ଶ୍ରୀମନ୍ଦିର ପ୍ରଶାସନକୁ ଘାରିଛି ରେକର୍ଡ ନିଶା : ଦିନରେ ସାରିଦେଲେ ସନ୍ଧ୍ୟା ଆଳତି!

ଠାକୁରଙ୍କ ସବୁ ନୀତି, ପରମ୍ପରାକୁ ଜଳାଞ୍ଜଳି, ପ୍ରଶଂସା ସାଉଁଟିବାକୁ ଯାଇ ଭକ୍ତଙ୍କ ଭାବାବେଗକୁ ଆଘାତ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନାଁରେ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ସବୁ ନୀତି ଓ ପରମ୍ପରାକୁ ଜଳାଞ୍ଜଳି ଦେବାକୁ ପଛାଇ ନାହିଁ। ସରକାରଙ୍କଠାରୁ ବାହାବା ସାଉଁଟିବା ତଥା ରେକର୍ଡ ନିଶାରେ ମନ୍ଦିର ପ୍ରଶାସନ ଭକ୍ତଙ୍କ ଭାବାବେଗ ସହିତ ଖେଳିଛି। ଆଜି ପବିତ୍ର ନୀଳାଦ୍ରି ବିଜେ ନୀତିକୁ ସଅଳ କରିବାକୁ ଯାଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି (ଯାହା ସନ୍ଧ୍ୟାରେ ସଂପନ୍ନ ହେବା କଥା) ତାକୁ ଅପରାହ୍ନ ଗୋଟାଏ ସୁଦ୍ଧା ଶେଷ କରିଛି। ଯାହା ପରମ୍ପରାର ଘୋର ବ୍ୟତିକ୍ରମ ବୋଲି କୁହାଯାଉଛି। କେଉଁ ପରିସ୍ଥିତିରେ ମନ୍ଦିର ପ୍ରଶାସନରେ ସନ୍ଧ୍ୟା ଆଳତି ମଧ୍ୟାହ୍ନ ଗୋଟାଏ ପୂର୍ବରୁ ସାରିଦେଲା ତାକୁ ନେଇ ଆପତ୍ତି, ଅଭିଯୋଗ ଉଠିଛି। ରଥଯାତ୍ରା ଶୃଙ୍ଖଳା ନାମରେ ପ୍ରଶାସନ ଶ୍ରୀଗୁଣ୍ଡିଚାରୁ ବାହୁଡା ଯାଏ ସବୁ କ୍ଷେତ୍ରରେ ସଅଳ ନୀତି କରିବାକୁ ଯାଇ ପରମ୍ପରାର ଖୋଲାଖୋଲି ଉଲ୍ଲଂଘନ କରିଛି।

ଏ ବର୍ଷ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ତିନି ରଥ ସନ୍ଧ୍ୟା ୬ଟା ପୂର୍ବରୁ ସିଂହଦ୍ଵାରରେ ଲଗାଇ ମନ୍ଦିର ପ୍ରଶାସନ ବିଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି କହି ବାହାବା ନେଇଥିଲା। ସେହି ରେକର୍ଡ ନିଶାରେ ଆଜି ନୀଳାଦ୍ରି ବିଜେ ନୀତିକୁ ସଅଳ କରିବା ପାଇଁ ମନ୍ଦିର ପ୍ରଶାସନ ମଧ୍ୟାହ୍ନ ଗୋଟାଏ ପୂର୍ବରୁ ରଥ ଉପରେ ସନ୍ଧ୍ୟା ଆଳତି ଶେଷ କରିଥିଲା। ଯାହାକୁ ଜଗନ୍ନାଥପ୍ରେମୀ ସହଜରେ ଗ୍ରହଣ କରିପାରିନାହାନ୍ତି। ପ୍ରଶାସନ କାହାକୁ ଖୁସି କରିବା ଲାଗି ମହାପ୍ରଭୁଙ୍କୁ ରେକର୍ଡ ଦୌଡକୁ ଆଣୁଛି ତାକୁ ନେଇ ପ୍ରଶ୍ନ ଉଠିଛି। ଆଜି ନୀଳାଦ୍ରି ବିଜେ ନୀତିକୁ ସଅଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସକାଳ ଧୂପକୁ ସକାଳ ୧୦ଟା ୩୦ରେ ସାରିଥିଲା। ସେହିଭଳି ମଧ୍ୟାହ୍ନ ଧୂପ ୧୨ଟା ୫୦ରେ ସାରିବା ପରେ ମଧ୍ୟାହ୍ନ ଗୋଟାଏ ବେଳେ ସନ୍ଧ୍ୟା ଆଳତି ଶେଷ ହୋଇଥିଲା। ସନ୍ଧ୍ୟା ଧୂପ ଗୋଟାଏ ୫୫ ସୁଦ୍ଧା ଶେଷ ହୋଇଥିଲା। ସଅଳ ନୀତି ପାଇଁ ନୀଳାଦ୍ରି ବିଜେ ପହଣ୍ଡି ୫ଟା୧୦ରେ ଆରମ୍ଭ କରାଯାଇଥିଲା। ଅପରାହ୍ନ ୫ଟା୧୦ରେ ରାମକୃଷ୍ଣ-ମଦନମୋହନ ବିଜେ କରିଥିଲେ। ସେହିଭଳି ୫ଟା ୩୫ରେ ସୁଦର୍ଶନ, ୬ଟା ୫ରେ ବଳଭଦ୍ର ଓ ୭ଟା୪୦ ମା ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ କରାଯାଇଥିଲା। ନୀଳାଦ୍ରି ବିଜେରେ ଏତେ ସଅଳ ପହଣ୍ଡି ପୂର୍ବରୁ କେବେ ଆରମ୍ଭ ହୋଇନଥିଲା। ଆଜି ସନ୍ଧ୍ୟା ୬ଟା୩୦ରେ ପହଣ୍ଡି ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଦେଢ ଘଣ୍ଟା ପୂର୍ବରୁ ଏହା ଆରମ୍ଭ ହୋଇଥିଲା।

