ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟଦ୍ଵାର ବାଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ନାକଚଣା ଦ୍ଵାର ଦେଇ ବାହାରିବେ। ରାତି ୭ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ ଜାରି ରହିବ।
ସନ୍ଧ୍ୟା ଦର୍ଶନ ପରଦିନ ଅର୍ଥାତ୍ ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ଅନ୍ୟପକ୍ଷରେ ପାଞ୍ଜିରେ ମହାପ୍ରଭୁଙ୍କ ନବଦିନଯାତ୍ରାର ଅଷ୍ଟମୀ, ନବମୀ ଦୁଇ ଦିନ ସନ୍ଧ୍ୟା ଦର୍ଶନ ପଡ଼ୁଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଏହି ଅନୁସାରେ ଆସନ୍ତାକାଲି ଭୋର ୪ଟାରେ ଦ୍ଵାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ଵାରପାଳ ପୂଜା, ୭ଟାରେ ବେଶ ଶେଷ, ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ହେବ। ସକାଳ ୮ରୁ ସାଢ଼େ ୯ଟା ସକାଳ ଧୂପ, ସାଢ଼େ ୮ରୁ ସାଢ଼େ ୧୦ଟା ଭୋଗମଣ୍ଡପ, ପୂର୍ବାହ୍ଣ ୧୦ଟା୪୫ରେ ମଇଲମ, ସାଢ଼େ ୧୧ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ ଚନ୍ଦନ, ମଧ୍ୟାହ୍ନ ଗୋଟାଏରେ ନୂଆଲୁଗା ଲାଗି ବେଶ, ସାଢ଼େ ଗୋଟାଏରୁ ୩ଟା ମଧ୍ୟାହ୍ନ ଧୂପ, ମଧ୍ୟାହ୍ନ ୨ଟାରୁ ସାଢ଼େ ଅପରାହ୍ନ ୩ଟା ଦ୍ଵିତୀୟ ଭୋଗମଣ୍ଡପ, ୩ଟା୪୫ରୁ ୪ଟା ୪୦ ମଇଲମ, ବେଶ, ସଂଧ୍ୟା ୫ଟାରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ସାଢ଼େ ୫ରୁ ରାତି ୭ଟା ସନ୍ଧ୍ୟାଧୂପ ନୀତି ରହିଛି। ଆସନ୍ତା ୨୨ ତାରିଖରେ ବାହୁଡ଼ା ନୀତି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Srigundichha-Mandira.jpg)