ପୁରୀ : ଆସନ୍ତାକାଲି (ଗୁରବାର) ଜନ୍ମବେଦୀରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦୀରେ ଏହା ଶେଷ ଦର୍ଶନ। ଏହା ପରେ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତିବର୍ଷ ସଂଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ବାଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ପରେ ନାକଚଣା ଦ୍ୱାର ଦେଇ ବାହାରିବେ। ସଂଧ୍ୟା ଦର୍ଶନକୁ ରାତି ୭ଟା ଭିତରେ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ସଂଧ୍ୟା ଦର୍ଶନ ପରଦିନ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଥିବାରୁ ଏହାର ପ୍ରସ୍ତୁତି ପାଇଁ ଆସନ୍ତାକାଲି ରାତି ୭ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ତେବେ ଆଡ଼ପ ଅବଢ଼ା ରାତି ୧୨ଟା ଯାଏ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
ପାଞ୍ଜିରେ ମହାପ୍ରଭୁଙ୍କ ନବଯାତ୍ରାର ଅଷ୍ଟମୀ ଓ ନବମୀ ଦୁଇଦିନ ସଂଧ୍ୟା ଦର୍ଶନ ପଡ଼ୁଥିବାରୁ ଆଜି ବି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଗତକାଲି ତିନି ରଥର ଦକ୍ଷିଣ ମୋଡ଼ ନୀତି ଥିଲେ ମଧ୍ୟ ଅସୁବିଧା ଯୋଗୁ ନନ୍ଦିଘୋଷ ରଥ ଶରଧାବାଲିକୁ ଯାଇ ପାରିନଥିଲା। କେବଳ ଦର୍ପଦଳନ ଓ ତାଳଧ୍ବଜ ରଥ ଶରଧାବାଲିରେ ଦକ୍ଷିଣ ମୋଡ଼ ନେଇ ରହିଥିଲେ। ଆଜି ନନ୍ଦିଘୋଷ ରଥକୁ ଶରଧାବାଲିରେ ଦକ୍ଷିଣମୋଡ଼ କରି ରଖାଯାଇଛି।
ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସଂଧ୍ୟା ଦର୍ଶନରୁ ମିଳିଥାଏ ବୋଲି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ସଂଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଆସନ୍ତାକାଲି ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ୱାରପାଳ ପୂଜା, ୭ଟାରେ ବେଶ ଶେଷ ଏବଂ ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ହେବ। ସକାଳ ୮ରୁ ସାଢ଼େ ୯ଟା ସକାଳଧୂପ, ସାଢ଼େ ୮ରୁ ସାଢ଼େ ୧୦ଟା ଭୋଗମଣ୍ଡପ, ପୂର୍ବାହ୍ଣ ୧୦ଟା ୪୫ରେ ମଇଲମ, ସାଢ଼େ ୧୧ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ମଧ୍ୟାହ୍ଣ ୧୨ଟାରେ ସର୍ବାଙ୍ଗ ଚନ୍ଦନ, ଅପରାହ୍ଣ ଗୋଟାଏରେ ନୂଆଲୁଗା ଲାଗି ବେଶ, ସାଢ଼େ ଗୋଟାଏରୁ ୩ଟା ମଧ୍ୟାହ୍ନ ଧୂପ, ଅପରାହ୍ଣ ୨ରୁ ସାଢ଼େ ୩ଟା ଦ୍ୱିତୀୟ ଭୋଗମଣ୍ଡପ, ୩ଟା ୪୫ରୁ ୪ଟା ୪୦ ମଇଲମ ଓ ବେଶ, ସଂଧ୍ୟା ୫ଟା ସଂଧ୍ୟା ଆଳତି, ସଂଧ୍ୟା ସାଢ଼େ ୫ଟାରୁ ରାତି ୭ଟା ସଂଧ୍ୟାଧୂପ ନୀତି ରହିଛି। ଏହା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେ। ରାତି ୭ଟା ପରଠୁ ମହାପ୍ରଭୁଙ୍କ ବାହୁଡ଼ା ନୀତି ପ୍ରସ୍ତୁତି ଆରମ୍ଭ ହେବ। ଆସନ୍ତା ୧୨ ତାରିଖରେ ବାହୁଡ଼ା ନୀତି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ହେବ। ରଥଟଣା ସମୟ ୪ଟା ହୋଇଥିଲେ ବି ଏହା ପୂର୍ବରୁ ରଥଟଣା ହୋଇପାରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆସନ୍ତା ୧୨ ତାରିଖରେ ବାହୁଡ଼ା ଯାତ୍ରା ପରେ ୧୩ ତାରିଖରେ ବଡ଼ ଚଢ଼ାଉ ବେଶ ବା ସୁନାବେଶ ଓ ଗରୁଡ଼ ଶୟନ ନୀତି, ୧୪ ତାରିଖରେ ଅଧରନୀତି ଓ ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Baricade-dei-mahaprabhunka-Darshan-pain-Jauchhanti-Bhakta.jpg)