ଠାକୁରଙ୍କ ସୁନା ବେଶ ଦିନ ମଧ୍ୟ ଅପରାହ୍ନ ୩ଟା୨୫ରେ ସନ୍ଧ୍ୟା ଆଳତି କରାଯାଇଥିଲା। ବାହୁଡା ଦିନ ବି ମନ୍ଦିର ପ୍ରଶାସନ ରେକର୍ଡ ପାଇଁ ସବୁ ସୀମା ଲଂଘିଥିଲା। ବାହୁଡା ପହଣ୍ଡି ପାଇଁ ଆରମ୍ଭ ସମୟ ମଧ୍ୟାହ୍ନ ୧୨ଟା ରଖାଯାଇଥିବା ବେଳେ ଏହାକୁ ଅପରାହ୍ନ ୨ଟା୩୦ ମଧ୍ୟରେ ସାରିବାକୁ ନୀତି ନିର୍ଘଣ୍ଟ ହୋଇଥିଲା। ମାତ୍ର ମନ୍ଦିର ପ୍ରଶାସନ ନୀତିକୁ ଗଡେଇ ନେଇଥିଲା। ପ୍ରାୟ ୩ ଘଣ୍ଟା ପୂର୍ବରୁ ଅର୍ଥାତ ୯ଟା ୦୫ ବେଳକୁ ପହଣ୍ଡି ଆରମ୍ଭ କରିଥିଲା। ଅପରାହ୍ନ ୨ଟା୩୦ରେ ସରିବାକୁ ଥିବା ପହଣ୍ଡି ୧୧ଟା ୫୫ରେ ସରିଥିଲା। ଫଳରେ ଲକ୍ଷ ଲକ୍ଷ ଭକ୍ତ ନିର୍ଘଣ୍ଟ ନୀତିକୁ ଦୃଷ୍ଟିରେ ରଖି ପୁରୀରେ ଠାକୁରଙ୍କ ପହଣ୍ଡି ଦେଖିବାକୁ ଆସି ନିରାଶ ହୋଇଥିଲେ। ରଥଟଣା ପାଇଁ ଅପରାହ୍ନ ୪ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ମଧ୍ୟାହ୍ନ ଗୋଟାଏ ୨୨ରେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୨ଟା ବେଳେ ସୁଭଦ୍ରା ଓ ମହାପ୍ରଭୁ ନନ୍ଦିଘୋଷ ରଥ ୨ଟା୧୦ରେ ଟଣାଯାଇଥିଲା। ରଥଟଣା ଆରମ୍ଭ ପାଇଁ ଅପରାହ୍ନ ୪ଟା ବେଳେ ନିର୍ଘଣ୍ଟ ହୋଇଥିବା ବେଳେ ଏହାର ୨୫ ମିନିଟ୍‌ ପୂର୍ବରୁ ମହାପ୍ରଭୁଙ୍କ ତାଳଧ୍ୱଜ ରଥକୁ ସିଂହଦ୍ଵାରରେ ପହଞ୍ଚାଇ ଦିଆଯାଇଥିଲା। ସେହିଭଳି ମା ସୁଭଦ୍ରାଙ୍କ ରଥ ସିଂହଦ୍ୱାରରେ ପହଞ୍ଚିଥିଲା ୩ଟା୫୦ରେ। ପ୍ରଶାସନର ଏଭଳି ରେକର୍ଡ ନିଶାକୁ ଭକ୍ତ ମହଲରେ ନାପସନ୍ଦ କରାଯାଇଛି। ପ୍ରଶାସନ କାହାକୁ ଖୁସି କରିବାକୁ ଏଭଳି ନୀତିନିର୍ଘଣ୍ଟ କରୁଛି ତାକୁ ନେଇ ମାନସ ମନ୍ଥନ ଆରମ୍ଭ ହେଲାଣି। ଅନ୍ୟପକ୍ଷରେ ଶ୍ରୀ ଜିଉମାନେ ରତ୍ନ ସିଂହାସନ ଥିବା ବେଳେ ନୀତିରେ ବାରମ୍ବାର ବିଳମ୍ବ ହେଉଥିବାର ପୂର୍ବରୁ ଅନେକ ନଜିର ରହିଛି। ଏ ପରିପ୍ରେକ୍ଷୀରେ ପ୍ରଶାସନ ରଥଯାତ୍ରାରେ ଏଭଳି ସଅଳ ନୀତି କରି କି ରେକର୍ଡ ସାଉଁଟିବାକୁ ଚାହୁଁଛି? ଏ ସଂପର୍କରେ ଶ୍ରୀମନ୍ଦିର ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଆଜି ନୀତି ଠିକ୍‌ ହେଲେ ଆସନ୍ତାକାଲି ନୀଳାଚଳ ଅବଢା ଠିକ୍‌ ସମୟରେ ବାହାରି ପାରିବ।

ସମ୍ବନ୍ଧିତ ଖବର