଦୁଇଟି ସ୍ଥାନରୁ ତିନିଟି ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ। ଫକୀରପୁରର ମା’ ଥାନପତି ମନ୍ଦିର ପରିସରରୁ ଦୁଇଟି ଚନ୍ଦନ ଗଛ ଚୋରି ହୋଇଛି। ଦୁର୍ବୃତ୍ତମାନେ ଗଛର ଗଣ୍ଡି ସମେତ ମୂଳକୁ ମଧ୍ୟ ତାଡ଼ି ନେଇଛନ୍ତି। ଡାଳପତ୍ରକୁ ସେହି ସ୍ଥାନରେ ପକାଇ ଦେଇଛନ୍ତି। ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ୍ ପକ୍ଷରୁ ତଦନ୍ତ ଚାଲିଥିବା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି। ସେହିପରି ଆନନ୍ଦପୁର ଶିଆଡ଼ିମାଳିଆଠାରେ ଥିବା ମା’ ଧନେଇ ପୀଠରୁ ମଧ୍ୟ ଏକ ଚନ୍ଦନ ଗଛ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର